କରୋନାରେ ଅଭିନେତା ରାହୁଲ ଭୋରାଙ୍କର ଦେହାନ୍ତ

ନୂଆଦିଲ୍ଲୀ: ୟୁଟ୍ୟୁବ ଏବଂ ଫେସବୁକରେ ଲକ୍ଷ ଲକ୍ଷ ପ୍ରଶଂସକ ଥିବା ଅଭିନେତା ରାହୁଲ ଭୋରାଙ୍କର ୩୫ ବର୍ଷ ବୟସରେ ରବିବାର ସକାଳେ ଦେହାନ୍ତ ହୋଇଯାଇଛି। ସେ କରୋନାରେ ସଂକ୍ରମିତ ହୋଇଥିଲେ । ମୃତ୍ୟୁର ୨୩ ଘଣ୍ଟା ପୂର୍ବରୁ ରାହୁଲ ଫେସବୁକରେ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ଟ୍ୟାଗ୍ କରି ଲେଖିଥିଲେ, “ଯଦି ମୋର ଭଲ ଚିକିତ୍ସା ହୋଇଥାନ୍ତା, ମୁଁ ବଞ୍ଚି ପାରିଥାଆନ୍ତି….. ଶୀଘ୍ର ପୁଣି ଜନ୍ମ ନେବି ଏବଂ ଭଲ କାମ କରିବି, ବର୍ତ୍ତମାନ ମୁଁ ଆଶା ହରାଇଛି ।
ରାହୁଲ ୫ ଦିନ ପୂର୍ବରୁ ନିଜ ପାଇଁ ଅକ୍ସିଜେନ ବେଡ୍ ପାଇଁ ସୋସିଆଲ ମିଡିଆରେ ଅନୁରୋଧ କରିଥିଲେ। ତାଙ୍କ ଅକ୍ସିଜେନ ସ୍ତର ପ୍ରତିଦିନ ହ୍ରାସ ପାଉଥିଲା | ସେ ଲେଖିଥିଲେ, “ମୁଁ କୋଭିଡ ପଜିଟିଭ୍, ହସ୍ପିଟାଲରେ ଭର୍ତ୍ତି ହୋଇଛି। ପ୍ରାୟ ୪ ଦିନ ହେଲା ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିପାରି ନାହିଁ। ଅକ୍ସିଜେନ ବେଡ୍ ଥିବା କୌଣସି ହସ୍ପିଟାଲ ଅଛି କି ? ମୋର ଅକ୍ସିଜେନ ସ୍ତର କ୍ରମାଗତ ଭାବେ ହ୍ରାସ ପାଉଛି ଏବଂ କେହି ଦେଖିବାକୁ ଆସୁ ନାହାଁନ୍ତି। ମୁଁ ଏହାକୁ ପୋଷ୍ଟ କରିବାକୁ ବାଧ୍ୟ ହେଲି କାରଣ ଘରଲୋକ ଏହି ସବୁ କାମ ସମ୍ଭାଳିପାରୁ ନାହାନ୍ତି ।

ରାହୁଲ ଭୋରା ୨୦୦୬ ରୁ ୨୦୦୮ ପର୍ଯ୍ୟନ୍ତ ଅସ୍ମିତା ଥିଏଟର ଗ୍ରୁପ୍ ସହିତ ଜଡିତ ଥିଲେ | ଅସ୍ମିତା ଥିଏଟର ଗ୍ରୁପର ମୁଖ୍ୟ ତଥା ଚାଣକ୍ୟ ଅରବିନ୍ଦ ଗୌର ରାହୁଲଙ୍କ ଅକାଳ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ।

Comments are closed.