ଆନ୍ଧ୍ର ପ୍ରଦେଶ: ଅକ୍ସିଜେନ୍ ଅଭାବରୁ ୧୧ କୋଭିଡ୍ ରୋଗୀଙ୍କ ମୃତ୍ୟୁ

ତିରୁପତି: ଅକ୍ସିଜେନ ନ ପାଇ ପୁଣି କୋଭିଡ୍ ରୋଗୀଙ୍କ ଜୀବନ ଯାଇଛି । ଅକ୍ସିଜେନ୍ ଯୋଗାଣରେ ବିଳମ୍ବ ଯୋଗୁଁ ଆଇସିୟୁରେ ଥିବା ୧୧ ଜଣ କୋଭିଡ୍ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ସୋମବାର ବିଳମ୍ବିତ ରାତିରେ ଆନ୍ଧ୍ର ପ୍ରଦେଶ ତିରୁପତିର ଏକ ସରକାରୀ ହସ୍ପିଟାଲରେ ଘଟିଛି ।

ଅକ୍ସିଜେନ ପ୍ରେସର କମି ଆସିବାରୁ ଏସ୍‌ଭିଆର ରୁଇଆ ହସ୍ପିଟାଲରେ ଛଟପଟ ହୋଇ ୧୧ ଜଣ ଗୁରୁତର କୋଭିଡ୍ ରୋଗୀ ପ୍ରାଣ ହରାଇଥିଲେ । ମୃତ ରୋଗୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ପ୍ରାୟ ୨୪-୨୫ ମିନିଟ୍ ଧରି ଅକ୍ସିଜେନ୍ ଯୋଗାଣ ବନ୍ଦ ହୋଇଯାଇଥିଲା । ତେବେ ଚିତୁର ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି ଯେ, ଅକ୍ସିଜେନ୍ ସିଲିଣ୍ଡର ଭର୍ତ୍ତି କରିବା ପାଇଁ ପାଞ୍ଚ ମିନିଟ୍ ସମୟ ଲାଗିଥିଲା । ଏତିକି ବେଳେ ପ୍ରେସର କମ୍ ହୋଇଯିବାରୁ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ସେ କହିଛନ୍ତି ଯେ, ତାମିଲନାଡୁର ଶ୍ରୀପେରୁମ୍ବଦୁରରୁ ଅକ୍ସିଜେନ ଟ୍ୟାଙ୍କର୍ ଆସିବାରେ ବିଳମ୍ବ ହେବାରୁ ଏଭଳି ଅଘଟଣ ଘଟିଛି । ଏବେ ଏସ୍‌ଭିଆର ରୁଇଆ ହସ୍ପିଟାଲକୁ ଅକ୍ସିଜେନ ଯୋଗାଣ ସ୍ୱାଭାବିକ ହୋଇଛି ବୋଲି ସେ କହିଛନ୍ତି ।

ଆନ୍ଧ ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡୀ ଏହି ଘଟଣା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ରବିବାର ପଡ଼ୋଶୀ ରାଜ୍ୟ ତେଲେଙ୍ଗାନାରେ ମଧ୍ୟ ଅକ୍ସିଜେନ୍ ଯୋଗାଣ ବିଳମ୍ବରୁ ଏକ ସରକାରୀ ହସ୍ପିଟାଲରେ ୩ କୋଭିଡ୍ ରୋଗୀଙ୍କ ମୃତ୍ୟୁ ହୋଇଥିବା ଖବର ଆସିଥିଲା । ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ଏହି ଖବରକୁ ଖଣ୍ଡନ କରିଥିଲେ ।

Comments are closed.