ଏଥର ବି ସରକାରଙ୍କ ଖାଦ୍ୟ ଛୁଇଁଲେନି ଚାଷୀ

ନୂଆଦିଲ୍ଲୀ – କୃଷି ଆଇନ ନେଇ କେନ୍ଦ୍ର ସରକାରଙ୍କ ସହ ଶନିବାର ପଞ୍ଚମ ପର୍ଯ୍ୟାୟ ଆଲୋଚନା ବେଳେ ଚାଷୀମାନେ ପୁଣିଥରେ ସରକାରଙ୍କ ଖାଦ୍ୟ ଗ୍ରହଣ କରିବାକୁ ମନା କରିଛନ୍ତି । ସେମାନେ ନିଜ ପାଇଁ ଖାଦ୍ୟ ସାଥିରେ ଆଣିଥିଲେ । ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀମାନଙ୍କ ପାଇଁ ହୋଇଥିବା ଲଙ୍ଗରରୁ ସେମାନଙ୍କ ଖାଦ୍ୟ ଆସିଥିଲା । ଆଜି ଅପରାହ୍ନ ୨ଟା ୩୦ ମିନିଟରେ ବିଜ୍ଞାନ ଭବନରେ ସରକାର ଓ ୪୦ କୃଷକ ସଂଗଠନର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ମଝିରେ ମଧ୍ୟାହ୍ନ ଭୋଜନ ବିରତି ହୋଇଥିଲା । ସରକାରଙ୍କ ତରଫରୁ ଚାଷୀମାନଙ୍କ ପାଇଁ ଖାଇବା ବ୍ୟବସ୍ଥା କରାଯାଇଥିଲା । ହେଲେ ଚାଷୀମାନେ ସରକାରଙ୍କ ଖାଦ୍ୟକୁ ଏଥର ବି ଛୁଇଁନଥିଲେ । ବରଂ ନିଜେ ଆଣିଥିବା ଖାଦ୍ୟ ସେମାନେ ତଳେ ବସି ଖାଇଥିଲେ । ଚାଷୀମାନେ ପାଣି ମଧ୍ୟ ସାଥୀରେ ଆଣିଥିଲେ । ଏହାପୂର୍ବରୁ ଗୁରୁବାର ଅନୁଷ୍ଠିତ ବୈଠକରେ ବି ଚାଷୀମାନେ ସରକାରଙ୍କ ଖାଦ୍ୟ ଗ୍ରହଣ କରିନଥିଲେ । ସେମାନେ ସିଂଘୁ ସୀମା ଲଙ୍ଗରରୁ ନିଜ ପାଇଁ ଖାଦ୍ୟ ମଗାଇଥିଲେ । ଚାଷୀମାନେ ସରକାରଙ୍କ ଖାଦ୍ୟ ଗ୍ରହଣ ନ କରିବାକୁ ପୂର୍ବରୁ ହିଁ ସ୍ଥିର କରିଥିଲେ । ସେମାନଙ୍କୁ ମଧ୍ୟାହ୍ନ ଭୋଜନ ଦ୍ୱାରା ଆପ୍ୟାୟିତ କରିବାକୁ ଚେଷ୍ଟା ନ କରି ସରକାର ସେମାନଙ୍କ ଦାବି ଉପରେ ଧ୍ୟାନ ଦିଅନ୍ତୁ ବୋଲି ଚାଷୀମାନେ କହିଛନ୍ତି ।

Comments are closed.