ଉତ୍ତର ପ୍ରଦେଶର ପାଞ୍ଚ ସହରରେ ଲାଗିବନି ଲକଡାଉନ୍, ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ୫ଟି ପ୍ରମୁଖ ସହରରେ ବର୍ତ୍ତମାନ ଲକଡାଉନ୍ ହେବ ନାହିଁ। ଏ ବାବଦରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ରାଜ୍ୟରେ କରୋନା ସ୍ଥିତି ବିଗିଡିବା ପରିପ୍ରେକ୍ଷୀରେ ହାଇକୋର୍ଟ ଏପ୍ରିଲ ୨୬ ସୁଦ୍ଧା ପ୍ରୟାଗରାଜ, ଲକ୍ଷ୍ନୌ, ବାରାଣସୀ, କାନପୁର ନାଗର ଏବଂ ଗୋରଖପୁରରେ ଲକଡାଉନ୍ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ ଗତକାଲି ନିର୍ଦ୍ଦେଶ ଦେଇଥିଲେ । ହେଲେ ଯୋଗୀ ଆଦିତ୍ୟ ନାଥ ସରକାର ଏହି ପାଞ୍ଚ ସହରରେ ଲକଡାଉନ୍ ଲଗାଇବାକୁ ମନା କରିଥିଲେ ।

ସୋମବାର ୟୁପି ସରକାର ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ଉକ୍ତ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ରାଜ୍ୟ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଆସିଥିବା ବେଞ୍ଚରେ ହାଜର ହୋଇ ତୁରନ୍ତ ଏହାର ଶୁଣାଣି କରିବାକୁ ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ ହାଇକୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ କରିବା କଷ୍ଟକର। ଲକଡାଉନ୍ ଭଳି କଠୋର ପଦକ୍ଷେପ ନେବା ପୂର୍ବରୁ ସରକାରଙ୍କୁ ଅନେକ ଦିଗ ଉପରେ ବିଚାର କରିବାକୁ ପଡିବ। ହଠାତ୍ କୋର୍ଟଙ୍କ ନିର୍ଦ୍ଦେଶରେ ଏହା କରାଯାଇପାରିବ ନାହିଁ ବୋଲି ଯୁକ୍ତି କରିଥିଲେ । ଲକଡାଉନ୍ ଘୋଷଣା କରିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ କ୍ଷମତାଧୀନ ‌। ଏହି ମାମଲାରେ ଅଦାଲତର ହସ୍ତକ୍ଷେପ କରିବା ଠିକ୍ ନୁହେଁ ବୋଲି ସୁପ୍ରିମକୋର୍ଟରେ ୟୁପି ସରକାର କହିଥିଲେ ।

Comments are closed.