କରୋନା କାଳରେ ୬୦ ପ୍ରତିଶତ ବଢିଛି ବିଶ୍ୱର କୋଟିପତିଙ୍କ ସମ୍ପତ୍ତି

ନ୍ୟୁୟର୍କ – ଫୋର୍ବସ୍ ୨୦୨୧ ବର୍ଷ ପାଇଁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକା ଅନୁଯାୟୀ, ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ ସତ୍ତ୍ୱେ କୋଟିପତିଙ୍କ ପାଇଁ ଏହି ବର୍ଷ ଅତ୍ୟନ୍ତ ସ୍ୱତନ୍ତ୍ର ସାବ୍ୟସ୍ତ ହୋଇଥିଲା । କାରଣ ଚଳିତ ବର୍ଷ କୋଟିପତିଙ୍କ ସମ୍ପତ୍ତି ୬୦ ପ୍ରତିଶତ ବୃଦ୍ଧି ପାଇଛି। ମୋଟ ଉପରେ ଫୋର୍ବସ୍ ୨,୭୫୫ ଲୋକଙ୍କ ତାଲିକା ପ୍ରସ୍ତୁତ କରିଛି । ସେମାନଙ୍କ ମଧ୍ୟରେ ୪୯୩ ଜଣ ନବାଗତ ଅଛନ୍ତି । ଏହି ତାଲିକାରେ ଚୀନ୍ ଏବଂ ହଂକଂର ୨୧୦ ଜଣ ଏବଂ ଆମେରିକାର ୯୮ ଜଣ ଲୋକ ଅଛନ୍ତି।

କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଆମାଜନର ପ୍ରତିଷ୍ଠାତା ତଥା ସିଇଓ ଜେଫ୍ ବେଜୋସ୍ ଫୋର୍ବସର ୩୫ ତମ ତାଲିକାରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ତାଲିକା ଅନୁଯାୟୀ, ଜେଫ୍ ବେଜୋସଙ୍କର ସମ୍ପତ୍ତି ୧୭୭ ବିଲିୟନ ଡଲାର । ଏହି ତାଲିକାରେ ଏଲୋନ୍ ମସ୍କ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଟେସଲାର ସେୟାର ୭୦୫ ପ୍ରତିଶତ ବୃଦ୍ଧି ପାଇବା ପରେ ସେ ୧୫୧ ବିଲିୟନ ଡ଼ଲାର ସହିତ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ଅଟନ୍ତି । ଫ୍ରାନ୍ସର ବିଳାସପୂର୍ଣ୍ଣ ସାମଗ୍ରୀ ଟାଏକୁନ୍ ବର୍ନାର୍ଡ ଆର୍ନାଲ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ତାଙ୍କ ସମ୍ପତ୍ତିରେ ପ୍ରାୟ ଦୁଇଗୁଣ ବୃଦ୍ଧି ଘଟିଛି । ଏହି ତାଲିକାରେ ବିଲ୍ ଗେଟ୍ସ ଚତୁର୍ଥ ସ୍ଥାନରେ ଅଛନ୍ତି। ବିଲ୍ ଗେଟ୍ସଙ୍କର ମୋଟ ସମ୍ପତ୍ତି ୧୨୪ ବିଲିୟନ ଡ଼ଲାର୍ । ମାଇକ୍ରୋସଫ୍ଟ, କାନାଡିଆନ୍ ନ୍ୟାସନାଲ ରେଲୱେ ଏବଂ ଟ୍ରାକ୍ଟର ନିର୍ମାତା ଡିରେ ଆଣ୍ଡ କମ୍ପାନୀର ବିଲ୍ ଗେଟ୍ସଙ୍କର ଅଂଶଧନ ଅଛି ।

ଏହି ତାଲିକାରେ ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ୯୭ ବିଲିୟନ ଡଲାର ସମ୍ପତ୍ତି ସହିତ ପଞ୍ଚମ ସ୍ଥାନରେ ଅଛନ୍ତି। ଷଷ୍ଠ ସ୍ଥାନରେ ୯୬ ବିଲିୟନ ଡଲାର ସମ୍ପତ୍ତି ସହିତ ୱାରେନ୍ ବଫେଟଙ୍କ ନାମ ରହିଛି । ୯୩ ବିଲିୟନ ଡଲାର ସହିତ ଲ୍ୟାରି ଏଲିସନ ସପ୍ତମ ସ୍ଥାନରେ ରହିଛନ୍ତି । ଗୁଗୁଲର ସହ-ପ୍ରତିଷ୍ଠାତା ଲ୍ୟାରି ପେଜ୍ (ଲରେନ୍ସ ଏଡୱାର୍ଡ ପେଜ୍) ୯୧.୫ ବିଲିୟନ ଡ଼ଲାର୍ ସହିତ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଗୁଗୁଲର ଦ୍ୱିତୀୟ ସହ-ପ୍ରତିଷ୍ଠାତା ସର୍ଗି ବ୍ରିନ ୮୯ ବିଲିୟନ ଡଲାର ସହିତ ଏହି ତାଲିକାରେ ନବମ ସ୍ଥାନରେ ଅଛନ୍ତି।

ବର୍ତ୍ତମାନ ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀ ଏହି ତାଲିକାରେ ଦଶମ ସ୍ଥାନ ଅଧିକାର କରିଛନ୍ତି। ଏହା ସହିତ ମୁକେଶ ଅମ୍ବାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ତାଙ୍କର ଆନୁମାନିକ ସମ୍ପତ୍ତି ୮୪.୫ ବିଲିୟନ ଡ଼ଲାର ବୋଲି ଆକଳନ କରାଯାଇଛି।

Comments are closed.