ଆଇପିଏଲ୍ ନିଲାମ: ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ହେଲେ କ୍ରିସ୍ ମୋରିସ୍‌, ୧୬.୨୫ କୋଟିରେ କିଣିଲା ରାଜସ୍ଥାନ

ଚେନ୍ନାଇ – ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ୨୦୨୧ ସଂସ୍କରଣ ପାଇଁ ଗୁରୁବାର ଖେଳାଳି ନିଲାମ ଆରମ୍ଭ ହୋଇଛି । ଦକ୍ଷିଣ ଆଫ୍ରିକାର ଭେଟେରାନ ଅଲରାଉଣ୍ଡର କ୍ରିସ୍ ମୋରିସ୍ ସବୁଠୁ ଦାମୀ ଖେଳାଳି ହୋଇଛନ୍ତି । ତାଙ୍କୁ ୧୬.୨୫ କୋଟିରେ କିଣିଛି ରାଜସ୍ଥାନ ରୟାଲ୍ସ । ଏଥିସହ ମୋରିସ୍ ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ଯୁବରାଜ ସିଂଙ୍କ ରେକର୍ଡ ଭାଙ୍ଗିଛନ୍ତି । ଯୁବରାଜଙ୍କୁ ୨୦୧୬ ସଂସ୍କରଣରେ ଦିଲ୍ଲୀ ଫ୍ରାଞ୍ଚାଇଜ୍ ୧୬ କୋଟିରେ କିଣିଥିଲା । ତା’ପୂର୍ବରୁ ୨୦୧୪ ସିଜନରେ ଯୁବରାଜଙ୍କୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ୧୪ କୋଟିରେ କିଣିଥିଲା ।

କ୍ରିସ୍ ମୋରିସଙ୍କ ବେସ୍ ପ୍ରାଇସ୍ ଥିଲା ୭୫ ଲକ୍ଷ । କିନ୍ତୁ ସେ ଏହାଠାରୁ ଅବିଶ୍ୱସନୀୟ ମୂଲ୍ୟ ପାଇଛନ୍ତି । ତାଙ୍କୁ କିଣିବା ପାଇଁ ରାଜସ୍ଥାନ ସହ ମୁମ୍ବାଇ ଇଣ୍ଡିଆନ୍ସ ଓ ତାଙ୍କ ପୁରୁଣା ଦଳ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଶେଷରେ ରାଜସ୍ଥାନ ରେକର୍ଡ ମୂଲ୍ୟ ସହ ମୋରିସଙ୍କୁ ହାତେଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟ୍ରେଲୀୟ ଷ୍ଟାର ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ୧୪.୨୫ କୋଟିରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର କିଣିଛି । ଗତ ସିଜନରେ ସେ ପଞ୍ଜାବ ପାଇଁ ଖେଳିଥିଲେ । ହେଲେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ତାଙ୍କୁ ଏଥର ପଞ୍ଜାବ ରିଲିଜ୍ କରିଦେଇଥିଲା ।
ଇଂଲଣ୍ଡର ଅଲରାଉଣ୍ଡର ମୋଇନ୍ ଅଲ୍ଲୀଙ୍କୁ ୭ କୋଟିରେ କିଣିଛି ଚେନ୍ନାଇ ସୁପରକିଙ୍ଗ୍‌ସ । ସେ ଗତ ସିଜନରେ ଆର୍‌ସିବି ପାଇଁ ଖେଳିଥିଲେ । ସେହିପରି ଶିବମ ଦୁବେଙ୍କୁ ୪.୪ କୋଟିରେ ରାଜସ୍ଥାନ କିଣିଥିବା ବେଳେ ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ସାକିବ୍ ଅଲ ହସନଙ୍କୁ ୩.୨ କୋଟିରେ କିଣିଛି କୋଲକାତା ନାଇଟ୍ ରାଇଡର୍ସ ।

ଚଳିତ ଥର ମୋଟ ୨୯୨ ଖେଳାଳି ନିଲାମରେ ସାମିଲ ଅଛନ୍ତି । ଆଠ ଫ୍ରାଞ୍ଚାଇଜ୍‌ରେ ୬୧ ସ୍ଲଟ୍ ପାଇଁ ନିଲାମ ଅନୁଷ୍ଠିତ ହେଉଛି ।

Comments are closed.