ଅକ୍ସିଜେନ୍ ନ ପାଇ ପୁଣି ୨୦ ରୋଗୀଙ୍କ ଜୀବନ ଗଲା | News Room Odisha

ଅକ୍ସିଜେନ୍ ନ ପାଇ ପୁଣି ୨୦ ରୋଗୀଙ୍କ ଜୀବନ ଗଲା

ନୂଆଦିଲ୍ଲୀ – ଅକ୍ସିଜେନ୍ ଅଭାବରୁ ପୁଣି କୋଭିଡ୍ ରୋଗୀଙ୍କ ଜୀବନ ଯାଇଛି । ଅକ୍ସିଜେନ ନ ପାଇ ୨୦ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଜାତୀୟ ରାଜଧାନୀ ଦିଲ୍ଲୀର ରୋହିଣୀ ସ୍ଥିତ ଜୟପୁର ଗୋଲ୍ଡେନ ହସ୍ପିଟାଲରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ।

ପ୍ରାଣ ହରାଇଥିବା ଅଧିକାଂଶ ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ହସ୍ପିଟାଲର ଅକ୍ସିଜେନ ଷ୍ଟକ୍ ସରି ଆସିବାରୁ କମ୍ ପ୍ରେସର ଯୋଗୁଁ ରୋଗୀମାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ଜୟପୁର ଗୋଲ୍ଡେନ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଡେପ୍ ବାଲୁଜା କହିଛନ୍ତି ଯେ, ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଆମ ଅକ୍ସିଜେନ ଷ୍ଟକ୍ ଶେଷ ହୋଇଯାଇଥିଲା । ଅକ୍ସିଜେନ ପ୍ରେସର କମ୍ ହୋଇଯିବା ଯୋଗୁଁ ଆମେ ୨୦ ରୋଗୀଙ୍କୁ ହରାଇଛୁ ।

ଗତକାଲି ସନ୍ଧ୍ୟା ସାଢ଼େ ପାଞ୍ଚଟା ସୁଦ୍ଧା ହସ୍ପିଟାଲରେ ଅକ୍ସିଜେନ ପହଞ୍ଚିବାର ଥିଲା । କିନ୍ତୁ ମଧ୍ୟରାତ୍ର ସୁଦ୍ଧା ଅକ୍ସିଜେନ ଯୋଗାଣ ହୋଇନଥିଲା । ହସ୍ପିଟାଲକୁ ଆଜି ସକାଳୁ ଅକ୍ସିଜେନ ମିଳିଥିଲେ ମଧ୍ୟ ଏହା ଆବଶ୍ୟକ କୋଟାର ମାତ୍ର ୪୦% ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ଆବଶ୍ୟକ ପରିମାଣର ଅକ୍ସିଜେନ ନ ମିଳିଲେ ଅନ୍ୟ କୋଭିଡ୍ ରୋଗୀଙ୍କ ଜୀବନ ବଞ୍ଚାଇବା କଷ୍ଟକର ହେବ ବୋଲି ହସ୍ପିଟାଲ ତରଫରୁ କୁହାଯାଇଛି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୨୦୦ ରୋଗୀଙ୍କ ଜୀବନ ଅକ୍ସିଜେନ ଉପରେ ନିର୍ଭର କରୁଛି ବୋଲି କୁହାଯାଇଛି ।

ନିକଟରେ ଅକ୍ସିଜେନ ଅଭାବରୁ ନାଶିକର ଏକ ହସ୍ପିଟାଲରେ ୨୪ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଅକ୍ସିଜେନ ଟ୍ୟାଙ୍କ୍‌ରେ ଲିକେଜ୍ ଯୋଗୁଁ ଏହି ଅଘଟଣ ଘଟିଥିଲା । ଗତକାଲି ଦିଲ୍ଲୀର ଅନ୍ୟତମ ବଡ଼ ଘରୋଇ ହସ୍ପିଟାଲ ସାର ଗଙ୍ଗାରାମ ହସ୍ପିଟାଲରେ ବି ଅକ୍ସିଜେନ ଅଭାବରୁ ୨୩ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ହୋଇଥିଲା ।