ଆଜି ଚାଷୀଙ୍କ ଦେଶବ୍ୟାପୀ ‘ଚକା ଜାମ୍‌’, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ – କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୁଇ ମାସରୁ ଅଧିକ ଦିନ ଧରି ଦିଲ୍ଳୀର ବିଭିନ୍ନ ସୀମାରେ ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନ ଆଜି ଦେଶବ୍ୟାପୀ ‘ଚକା ଜାମ୍‌’ କରିବେ । ଚାଷୀମାନଙ୍କ ଏହି ‘ଚକା ଜାମ୍‌’ ଡାକରାକୁ କଂଗ୍ରେସ ସମେତ ବହୁ ଦଳ ସମର୍ଥନ କରିଛନ୍ତି । ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ଚାଷୀମାନେ ଦିଲ୍ଲୀ ଛାଡ଼ି ସବୁ ଜାତୀୟ ଓ ରାଜ୍ୟ ରାଜପଥ ଅବରୋଧ କରିବେ ।

ଦିଲ୍ଲୀରେ ‘ଚକା ଜାମ୍‌’ ପାଳନ ହେବ ନାହିଁ ବୋଲି ଚାଷୀମାନେ କହିଥିଲେ ମଧ୍ୟ ପୋଲିସ୍ ରାଜଧାନୀ ନଗରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି । ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାର ଯେଭଳି ପୁନରାବୃତ୍ତି ନ ହୁଏ, ସେଥିପାଇଁ ଦିଲ୍ଲୀରେ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଦିଲ୍ଳୀ ଏନ୍‌ସିଆରରେ ପ୍ରାୟ ୫୦ ହଜାରରୁ ଅଧିକ ପୋଲିସ୍‌, ପାରାମିଲିଟାରୀ ଫୋର୍ସ ଯବାନଙ୍କୁ ମୁତୟନ କରାଯାଇଛି । ଆଜି ୧୨ ମେଟ୍ରୋ ଷ୍ଟେସନ ଗେଟ୍‌କୁ ଆଲର୍ଟରେ ରଖାଯାଇଛି ।
ଚାଷୀମାନେ କହିଛନ୍ତି ଯେ, ଦିଲ୍ଲୀ ସମେତ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଚକା ଜାମ୍ କରାଯିବ ନାହିଁ । କିନ୍ତୁ ଦେଶର ଅନ୍ୟସବୁ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ତିନି ଘଣ୍ଟା ଜାତୀୟ ରାଜପଥ ଅବରୋଧ କରାଯିବ । ‘ଚକା ଜାମ୍‌’କୁ ସଫଳ କରିବା ପାଇଁ କୃଷକ ନେତା ସରୱନ ସିଂହ ସବୁ ଚାଷୀମାନଙ୍କୁ ଅପିଲ କରିଛନ୍ତି ।

Comments are closed.