ଆନ୍ଧ୍ରରେ କୋରୋନାର ନୂଆ ଭୂତାଣୁ : ତେଲେଙ୍ଗାନା ଓ ଆନ୍ଧ୍ରରୁ ଆସୁଥିବା ଲୋକଙ୍କ ପାଇଁ ୧୪ ଦିନିଆ ସଂଗରୋଧ ବାଧ୍ୟତାମୂଳକ

ଭୁବନେଶ୍ୱର- କୋରୋନାର ଦ୍ୱିତୀୟ ପ୍ରବାହ ଅଧିକ ମାରାତ୍ମକ ହେଉଥିବା ବେଳେ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ଭୂତାଣୁ ଅଧିକ ଘାତକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ଏହା ବର୍ତ୍ତମାନ ପାଇଁ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଗଞ୍ଜାମ, ରାୟଗଡା, ଗଜପତି, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଭଳି ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆନ୍ଧ୍ରକୁ ଲାଗିଥିବା ସୀମାନ୍ତ ଅଂଚଳରେ କଟକଣା କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏ ନେଇ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଆନ୍ଧ୍ର ଓ ତେଲେଙ୍ଗାନାରୁ ଏଣିକି କୌଣସି ବ୍ୟକ୍ତି ବିମାନ, ରେଳ ଓ ସଡକ ପଥରେ ଓଡିଶା ଆସିଲେ, ତାଙ୍କୁ ୧୪ ଦିନିଆ ସରକାରୀ ସଂଗରୋଧରେ ରହିବା ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ବ୍ୟବସ୍ଥା କରିବାକୁ ଏସଆରସି ପ୍ରଦୀପ ଜେନା ଦର୍ଶାଇଛନ୍ତି ।

ଆନ୍ଧ୍ର ଓ ତେଲେଙ୍ଗାନାରୁ ଆସୁଥିବା ଯାତ୍ରୀମାନେ ଦୁଇ ଡୋଜ୍ କୋରୋନା ଟିକା ନେଇଥିଲେ କିମ୍ବା ୪୮ ଘଂଟା ମଧ୍ୟରେ କୋରୋନା ନେଗେଟିଭ ଥିବେ, ତାହା ହେଲେ ସେମାନଙ୍କୁ ୭ ଦିନିଆ ସଂଗରୋଧରେ ରହିବାକୁ ହେବ । ନିଜ ଅଂଚଳକୁ ଯଦି କେହି ଆନ୍ଧ୍ର କିମ୍ବା ତେଲେଙ୍ଗାନାରୁ ଆସୁଛନ୍ତି, ତାହା ହେଲେ ସେମାନଙ୍କୁ ସଙ୍ଗରୋଧରେ ରହିବା ଲାଗି ଜନପ୍ରତିନିଧିମାନେ ପ୍ରବର୍ତ୍ତାଇବେ । ନ ହେଲେ ଥାନା ଓ ବିଡିଓଙ୍କୁ ଅବଗତ କରିବେ ।

Comments are closed.