ଆମେ ମାନିବୁ ନବୀନଙ୍କ ପରାମର୍ଶ

ଗୋଟିଏ ପଟେ ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀ (୧୮ ବର୍ଷ ବୟସରୁ ଅଧିକ)ଙ୍କୁ ମାଗଣାରେ ଟିକା ଯୋଗାଇଦେବେ ବୋଲି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଥିଲେ। ଆଉ ସେହି ସମୟରେ ବି ହାତଯୋଡି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଥିଲେ ଯେ- କରୋନା କଟକଣାକୁ ସମସ୍ତେ ପାଳନ କରନ୍ତୁ । ସମସ୍ତେ ନିଜ ଦାୟିତ୍ବ ତୁଲାଇବା ଦରକାର । ଗତବର୍ଷ ଆମେ ସମସ୍ତେ ମିଶି କୋଭିଡ୍ ମୁକାବିଲା କରିଥିଲେ । ଏଥିଯୋଗୁଁ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରାଯାଇ ପାରିଛି । ଗତବର୍ଷ ଠାରୁ ଏବର୍ଷର ସ୍ଥିତି ଅତ୍ୟନ୍ତ ଭୟଙ୍କର । ସରକାର ସବୁ ବ୍ୟବସ୍ଥା କରୁଛନ୍ତି । କିନ୍ତୁ ଯଦି ଆମେ ସତର୍କ ନହେବା, ତେବେ ସରକାର ଏକାକୀ ଏ ପରିସ୍ଥିତିର ମୁକାବିଲା କରିପାରିବେ ନାହିଁ । ସମସ୍ତଙ୍କୁ ଅନୁରୋଧ, ପରିସ୍ଥିତିର ଗମ୍ଭୀରତାକୁ ବୁଝନ୍ତୁ । ଅର୍ଥନୀତି ସହ ଜୀବନ ରକ୍ଷା ମଧ୍ୟ ଗୁରୁତ୍ବପୂର୍ଣ୍ଣ । ଆମେ ଯଦି ସତର୍କ ରହିବା ସହ ସବୁ ନିୟମ, କଟକଣା ମାନିବା ବିନା ଲକଡାଉନରେ କୋଭିଡ୍ ଯୁଦ୍ଧ ଜିତିପାରିବା।

ମୁଖ୍ୟମନ୍ତ୍ରୀଙ୍କ ଏହି ଦମ୍ଭୋକ୍ତି ଅଥଚ ବିନମ୍ର ନିବେଦନ ରାଜ୍ୟବାସୀଙ୍କୁ କୋଭିଡ୍- ୧୯ ମୁକାବିଲା ପାଇଁ ଅଧିକ ବଳ ଯୋଗାଇଛି। ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନରୁ ପ୍ରେରଣା ପାଇଛନ୍ତି ତାଙ୍କ ନିଜ ଜିଲ୍ଲା ଗଞ୍ଜାମର ବିଭିନ୍ନ ଅଞ୍ଚଳର ବାସିନ୍ଦା, ବିଶେଷ କରି ବ୍ୟବସାୟୀ ଗୋଷ୍ଠୀ । ଯେତେବେଳେ କରୋନା ସଙ୍କଟ ଅଧିକ ଗମ୍ଭୀର ହେଉଛି, ଯେବେ ଜୀବନ ରକ୍ଷା ସହ ଜୀବିକା ବା ପେଟପାଟଣାର ପ୍ରଶ୍ନ ସମସ୍ତଙ୍କୁ ବ୍ୟଥିତ କରୁଛି, ସେତେବେଳେ ଉଭୟ ମଧ୍ୟରେ ସନ୍ତୁଳନ ରକ୍ଷା ସହ ନିଜ ପରିବାରର ମୁଖିଆ ତଥା ରାଜ୍ୟର ସର୍ବମାନ୍ୟ ନେତାଙ୍କ ମାର୍ଗଦର୍ଶନକୁ ପାଳିବାକୁ ଆଗେଇ ଆସିଛନ୍ତି ଆସିକା, ଖଲିକୋଟ, ହିଞ୍ଜିଳିକାଟୁ, ବ୍ରହ୍ମପୁର, ଗୋପାଳପୁର, ବୁଗୁଡା, କବିସୂର୍ଯ୍ୟନଗର, ଦିଗପହଣ୍ଡି ଆଦି ଅଞ୍ଚଳର ବେପାରୀ। ନିଜ ଆଡୁ ନିଷ୍ପତ୍ତି ନେଇଛନ୍ତି ଯେ- ସଟଡାଉନକୁ ଅଧିକ ଗ୍ରହଣୀୟ କରିବେ। ଦୋକାନ ଖୋଲିବା ତଥା ବ୍ୟବସାୟ ସମୟ କମାଇବେ । ଯାହାଦ୍ୱାରା ଲୋକେ ଆଉ ସଉଦା ଆଳରେ ବାହାରେ ବୁଲିବେନି । ବଜାରରେ ଗହଳି ହେବନି କି ସଂକ୍ରମଣ ଆଶଙ୍କା ଚିନ୍ତା ବଢ଼ାଇବନି ।

