ଆମେରିକା ସଂସଦ ବାହାରେ ପୁଣି ଆତଙ୍କ, କାର୍ ଧକ୍କାରେ ପୋଲିସ କର୍ମଚାରୀ ମୃତ, ପୋଲିସ ଗୁଳିରେ କାର୍ ଡ୍ରାଇଭର ନିହତ

ଓ୍ୱାଶିଂଟନ – ଆମେରିକାର କ୍ୟାପିଟଲ ହିଲ କ୍ୟାମ୍ପସରେ ଶୁକ୍ରବାର ଅପରାହ୍ନରେ ଏକ କାର ବ୍ୟାରିକେଡ ଭାଙ୍ଗି ଦୁଇ ପୋଲିସ କର୍ମଚାରୀଙ୍କୁ ଧକ୍କା ଦେଇଛି । ଏହି ଘଟଣାରେ ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ପୋଲିସ ଗୁଳିରେ କାର ଡ୍ରାଇଭର ମଧ୍ୟ ଆହତ ହୋଇଥିବା ବେଳେ ପରେ ତାଙ୍କର ମୃତ୍ୟୁ ଘଟିଛି।

ଏହି ଘଟଣା କ୍ୟାପିଟଲ ନିକଟରେ ଥିବା ଏକ ଚେକ୍ ପୋଷ୍ଟରେ ଘଟିଥିବା କୁହାଯାଇଛି। ଆମେରିକାର କ୍ୟାପିଟାଲ (ସଂସଦ ଗୃହ) ବାହାରେ ବ୍ୟାରିକେଡକୁ ଧକ୍କା ଦେବା ପରେ କାରର ଡ୍ରାଇଭର ଛୁରୀ ଧରି ବାହାରକୁ ଆସିଥିଲେ । ପୋଲିସ କର୍ମଚାରୀମାନେ ତାଙ୍କୁ ଗୁଳି କରିଥିଲେ। ଏହି ଘଟଣାରେ କ୍ୟାପିଟଲ ପୋଲିସର ଦୁଇଜଣ ଅଧିକାରୀ ମଧ୍ୟ ଆହତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି ।

କ୍ୟାପିଟଲ ପୋଲିସ କହିଛି ଯେ ସିନେଟ ପାର୍ଶ୍ୱ ବିଲଡିଂର ପ୍ରବେଶ ପଥଠାରୁ ୯୦ ମିଟର ଦୂରରେ ଥିବା କ୍ୟାପିଟାଲ ନିକଟରେ ଥିବା ଚେକପଏଣ୍ଟ ନିକଟରେ ଏହି ଘଟଣା ଘଟିଛି। ବର୍ତ୍ତମାନ କଂଗ୍ରେସ (ସଂସଦ)ର ଛୁଟି ଚାଲିଛି। ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମର୍ଥକଙ୍କ କ୍ୟାପିଟାଲ ଉପରେ ଆକ୍ରମଣର ପ୍ରାୟ ତିନି ମାସ ପରେ ଏହି ଘଟଣା ଘଟିଛି । ନାମ ଗୋପନ ରଖିବା ସର୍ତ୍ତରେ ଅଧିକାରୀମାନେ କହିଛନ୍ତି ଯେ ସନ୍ଦିଗ୍ଧ କାର ଡ୍ରାଇଭର ହାତରେ ଛୁରୀ ଧରି ଦୁଇ ଅଧିକାରୀଙ୍କ ଆଡକୁ ଦୌଡ଼ିବା ଆରମ୍ଭ କରିଥିଲେ।

ସେ ଜଣେ ପୋଲିସ କର୍ମଚାରୀଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଅଧିକାରୀମାନେ ତାଙ୍କୁ ଗୁଳି କରିଥିଲେ। ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ମୃତ ଅଧିକାରୀ କିମ୍ବା ସନ୍ଦିଗ୍ଧ କାର ଡ୍ରାଇଭରଙ୍କ ପରିଚୟ ପ୍ରକାଶ କରିନାହାଁନ୍ତି। ଏହି ଘଟଣା ଆତଙ୍କବାଦ ସହ ଜଡିତ ନୁହେଁ କିମ୍ବା ଜାନୁଆରୀ ୬ର ହିଂସା ସହିତ ଏହାର ସମ୍ପର୍କ ରହିଥିବା ପ୍ରମାଣ ନାହିଁ ବୋଲି ପୋଲିସ କହିଛି ।

ଏହି ଘଟଣା ପରେ କ୍ୟାପିଟାଲ ପରିସରକୁ ଲକଡାଉନ୍ ​​କରାଯାଇଥିଲା ଏବଂ କର୍ମଚାରୀଙ୍କୁ ବାହାରକୁ କିମ୍ବା ଭିତରକୁ ଯିବାକୁ ବାରଣ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଜାନୁଆରୀ ୬ର ହିଂସା ପରେ କ୍ୟାପିଟାଲରେ ଚଳପ୍ରଚଳ ସ୍ବାଭାବିକ ହୋଇଥିବାରୁ ନିକଟରେ ଯାନବାହାନ ଚଳାଚଳ ବନ୍ଦ କରିବା ପାଇଁ ସ୍ଥାପିତ ହୋଇଥିବା ଫେନସିଂକୁ ହଟାଇ ଦିଆଯାଇଥିଲା ।

Comments are closed.