ଉଲଗ୍ନ ଅବସ୍ଥାରେ ଅନଲାଇନ୍ ବୈଠକରେ ଯୋଗଦେଲେ କାନାଡା ସାଂସଦ

ଓଟାୱା (କାନାଡା) – କାନାଡା ସଂସଦର ଡିଜିଟାଲ୍ ବୈଠକରେ ହାଉସ ଅଫ୍ କମନ୍ସର ଜଣେ ସଦସ୍ୟ ଉଲଗ୍ନ ଅବସ୍ଥାରେ ନଜର ଆସିବା ଚର୍ଚ୍ଚାର ବିଷୟ ହୋଇଛି ।

୨୦୧୫ରୁ ପଣ୍ଟିଆକ୍ ର କ୍ୟୁବେକ୍ ଜିଲ୍ଲାକୁ ପ୍ରତିନିଧିତ୍ୱ କରୁଥିବା ୱିଲିୟମ୍ ଆମୋସ୍ ବୁଧବାର ତାଙ୍କ ସାଥୀ ସାଂସଦମାନଙ୍କ ସ୍କ୍ରିନରେ ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଦେଖାଦେଇଥିଲେ । କୋଭିଡ-୧୯ ମହାମାରୀ ଯୋଗୁଁ କାନାଡାର ଅନେକ ସାଂସଦ ଭିଡିଓ କନଫରେନ୍ସ ମାଧ୍ୟମରେ ସଂସଦ ଅଧିବେଶନରେ ଯୋଗ ଦେଉଛନ୍ତି।

‘ଦି କାନାଡିଆନ ପ୍ରେସ୍’ କୁ ପ୍ରାପ୍ତ ଏକ ସ୍କ୍ରିନସଟରେ ଆମୋସ ଏକ ଡେସ୍କ ପଛରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି ଏବଂ ତାଙ୍କ ଗୁପ୍ତାଙ୍ଗକୁ ବୋଧହୁଏ ସେ ମୋବାଇଲ୍ ଦ୍ୱାରା ଆବୃତ କରିଛନ୍ତି । ତାଙ୍କର ଏହି ଉଲଗ୍ନ ସ୍କ୍ରିନସଟ୍ ଭାଇରାଲ ହେବା ପରେ ଆମୋସ୍ କ୍ଷମାପ୍ରାର୍ଥନା କରିଛନ୍ତି ।

ଦୁର୍ଭାଗ୍ୟବଶତଃ ଏଭଳି ଭୁଲ ହୋଇଯାଇଛି ବୋଲି ଆମୋସ ଏକ ଇ-ମେଲ ବିବୃତ୍ତିରେ କହିଛନ୍ତି। ସେ କହିଛନ୍ତି, ଜଗିଂରୁ ଫେରିବା ପରେ କାର୍ଯ୍ୟସ୍ଥଳରେ ପିନ୍ଧିବାକୁ ଥିବା ମୁଁ ମୋର ପୋଷାକ ବଦଳାଉ ଥିବା ବେଳେ ହଠାତ୍ ଭିଡିଓ ଅନ୍ ହୋଇଯାଇଥିଲା । ଏହି ଭୁଲ ପାଇଁ ମୁଁ ହାଉସ ଅଫ୍ କମନ୍ସରୁ ମୋର ସହକର୍ମୀଙ୍କୁ ଆନ୍ତରିକତାର ସହ କ୍ଷମା ପ୍ରାର୍ଥନା କରୁଛି | ନିଶ୍ଚିତ ଭାବେ ଅଜାଣତରେ ଏଭଳି ଭୁଲ ହୋଇଥିଲା । ଏମିତି ଆଉ ଘଟିବ ନାହିଁ ବୋଲି ସେ କହିଛନ୍ତି ।

ବିରୋଧୀ କ୍ୟୁବେକୋଇସ୍ ଦଳର ସାଂସଦ କ୍ଲୋଡ୍ ବେଲେଫ୍ଲିୟୋଲି ପ୍ରଶ୍ନ କାଳ ପରେ ଏହି ଘଟଣା ଉଠାଇଥିଲେ । ସଂସଦୀୟ ମର୍ଯ୍ୟାଦା ଅନୁଯାୟୀ ସଦସ୍ୟମାନେ ଟ୍ରାଉଜର, ଅନ୍ତଃବସ୍ତ୍ର, ସାର୍ଟ ଏବଂ ଜ୍ୟାକେଟ୍ ଏବଂ ଟାଇ ପିନ୍ଧିବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ।

Comments are closed.