ସମଗ୍ର ରାଜ୍ୟର ସବୁ ସହରାଞ୍ଚଳରେ ଚଳିତ ମାସର ପ୍ରଥମ ସପ୍ତାହାନ୍ତ ସଟଡାଉନ୍ ସୁରୁଖୁରୁରେ କାର୍ଯ୍ୟକାରୀ ହୋଇଥିଲା । ଉଲ୍ଲେଖନୀୟ ଭାବେ ଗଞ୍ଜାମ ଜିଲ୍ଲାର ସବୁଠି ଏହାର ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିଥିଲା । ଦୋକାନ ବଜାର ସବୁ ବନ୍ଦ ଥିଲା, ରାସ୍ତାଘାଟ ଥିଲା ଶୂନ୍‌ଶାନ । ତେବେ ଏହାର ସଫଳ ପ୍ରଭାବରୁ ପ୍ରେରଣା ପାଇଁ ପ୍ରଥମେ ଆସିକା ଚାମ୍ବର ଅଫ କମର୍ସ ତରଫରୁ ନିଜ ଆଡୁ ଜିଲ୍ଲା ପ୍ରଶାସନକୁ ଏକ ପ୍ରସ୍ତାବ ଦିଆଗଲା ଯେ ପରବର୍ତ୍ତୀ ଏକ ସପ୍ତାହ ଅର୍ଥାତ ଅନ୍ତତଃ ମେ ୨ ତାରିଖ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରଖାଯିବ । ଦୈନିକ ପୂର୍ବାହ୍ନରେ କେବଳ ୩ ଘଣ୍ଟା ପରିବା ଦୋକାନ ଖୋଲିବ । ସମସ୍ତ ଜରୁରୀକାଳୀନ ସେବା କାର୍ଯ୍ୟ କରିବ ବୋଲି ପ୍ରସ୍ତାବ ରହିଥିଲା । ଲୋକଙ୍କ ଆବଶ୍ୟକତା ପୂରଣ ସକାଶେ ମଧ୍ୟ ଅତ୍ୟାବଶ୍ୟକୀୟ ସାମଗୀ ଅନଲାଇନ୍ ଜରିଆରେ ହୋମ୍ ଡେଲିଭରୀ ପାଇଁ ୧୩ଟି ବ୍ୟବସାୟ ପ୍ରତିଷ୍ଠାନକୁ ଅନୁମତି ଦିଆଯାଇଥିବା କହିଛନ୍ତି ଆସିକା ବଣିକ ସଂଘ ସଭାପତି ରାମରଞ୍ଜନ ଶର୍ମା।

ପ୍ରଶାସନ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି କରିଥିଲେ ହେଁ ବ୍ୟବସାୟୀ ସଙ୍ଗଠନ ନିଜ ଆଡୁ ଅଧିକ ସମୟ ଦୋକାନ ବଜାର ବନ୍ଦ ରଖି ଗହଳି ବା ଲୋକଙ୍କ ଚଳପ୍ରଚଳ ହ୍ରାସ ପାଇଁ ଆଗେଇ ଆସିଥିଲେ । ହିଞ୍ଜିଳିକାଟୁ ପୌରାଞ୍ଚଳ ଲକ୍ଷ୍ମୀ ନୃସିଂହ ବଣିକ ସଂଘ ପକ୍ଷରୁ ଏପ୍ରିଲ ୧୬ରୁ ମେ ୨ ପର୍ଯ୍ୟନ୍ତ ଦୋକାନ ବଜାର ଅଧିକ ସମୟ ବନ୍ଦ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଥିଲା । ସହରର ପନିପରିବା, ରାସନ୍ ସାମଗ୍ରୀ, କ୍ଷୀର ଓ ଫଳ ଦୋକାନ ସକାଳୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ଖୋଲିବ ବୋଲି ସୂଚାଇଛନ୍ତି ବଣିକ ସଂଘ ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକ । ସେହିପରି ଖଲିକୋଟ, ଗୋପାଳପୁର ଆଦି ସ୍ଥାନରେ ପ୍ରଶାସନ ସହଯୋଗରେ ଏଭଳି ନିଷ୍ପତ୍ତି ନିଆଯାଇ ଥିଲା । ଖଲିକୋଟରେ ସକାଳ ୭ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ହିଁ ଦୋକାନ ଖୋଲୁଛି। ଫାଷ୍ଟ ଫୁଡ, ଲସି ଓ ମୃଦୁ ପାନୀୟ ଦୋକାନ, ଗୁପଚୁପ ବିକ୍ରୀ ଆଦି ସମ୍ପୂର୍ଣ୍ଣ ବନ୍ଦ ରହୁଛି। ଗୋପାଳପୁରର ବରିଷ୍ଠ ବୁଦ୍ଧିଜୀବୀ ପଞ୍ଚୁ ବେହେରା ଓ ମେହସୁଦ ନିଶାନ ଜଣାଇଛନ୍ତି ଯେ ବୁଧବାରରୁ ଏହି ବେଳାଭୂମି ସହରରେ ସକାଳ ୭ଟାରୁ ୧୧ଟା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଦୋକାନ ବଜାର କୋଭିଡ୍ ନିୟମ ମାନି ଖୋଲାଯିବ । ନିୟମ ଅବମାନନା କଲେ ପ୍ରଶାସନ ଯାହା ନିଷ୍ପତ୍ତି ନେବ, ତାହା ସମସ୍ତେ ମାନିବେ। ଦିଗପହଣ୍ଡିରେ ବି ଦୋକାନୀ ଓ ପ୍ରଶାସନ ମିଳିତ ବୈଠକରେ ସପ୍ତାହକ ପାଇଁ ସୀମିତ ସମୟ ସକାଶେ ଦୋକାନ ଖୋଲିବାକୁ ସହମତି ହୋଇଛି।

