ଆରୋପ-ପ୍ରତ୍ୟାରୋପ ପରେ ମିଳିତ ବିବୃତି ଜାରି କଲେ ଭାରତ ବାୟୋଟେକ ଓ ସେରମ୍‌: ଟିକା ବିତରଣ ସୁଗମ କରିବାକୁ ସଂକଳ୍ପ ନେଲେ

ନୂଆଦିଲ୍ଲୀ – ପରସ୍ପରର ଟିକା ନେଇ ଆରୋପ-ପ୍ରତ୍ୟାରୋପ ପରେ ଭାରତର ଦୁଇ ବଡ଼ ଟିକା ଉତ୍ପାଦନକାରୀ କମ୍ପାନୀ ଭାରତ ବାୟୋଟେକ୍ ଓ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆଜି ଏକ ମିଳିତ ବିବୃତି ଜାରି କରି ଲୋକଙ୍କ ଜୀବନ ବଞ୍ଚାଇବା ସେମାନଙ୍କ ପ୍ରାଥମିକତା ବୋଲି କହିଛନ୍ତି ।

ଭାରତ ବାୟୋଟେକ୍ ଏମ୍‌ଡି କ୍ରିଷ୍ଣା ଏଲ୍ଲା ଓ ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଆଦର ପୁନାୱାଲାଙ୍କ ଏହି ମିଳିତ ପ୍ରେସ୍ ବିବୃତିରେ ଉଭୟ କମ୍ପାନୀ ଭାରତରେ କୋଭିଡ୍ -୧୯ ଟିକାର ପ୍ରସ୍ତୁତି, ଉତ୍ପାଦନ ଓ ସୁଗମ ବିତରଣ ନେଇ ସେମାନେ ଏକାଠି ଉଦ୍ୟମ କରିବେ ବୋଲି କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ ଉଭୟ ସେରମର ‘କୋଭିସିଲ୍ଡ’ ଓ ଭାରତ ବାୟୋଟେକର ‘କୋଭାକ୍ସିନ’କୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ତେବେ ଡିସିଜିଆଇଙ୍କ ଠାରୁ ଚୂଡ଼ାନ୍ତ ଅନୁମତି ମିଳିବାର ଦିନକ ପରେ ସେରମ୍ ଓ ଭାରତ ବାୟୋଟେକ୍ ସାଧାରଣରେ ପରସ୍ପରର ଟିକା ନେଇ ପ୍ରଶ୍ନ ଉଠାଇଥିଲେ ।

ସେରମ୍ ସିଇଓ ପୁନାୱାଲା କହିଥିଲେ ଯେ, କରୋନା ବିରୋଧରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା, ଫାଇଜର ଓ ମଡେର୍ଣ୍ଣା ଟିକା ହିଁ ପ୍ରଭାବୀ । ବାକିସବୁ ଟିକା କେବଳ ପାଣି ଭଳି ନିରାପଦ ବୋଲି କହି ଭାରତ ବାୟୋଟେକର ‘କୋଭାକ୍ସିନ’ ଟିକାକୁ ତାଚ୍ଛଲ୍ୟ କରିଥିଲେ । ଅନ୍ୟପଟେ ପୁନାୱାଲାଙ୍କ ନାମ ନ ନେଇ ଭାରତ ବାୟୋଟେକ୍ ପରିଚାଳନା ନିର୍ଦ୍ଦେଶକ ଏଲ୍ଲା କହିଥିଲେ ଯେ, ପାଶ୍ୱର୍ ପ୍ରତିକ୍ରିୟା ତ୍ରୁଟିକୁ ଲୁଚାଇବା ପାଇଁ ଟ୍ରାଏଲ୍ ବେଳେ ଆଷ୍ଟ୍ରାଜେନେକା ଏହାର ଟିକାରେ ପାରାସିଟାମଲ ବ୍ୟବହାର କରିଥିଲା । ଜରୁରୀ ବ୍ୟବହାର ପାଇଁ ଅନୁମତିପ୍ରାପ୍ତ ଏହି ଦୁଇ ଟିକା ନିର୍ମାତାକାରୀଙ୍କ ମଧ୍ୟରେ ଏଭଳି ବାକ୍‌ଯୁଦ୍ଧ ଭାରତ ସରକାରଙ୍କ ପାଇଁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା ।

Comments are closed.