ଆଇଏନ୍ଏସ୍ ବିରାଟ' ଭଙ୍ଗାଯିବା ଉପରେ ସୁପ୍ରିମକୋର୍ଟଙ୍କ ରୋକ୍ | News Room Odisha

ଆଇଏନ୍ଏସ୍ ବିରାଟ’ ଭଙ୍ଗାଯିବା ଉପରେ ସୁପ୍ରିମକୋର୍ଟଙ୍କ ରୋକ୍

ନୂଆଦିଲ୍ଲୀ: ନୌସେନାର ସେବାରୁ ହଟାଯାଇଥିବା ବିମାନ ପରିବହନକାରୀ ଜାହାଜ ‘ଆଇଏନ୍ଏସ୍ ବିରାଟ’କୁ ଭଙ୍ଗାଯିବା ନେଇ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି।

ଏନଭାଇଟେକ୍ ମେରାଇନ୍ କନ୍ସଲଟାଣ୍ଟସ୍ ଲିମିଟେଡ୍ ନାମକ ଏକ କମ୍ପାନୀ ୧୦୦ କୋଟି ଟଙ୍କା ବ୍ୟୟରେ ଏହାକୁ ସଂଗ୍ରହାଳୟ ଭାବରେ ସଂରକ୍ଷଣ କରିବା ପାଇଁ ପ୍ରସ୍ତାବ ଦେଇଛି । ଏଥିପାଇଁ ‘ଆଇଏନ୍ଏସ୍ ବିରାଟ’କୁ ଭଙ୍ଗାଯିବା ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଏହି କମ୍ପାନୀ ତରଫରୁ ଏକ ପିଟିସନ ଦାୟର କରାଯାଇଥିଲା ।

ଆଇଏନ୍ଏସ୍ ବିରାଟ ଭାବନଗରର ଶ୍ରୀରାମ ଗ୍ରୁପ୍ ଦ୍ୱାରା କିଣାଯାଇଥିଲା | ଏହାକୁ ଏବେ କବାଡି ଭାବେ ଭଙ୍ଗା ଯାଉଛି | ୨୦୦୭ରେ ‘ଆଇଏନ୍ଏସ୍ ବିରାଟ’କୁ ରିଟାୟର କରାଯାଇଥିଲା ।

ପ୍ରାୟ ୧୫ ବର୍ଷ ଧରି ‘ବିରାଟ’ ଭାରତର ପୂର୍ବ ଉପକୂଳରୁ ଆରମ୍ଭ କରି ପଶ୍ଚିମ ଉପକୂଳ ତଥା ଆରବ ସାଗରରୁ ବଙ୍ଗୋପସାଗର ପର୍ଯ୍ୟନ୍ତ ଶତ୍ରୁମାନଙ୍କ ଘୃଣ୍ୟ ଗତିବିଧି ଉପରେ କେବଳ ନଜର ରଖି ନଥିଲା, ବରଂ ଶତ୍ରୁକୁ ପାଖ ମାଡିବାକୁ ବି ଦେଇନଥିଲା । ନୌସେନାର ଆଉ ଏକ ବିମାନ ବାହକ ‘ବିକ୍ରାନ୍ତ’ ପ୍ରାୟ ୧୮ ବର୍ଷ ପୂର୍ବେ ଅବସର ନେଇଥିଲା। ରୁଷିଆରୁ ୨୦୧୪ରେ କିଣାଯାଇଥିବା ‘ବିକ୍ରମାଦିତ୍ୟ’ ବର୍ତ୍ତମାନ ନୌସେନାର ସେବାରେ ନିୟୋଜିତ ଅଛି ।

୧୯୮୭ ରେ ବ୍ରିଟିଶ ରୟାଲ ନେଭି ଠାରୁ ଭାରତ ‘ବିରାଟ’କୁ କିଣିଥିଲା। ସେତେବେଳେ ବିରାଟର ନାମ ଥିଲା ‘ଏଚ୍ଏମ୍ଏସ୍ ହର୍ମେସ୍’ ଏବଂ ବ୍ରିଟିଶ ନୌସେନାରେ ଏହା ୨୫ ବର୍ଷ ବିତାଇଥିଲା | ଏହା ଆର୍ଜେଣ୍ଟିନା ବିପକ୍ଷ ଫାଲ୍କଲ୍ୟାଣ୍ଡ ଯୁଦ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଦୀର୍ଘତମ ସେବା ପାଇଁ ‘ବିରାଟ’ଙ୍କୁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନାମିତ କରାଯାଇଛି।

INS Viratsupreme court