ପୁଡୁଚେରି ଉପ ରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ

ନୂଆଦିଲ୍ଲୀ – ପୁଡୁଚେରିରେ ରାଜନୈତିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର କିରଣ ବେଦୀଙ୍କୁ ଉପ ରାଜ୍ୟପାଳ ପଦରୁ ହଟାଇ ଦେଇଛନ୍ତି । ରାଷ୍ଟ୍ରପତି ଭବନ ତରଫରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୌନ୍ଦରରାଜନଙ୍କୁ ପୁଡୁଚେରି ଉପରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଚାରି କଂଗ୍ରେସ ବିଧାୟକଙ୍କ ଇସ୍ତଫା ପରେ ପୁଡୁଚେରିରେ ନାରାୟଣସ୍ୱାମୀଙ୍କ ନେତୃତ୍ୱାଧୀନ ଶାସକ କଂଗ୍ରେସ ନିଜ ସଂଖ୍ୟା ଗରିଷ୍ଠତା ହରାଇଛି । ଆଜି ବିଧାୟକ ଏ.ଜନ କୁମାର ନିଜ ପଦରୁ ଇସ୍ତଫା ଦେଇଥିଲେ । ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ମାଲାଡି କ୍ରିଷ୍ଣା ରାଓ ମଧ୍ୟ ଦଳ ଛାଡ଼ିଥିଲେ । ଏହା ପୂର୍ବରୁ ଜାନୁୟାରୀରେ ଦୁଇ ମନ୍ତ୍ରୀ ଏ.ନମଶିବାୟମ ଓ ଇ.ଥିପାନିନ୍ଦନ ଦଳରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ । ଗତବର୍ଷ ଜୁଲାଇରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଉ ଜଣେ କଂଗ୍ରେସ ବିଧାୟକ ଏନ.ଧନାଭେଲୁଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା ।

Comments are closed.