ବ୍ରହ୍ମପୁରର ବ୍ୟବସାୟୀ ମଧ୍ୟ ପଛୁଆ ନାହାନ୍ତି । ଗ୍ରାହକ ଗହଳି କମାଇବା ପାଇଁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ହିଁ କାରବାର କରିବାକୁ ସ୍ଥିର କରିଛି ବଡ଼ବଜାର ଦେଶୀବେହେରା ସାହି ବ୍ୟବସାୟୀ ସଂଘ । ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ସାହୁଙ୍କ କହିବା ପ୍ରକାରେ ଜୀବନକୁ ଦେଖିଲେ ଜୀବିକା ହରାଇବାକୁ ପଡୁଛି । ଭିଡ ହ୍ରାସ ସକାଶେ ସକାଳୁ ଦେଶୀବେହେରା ସାହିରେ କାରବାର ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ । ଆଉ ଘଣ୍ଟାଏ ଦୋକାନ ବନ୍ଦ କରିବା ପାଇଁ ଦୋକାନୀଙ୍କୁ ସମୟ ଦିଆଯାଇଛି । ସମସ୍ତଙ୍କ ସୁରକ୍ଷା ପାଇଁ ସଂଘ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଛନ୍ତି । ସେହିଭଳି ବ୍ରହ୍ମପୁର ହାର୍ଡୱେର ମର୍ଚ୍ଚାଣ୍ଟ ଆସୋସିଏସନ୍ ଅନଲାଇନ୍ ବୈଠକରେ ନିଷ୍ପତ୍ତି ନେଇଥିଲେ ଯେ- ସହରରେ ମେ ୨ ତାରିଖ ପର୍ଯ୍ୟନ୍ତ ସଂଘ ସହ ପଞ୍ଜିକୃତ ସମସ୍ତ ହାର୍ଡୱେର ଦୋକାନ ବନ୍ଦ ରଖାଯିବ । କରୋନା ସଂକ୍ରମଣ ରୋକିବାକୁ ବ୍ୟବସାୟୀଙ୍କ ଏହା ଏକ ପ୍ରୟାସ ବୋଲି କହିଛନ୍ତି ସମ୍ପାଦକ ଜାମୁଲା ସୁରେଶ ।

ଭଞ୍ଜନଗର ସହରର ବଣିକ ସଂଘ ଓ ଏନ୍ଏସି କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନାରେ ସହମତି ପ୍ରକାଶ ପାଇଛି ଯେ ଗୁରୁବାର ଠାରୁ ସକାଳ ୬ଟାରୁ ଅପରାହ୍ନ ୩ଟା ଯାଏଁ ହିଁ ଦୋକାନ ବଜାର ଖୋଲା ରହିବ। ବାକି ୧୫ ଘଣ୍ଟା ସହରରେ ସଟଡାଉନ୍ ପାଳିବେ ବେପାରୀ।

