ଆଉ ଦୁଇ ବଲିଉଡ୍ ସେଲିବ୍ରିଟିଙ୍କୁ କରୋନା

ମୁମ୍ବାଇ – କରୋନା ଆକ୍ରାନ୍ତ ବଲିଉଡ୍ ସେଲିବ୍ରିଟିଙ୍କ ତାଲିକା ଲମ୍ବିବାରେ ଲାଗିଛି । ଏହି ତାଲିକାରେ ଏବେ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ ଭୂମି ପେଦ୍ନେକର ସାମିଲ ହୋଇଛନ୍ତି ।

ଭିକି କୌଶଲ ଆଜି ଟ୍ୱିଟ୍ କରି ସେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି । କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ଘରେ କ୍ୱାରେଣ୍ଟାଇନରେ ଅଛନ୍ତି ଓ ସବୁ ପ୍ରୋଟୋକଲ ପାଳନ କରୁଛନ୍ତି । ଗତ କିଛି ଦିନ ମଧ୍ୟରେ ଯେଉଁ ଲୋକମାନେ ତାଙ୍କ ସଂସ୍ପର୍ଶରେ ଆସିଥିଲେ, ସେମାନେ ମଧ୍ୟ ନିଜର କୋଭିଡ୍ ଟେଷ୍ଟ କରାଇବାକୁ ‘ଉରୀ; ଦି ସର୍ଜିକାଲ ଷ୍ଟ୍ରାଇକ’ର ଏହି ଅଭିନେତା ଅନୁରୋଧ କରିଛନ୍ତି ।

ଅଭିନେତ୍ରୀ ଭୂମି ପେଦ୍ନେକର ମଧ୍ୟ କୋଭିଡ୍ ପଜିଟିଭ୍ ହୋଇଛନ୍ତି । ସେ ସଂକ୍ରମିତ ହୋଇଥିବା ବିଷୟରେ ଭୂମି ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି । ସେ ଘରେ ପୃଥକବାସରେ ଅଛନ୍ତି ଓ ତାଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଛି ବୋଲି ସେହିଛନ୍ତି । ନିକଟରେ ତାଙ୍କ ସହ ମିଶିଥିବା ଲୋକଙ୍କୁ ମଧ୍ୟ ନିଜର କୋଭିଡ୍ ଟେଷ୍ଟ କରିବାକୁ ସେ ଅପିଲ କରିଛନ୍ତି ।
ଗତକାଲି ସୁପରଷ୍ଟାର ଅକ୍ଷୟ କୁମାର ଓ ଗୋବିନ୍ଦା କୋଭିଡ୍ ପଜିଟିଭ୍ ହୋଇଥିଲେ । ମହାରାଷ୍ଟ୍ରରେ ଏବେ କୋଭିଡ୍ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି । ଗତ ୨୪ ଘଣ୍ଟାରେ ଏହି ରାଜ୍ୟରେ ରେକର୍ଡ ୫୭ ହଜାରରୁ ଊର୍ଦ୍ଧ୍ୱ ମାମଲା ଆସିଛି । ମାୟା ନଗରୀ ମୁମ୍ବାଇରେ ମଧ୍ୟ ଅବସ୍ଥା ସାଂଘାତିକ ହେବାରେ ଲାଗିଛି । ମୁମ୍ବାଇରେ ଦିନକରେ ୧୧ ହଜାରରୁ ଊର୍ଦ୍ଧ୍ୱ ମାମଲା ଚିହ୍ନଟ କରାଯାଇଛି ।

Comments are closed.