ଆଜିଠାରୁ ଆଇପିଏଲ୍‌ର ୧୪ତମ ସିଜନ, ମୁମ୍ବାଇ-ବାଙ୍ଗାଲୋର ଉଦ୍‌ଘାଟନୀ ମ୍ୟାଚ୍

ଚେନ୍ନାଇ – କରୋନା ପ୍ରକୋପ ମଧ୍ୟରେ ବିଶ୍ୱର ସବୁଠୁ ଲୋକପ୍ରିୟ ତଥା ଧନାଢ଼୍ୟ ଟି୨୦ ଲିଗ୍ ଆଇପିଏଲ୍‌ର ୧୪ତମ ସିଜନ୍ ଆଜିଠାରୁ ଆରମ୍ଭ ହେଉଛି । ଚେନ୍ନାଇର ଏମ୍‌ଏମ ଚିଦାମ୍ବରମ ଷ୍ଟାଡିୟମରେ ହେବାକୁ ଥିବା ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ସହ ହେବ । ଆଇପିଏଲର ସବୁଠୁ ସଫଳ ଅଧିନାୟକ ରୋହିତ ଶର୍ମା ମୁମ୍ବାଇର ନେତୃତ୍ୱ ନେଉଥିବା ବେଳେ ବିରାଟ କୋହଲି ଆର୍‌ସିବିର ଅଧିନାୟକତ୍ୱ ଦାୟିତ୍ୱ ତୁଲାଉଛନ୍ତି ।

ଭାରତରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବ୍ୟାପି ଚାଲିଥିବା ସତ୍ତ୍ୱେ ଆଇପିଏଲ୍‌-୧୪ର ସଫଳ ଆୟୋଜନ ନେଇ ବିସିସିଆଇ ଆଶାବାଦୀ ଅଛି । ଗତଥର କରୋନା କାରଣରୁ ଆଇପିଏଲ୍‌କୁ ୟୁଏଇରେ ଆୟୋଜିତ କରିବାକୁ ପଡିଥିଲା । ଏଥର ଭାରତକୁ ଏହି ଲିଗ୍ ଫେରିଥିଲେ ବି କରୋନା ପ୍ରକୋପ ଦୃଷ୍ଟିରୁ ଟୁର୍ଣ୍ଣାମେଣ୍ଟକୁ ଚଳିତ ଥର କେବଳ ୬ଟି ଭେନ୍ୟୁରେ ସୀମିତ କରାଯାଇଛି । ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ଗୁଡିକ ମୁ୍‌ମ୍ବାଇ, ଅହମ୍ମଦାବାଦ, କୋଲକାତା, ଚେନ୍ନାଇ, ଦିଲ୍ଲୀ ଏବଂ ବେଙ୍ଗାଲୁରୁରେ ଖେଳାଯିବ । ଗତ ସଂସ୍କରଣ ଭଳି ଏଥର ମଧ୍ୟ କୌଣସି ଦଳକୁ ଘରୋଇ ପରିବେଶର ଫାଇଦା ମିଳିବ ନାହିଁ ।
କରୋନା ଦୃଷ୍ଟିରୁ ଗତ ସିଜନ ଭଳି ଏଥର ମଧ୍ୟ ଟୁର୍ଣ୍ଣାମେଣ୍ଟ ବିନା ଦର୍ଶକରେ ଖେଳାଯିବ । ପ୍ରଥମ ପର୍ଯ୍ୟାୟର ୨୦ ମ୍ୟାଚ୍ ଚେନ୍ନାଇ ଓ ମୁମ୍ବାଇରେ ଖେଳାଯିବାକୁ ଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟର ୧୬ ମ୍ୟାଚ୍ ଅହମ୍ମଦାବାଦ ଓ ଦିଲ୍ଲୀରେ ଅନୁଷ୍ଠିତ ହେବ । ଏହାପରେ ଆଉ ୨୦ ମ୍ୟାଚ୍ ବେଙ୍ଗାଲୁରୁ ଏବଂ କୋଲକାତରେ ହେବ । ଫାଇନାଲ ସହ ପ୍ଲେ ଅଫ୍ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ।

କରୋନା ସଂକ୍ରମଣ ଦୃଷ୍ଟିରୁ ସବୁ ଫ୍ରାଞ୍ଚାଇଜ୍‌, ଖେଳାଳି ଓ ଅଧିକାରୀଙ୍କ ପାଇଁ ବିସିସିଆଇ କଡ଼ା କୋଭିଡ୍ ପ୍ରୋଟୋକଲ ଜାରି କରିଛି ।

Comments are closed.