ଜିଲ୍ଲାର ଅନ୍ୟ ଅଞ୍ଚଳର ବ୍ୟବସାୟୀ ସଂଘ ମଧ୍ୟ ଏ ଦିଗରେ ଆଗେଇ ଆସୁଥିବା ଜଣାଯାଇଛି । ଗଞ୍ଜାମ ଓ ଛତ୍ରପୁର ସହରରେ ଅପରାହ୍ନରେ ଦୋକାନ ବନ୍ଦ ରଖିବାକୁ ସ୍ବତଃପ୍ରବୃତ୍ତ ନିଷ୍ପତ୍ତି ନେଇଛନ୍ତି ବ୍ୟବସାୟୀ । ବୁଗୁଡ଼ା ବଣିକ ସଂଘ, ଚାମ୍ବର୍ ଅଫ୍ କମର୍ସ, ଗଣେଶ ମାର୍କେଟ, ପରିବା ବ୍ୟବସାୟୀ ସଂଘ ଆଦି ବିଭିନ୍ନ ବ୍ୟବସାୟିକ ସଂଘର ପ୍ରସ୍ତାବକୁ ପ୍ରଶାସନ ଗ୍ରହଣ କରିଛି । ବୁଧବାରରୁ ବୁଗୁଡ଼ାର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ସକାଳ ୫ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ । ମେ ୧୫ ତାରିଖ ପର୍ଯ୍ୟନ୍ତ ଏହା ଲାଗୁ ରହିବ । ସେହିପରି ମେ ୨ ତାରିଖ ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି କବିସୂର୍ଯ୍ୟନଗରସ୍ଥିତ ମହାମାୟୀ ବଣିକ ସଂଘ ସଭାପତି ଗଣେଶ ମହାନ୍ତି ସୂଚାଇଛନ୍ତି । ବ୍ୟବସାୟୀଙ୍କ ସମେତ ଲୋକଙ୍କ ସୁରକ୍ଷା ଏବଂ କରୋନା ସଂକ୍ରମଣ ରୋକିବା ପାଇଁ ବଣିକ ସଂଘ ଆଗେଇ ଆସିଥିବା ସେ କହିଛନ୍ତି ।

ମୋଟାମୋଟି ଭାବେ ଏହା କୁହାଯାଇପାରେ କି ଜୀବନ ରହିଲେ ହିଁ ଜୀବିକା ସମ୍ଭବ ହୋଇପାରିବ । ତେବେ ପେଟରେ ଭୋକ ଥିଲେ ବି କାଳ କାଟିବା ସହଜ ନୁହେଁ। ତେଣୁ ଜୀବନ ଓ ଜୀବିକା ମଧ୍ୟରେ ସନ୍ତୁଳନ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକ୍ରମେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବ୍ୟବସାୟୀଙ୍କ ଏଭଳି ପଦକ୍ଷେପ ସ୍ବାଗତଯୋଗ୍ୟ। ବେପାରୀଙ୍କ ମଧ୍ୟରେ ତ ସଚେତନତା ବୃଦ୍ଧି ପାଇଛି, ଏବେ ଜନସାଧାରଣ ନିଜ ଆଡୁ ସଜାଗ ରୁହନ୍ତୁ ବୋଲି ଆଶା କରିବା କଥା । ଏଭଳି ନିଷ୍ପତ୍ତିକୁ ଜିଲ୍ଲା ପ୍ରଶାସନ ମଧ୍ୟ ସ୍ବାଗତ କରିଛି । ସାରା ଜିଲ୍ଲାରେ ଏହା ଅନୁକରଣୀୟ ହେଉ ବୋଲି ବାର୍ତ୍ତା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଗଞ୍ଜାମ ଜିଲ୍ଲାରେ ବ୍ୟବସାୟୀଙ୍କ ଏଭଳି ପଦକ୍ଷେପ ଏବେ ରାଜ୍ୟର ଅନ୍ୟ ଅଞ୍ଚଳର ବେପାରୀଙ୍କୁ ପ୍ରଭାବିତ କରିଛି । କନ୍ଧମାଳ ଜିଲ୍ଲା ଜି.ଉଦୟଗିରିର ବେପାରୀ ସଂଘ ମଧ୍ୟ ଏଭଳି ନିଷ୍ପତ୍ତି ନେଇଛନ୍ତି । ଗଞ୍ଜାମ ଜିଲ୍ଲା ପୂର୍ବରୁ ମଧ୍ୟ କୋଭିଡ୍ ମୁକାବିଲା କ୍ଷେତ୍ରରେ ସାରା ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଥିଲା । ଆଉ ଏବେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକୁ ସାକାର କରିବାକୁ ଗଞ୍ଜାମର ବେପାରୀଙ୍କ ଏଭଳି ପଦକ୍ଷେପ ମହାମାରୀ ବିରୋଧୀ ଲଢେଇକୁ ଅଧିକ ତେଜୀୟାନ୍ କରିବ, ସେଥିରେ କୌଣସି ସନ୍ଦେହ ନାହିଁ ।

Comments are closed.