ଉହାନର ଲ୍ୟାବ୍‌ରୁ କରୋନା ବ୍ୟାପିବାର ପ୍ରମାଣ ନାହିଁ: ଡବ୍ଲୁଏଚ୍‌ଓ ଟିମ୍‌

ବେଜିଂ – କରୋନା ଭାଇରସ୍ ଚୀନର ଉହାନର ଏକ ଲ୍ୟାବ୍‌ରୁ ବ୍ୟାପିଥିବାର କୌଣସି ପ୍ରମାଣ ନାହିଁ ବୋଲି ଡବ୍ଲୁଏଚ୍‌ଓର ବିଶେଷଜ୍ଞ ଦଳ କହିଛି । ଡିସେମ୍ବର ୨୦୧୯ ପୂର୍ବରୁ ଏହି ଭାଇରସ ବ୍ୟାପକ ଭାବେ ଉହାନ ସହରରେ କିମ୍ବା ଚୀନର ଅନ୍ୟ ଅଞ୍ଚଳରେ ବ୍ୟାପିଥିବାର ମଧ୍ୟ ପ୍ରମାଣ ମିଳିନାହିଁ । ଗତବର୍ଷ ଡିସେମ୍ବର ପରେ ହିଁ ଏହି ମହାମାରୀ ବ୍ୟାପିବା ଆରମ୍ଭ ହୋଇଥିଲା ବୋଲି ଡବ୍ଲୁଏଚ୍‌ଓ ଟିମ୍ କହିଛି ।

ଉହାନର ଏକ ଗବେଷଣାଗାରରୁ କରୋନା ଭାଇରସ ବ୍ୟାପିଥିଲା ବୋଲି ସନ୍ଦେହ କରାଯାଉଥିଲା । ହେଲେ ଏନେଇ କୌଣସି ପ୍ରମାଣ ଡବ୍ଲୁଏଚଓ ଟିମର ଅନୁସନ୍ଧାନ ବେଳେ ମିଳିନଥିଲା ବୋଲି ଏହି ବିଶେଷଜ୍ଞ ଦଳର ମୁଖ୍ୟ ପିଟର ବେନ୍ ଏମ୍ବରେକ୍ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେ କହିଛନ୍ତି ଯେ, ସମ୍ଭବତଃ ଏହି ଭାଇରସ କୌଣସି ପକ୍ଷୀ କିମ୍ବା ପଶୁରୁ ମଣିଷ ଶରୀରରେ ପ୍ରବେଶ କରିଥିଲା ।

କରୋନା ଭାଇରସର ଉତ୍ପତ୍ତି ସମ୍ପର୍କରେ ଅନୁଧ୍ୟାନ ପାଇଁ ଜାନୁୟାରୀରେ ଡବ୍ଲୁଏଚ୍‌ଓର ଏକ ଟିମ୍ ଉହାନ ଯାଇଥିଲା । କରୋନା ଭାଇରସର ଉତ୍ପତ୍ତି ନେଇ ନାନା ମତ ପ୍ରକାଶ ପାଇଛି । କେହି ଏହି ଘାତକ ଭାଇରସ ଚୀନର ଏକ ଲ୍ୟାବରୁ ବ୍ୟାପିଥିବା କହୁଥିଲା ବେଳେ ଆଉ କେହି ଏହା ବାଦୁଡ଼ିରୁ ମଣିଷକୁ ବ୍ୟାପିଛି ବୋଲି ଦାବି କରିଛନ୍ତି । ଉହାନର ଏକ ସି’ଫୁଡ୍ ମାର୍କେଟ କରୋନାର ଉତ୍ପତ୍ତି ସ୍ଥଳ ବୋଲି ମଧ୍ୟ ଦାବି ହେଉଛି । କିନ୍ତୁ ଏଯାବତ ଏହି ପ୍ରାଣଘାତୀ ଭାଇରସର ଉତ୍ପତ୍ତି ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିପାରି ନାହିଁ । ଡବ୍ଲୁଏଚ୍‌ର ବିଶେଷଜ୍ଞ ଦଳ ଏ ବାବଦରେ ସ୍ପଷ୍ଟ ନ କରିପାରିବା ମଧ୍ୟ ଅନେକଙ୍କୁ ଚକିତ କରିଛି । କରୋନା ମହାମାରୀ ପାଇଁ ଆମେରିକା ଓ ଅନ୍ୟ କିଛି ଦେଶ ଚୀନକୁ ଦାୟୀ କରି ଆସୁଛନ୍ତି ।

Comments are closed.