ଋଷି କପୁରଙ୍କ ସାନଭାଇ ରାଜୀବ କପୁରଙ୍କ ପରଲୋକ

ମୁମ୍ବାଇ – ଋଷି କପୁର ଏବଂ ରଣଧୀର କପୁରଙ୍କ ସାନଭାଇ ରାଜୀବ କପୁରଙ୍କ ଆଜି ପରଲୋକ ହୋଇଯାଇଛି । ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ସୂଚନା ଅନୁଯାୟୀ, ରାଜୀବ ଆଜି ସକାଳେ ହୃଦଘାତର ଶିକାର ହୋଇଥିଲେ । ବଡ଼ ଭାଇ ରଣଧୀର କପୁର ଓ ଘର ଲୋକ ତାଙ୍କୁ ଚେମ୍ବୁରସ୍ଥିତ ଇନଲାକ୍ସ ହସ୍ପିଟାଲକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

୧୯୮୩ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଏକ ଜାନ ହୈ ହମ୍’ରୁ ରାଜୀବ କପୁର ବଲିଉଡରେ ଡେବ୍ୟୁ କରିଥିଲେ। କିନ୍ତୁ ୧୯୮୫ରେ ରିଲିଜ୍ ହୋଇଥିବା ‘ରାମ ତେରୀ ଗଙ୍ଗା ମୈଲି’ ତାଙ୍କୁ ଜଣେ ଅଭିନେତା ଭାବେ ପରିଚିତ କରାଇଥିଲା | ରାଜୀବଙ୍କୁ ‘ନାଗ ନାଗିନ’ ଏବଂ ‘ଅଙ୍ଗାରେ’ ଭଳି ଚଳଚ୍ଚିତ୍ରରେ ଅଭିନେତା ଭାବରେ ମଧ୍ୟ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ସେ ଅକ୍ଷୟ ଖାନ୍ନା ଏବଂ ଐଶ୍ୱର୍ଯ୍ୟା ରାୟ ଅଭିନୀତ ‘ଆ ଅବ ଲଉଟ୍ ଚଲେଁ’ ର ପ୍ରଯୋଜକ ଥିଲେ । ୧୯୮୬ରେ ମୁକ୍ତିଲାଭ କରିଥିବା ଋଷି କପୁର ଏବଂ ମାଧୁରୀ ଦୀକ୍ଷିତଙ୍କ ଅଭିନୀତ ‘ପ୍ରେମ ଗ୍ରନ୍ଥ’ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରାଜୀବ।
ରାଜୀବଙ୍କ ମଝିଆ ଭାଇ ଋଷି କପୁରଙ୍କ ୭ ମାସ ତଳେ ଦେହାନ୍ତ ହୋଇଯାଇଥିଲା। ଦୁଇ ବର୍ଷ ଧରି କର୍କଟ ରୋଗ ସହ ସଂଗ୍ରାମ କରିବା ପରେ ୬୭ ବର୍ଷିୟ ଋଷ ଏପ୍ରିଲ ୩୦, ୨୦୨୦ରେ ମୁମ୍ବାଇର ଏଚ୍ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Comments are closed.