ଆମେରିକା ସଂସଦ ହିଂସାକାଣ୍ଡକୁ ମୋଦିଙ୍କ ସମେତ ବିଶ୍ୱ ନେତାଙ୍କ ନିନ୍ଦା

ନୂଆଦିଲ୍ଲୀ – ଆମେରିକାର ସଂସଦ ଭବନ ପରିସରରେ ଘଟିଥିବା ହିଂସାକାଣ୍ଡକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନେକ ବିଶ୍ୱ ନେତା ନିନ୍ଦା କରିଛନ୍ତି । ଏହା ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ସେମାନେ କହିଛନ୍ତି । ଆଉ କିଛି ନେତା ଏହି ଘଟଣା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

ବିଶ୍ୱର ସବୁଠୁ ପୁରାତନ ଗଣତନ୍ତ୍ରରେ ଘଟିଥିବା ଏଭଳି ଘଟଣାରେ ମୋଦି ଚିନ୍ତା ବ୍ୟକ୍ତ କରିଛନ୍ତି । ମୋଦି ଟ୍ୱିଟ୍ କରି କହିଛନ୍ତି, ୱାଶିଂଟନ ଡିସିରେ ଘଟିଥିବା ହିଂସା ଓ ଦଙ୍ଗା ଘଟଣାରେ ସେ ଚିନ୍ତିତ । ବ୍ୟବସ୍ଥା ପ୍ରକାରେ ଏବଂ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଜାରି ରହିବା ଉଚିତ । ବେଆଇନ ବିକ୍ଷୋଭ ଜରିଆରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଅନୁମତି ଦିଆଯାଇ ପାରିବ ନାହିଁ ।

ଜାତିସଂଘ ମହାସଚିବ ଏଣ୍ଟୋନିଓ ଗୁତାରେସଙ୍କ ପ୍ରବକ୍ତା ଷ୍ଟିଫେନ୍ ଦୁଜାରିକ ମଧ୍ୟ କ୍ୟାପିଟଲ ହିଲ ହିଂସାକାଣ୍ଡକୁ ସମାଲୋଚନା କରିଛନ୍ତି । ୱାଶିଂଟନ ଡିସି ଓ କ୍ୟାପିଟଲ ହିଲରେ ଘଟିଥିବା ଘଟଣାରେ ସେ ଅତ୍ୟନ୍ତ ଦୁଃଖିତ । ରାଜନେତାମାନେ ନିଜ ସମର୍ଥକଙ୍କୁ ହିଂସାରୁ ଦୂରେଇ ରଖି ଗଣତାନ୍ତ୍ରିକ ପ୍ରକ୍ରିୟା ଓ ଶାସନ ବ୍ୟବସ୍ଥାରେ ଭରସା ରଖିବା ପାଇଁ ମନାଇବା ଉଚିତ ବୋଲି ସେ କହିଛନ୍ତି । ସେହିପରି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କହିଛନ୍ତି – ଆମେରିକା ସଂସଦରେ ଅଶୋଭନୀୟ ଘଟଣା ଦେଖିବାକୁ ମିଳିଛି । ବିଶ୍ୱବ୍ୟାପୀ ଗଣତନ୍ତ୍ରର ସୁରକ୍ଷା ପାଇଁ ଆମେରିକା ସର୍ବଦା ଉଦ୍ୟମ କରିଆସିଛି । ଆମେରିକାରେ ବିଧିପୂର୍ବକ ଓ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର ହେବା ଉଚିତ ।

Comments are closed.