ଆଇପିଏଲ୍-୧୪: ଆରମ୍ଭରୁ ହିଁ ରୋମାଞ୍ଚ, ଶେଷ ବଲରେ ମୁମ୍ବାଇକୁ ହରାଇ ଅଭିଯାନ ଆରମ୍ଭ କଲା ଆର୍‌ସିବି

ଚେନ୍ନାଇ – ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜ୍‌ର୍ସ ବାଙ୍ଗାଲୋର (ଆରସିବି) ମଧ୍ୟରେ ରୋମାଞ୍ଚକର ମ୍ୟାଚରୁ ଆଇପିଏଲ୍-୧୪ ଆରମ୍ଭ ହୋଇଛି । ଏଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଆରସିବି ଶେଷ ବଲରେ ମୁମ୍ବାଇକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି । ଆରସିବି ଏହି ମ୍ୟାଚ୍ ୨ ୱିକେଟରେ ଜିତିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୯ ୱିକେଟରେ ୧୫୯ ରନ୍ କରିଥିଲା । ଏହାର ଜବାବରେ ଆରସିବି ୮ ୱିକେଟ୍ ହରାଇ ଶେଷ ବଲରେ ବିଜୟ ହାସଲ କରିଥିଲା । ଦଳ ତରଫରୁ ଏବି ଡି’ଭିଲିୟର୍ସ ସର୍ବାଧିକ ୪୮ ରନ୍ କରିଥିବା ବେଳେ ଗ୍ଲେନ ମାକ୍ସୱେଲ ୩୯ ଓ ଅଧିନାୟକ ବିରାଟ କୋହଲି ୩୩ ରନ୍ କରିଥିଲେ । ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମରା ଓ ମାର୍କୋ ଜାନସେନ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ପୂର୍ବରୁ ଟସ୍ ଜିତି ବିରାଟ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ମୁମ୍ବାଇ ପାଇଁ ପ୍ରଥମ ମ୍ୟାଚ୍ ଖେଳୁଥିବା କ୍ରିସ୍ ଲୀନ୍ଙ୍କ ସହ ଅଧିନାୟକ ରୋହିତ ଶର୍ମା ଇନିଂସ୍ ଆରମ୍ଭ କରିଥିଲେ। ରୋହିତ ଭଲ ଆରମ୍ଭ କରିଥିଲେ ହେଁ ୧୫ ବଲ୍ରେ ୧୯ ରନ୍ କରି ରନ୍ ଆଉଟ ହୋଇଯାଇଥିଲେ।

ଏହାପରେ ଲୀନ୍ ବଡ଼ବଡ଼ ଶଟ୍ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ତାଙ୍କୁ ଇନଫର୍ମ ସୂର୍ଯ୍ୟକୁମାର ଯାଦବ ଭରପୂର ସହଯୋଗ କରିଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୭୦ ରନ୍ ମଧ୍ୟ ଯୋଡ଼ିଥିଲେ। କିନ୍ତୁ ଏହି ସମୟରେ କାୟଲ ଜାମିସନ ୩୧ ରନ୍ କରିଥିବା ସୂର୍ଯ୍ୟ କୁମାରଙ୍କୁ ଆଉଟ କରିଦେଥିଲେ।

ଲୀନ୍ ମଧ୍ୟ ୪୯ ରନ୍ କରି ୱାଶିଂଟନ୍ ସୁନ୍ଦରଙ୍କ ଶିକାର ବନିଥିଲେ। ଈଶାନ କିଶନ (୨୮) ଓ ହାର୍ଦ୍ଦିକ ପାଣ୍ଡ୍ୟା(୧୩) ହର୍ଷ ପଟେଲଙ୍କ ବଲରେ ଆଉଟ ହେବାକୁ ଦଳୀୟ ସ୍କୋର ସାମାନ୍ୟ ଧିମା ହୋଇଯାଇଥିଲା। ଏକଦା ୨୦୦ରୁ ଅଧିକ ରନ୍ ସ୍କୋରକୁ ଲକ୍ଷ୍ୟ ରଖିଥିବା ମୁମ୍ବାଇ ୧୬୦ ରନ୍ ଅତିକ୍ରମ କରିବାକୁ ସଂଘର୍ଷ କରିଥିଲା।

କୃନାଲ ପାଣ୍ଡ୍ୟା(୭) ବଡ଼ ଶଟ୍ ଖେଳି ଶେଷ ଓଭର୍ର ପ୍ରଥମ ବଲ୍ରେ ହର୍ଷଲ ପଟେଲଙ୍କ ତୃତୀୟ ଶିକାର ବନିଥିଲେ। ଏହାର ପରବର୍ତ୍ତୀ ବଲ୍ରେ ସେ ବିସ୍ଫୋରକ କାଏରନ ପୋଲାର୍ଡ(୭)ଙ୍କ ୱିକେଟ ନେଇ ମୁମ୍ବାଇକୁ ସଂପୂର୍ଣ୍ଣ ବ୍ୟାକଫୁଟ୍କୁ ଠେଲି ଦେଇଥିଲେ। ସେହି ଓଭର୍ର ୪ର୍ଥ ବଲ୍ରେ ସେ ଡେବ୍ୟୁଟାଣ୍ଟ ମାରକୋ ଜାନ୍ସେନ୍ଙ୍କୁ କ୍ଲିନବୋଲ୍ଡ କରି ପ୍ରଥମଥର ପାଇଁ ଆଇପିଏଲ୍ରେ ୫ ୱିକେଟ ଦଖଲ କରିବାର ଗୌରବ ହାସଲ କରିଥିଲେ। ଶେଷ ବଲ୍ରେ ଯଶପ୍ରୀତ ବୁମ୍ରା ୧ ରନ୍ କରିବାକୁ ମୁମ୍ବାଇ ୯ ୱିକେଟ ହରାଇ ୧୫୯ ରନ୍ କରିଥିଲା।

Comments are closed.