ଭୁବନେଶ୍ୱର: ସରକାରୀ ହସ୍ପିଟାଲ୍ ମାନଙ୍କ ମଧ୍ୟରେ ଭୁବନେଶ୍ୱରର ସବୁଠାରୁ ବଡ଼ ହସ୍ପିଟାଲ୍ ଭାବେ ସେବା ଦେଉଥିବା କ୍ୟାପିଟାଲ୍ ହସ୍ପିଟାଲ୍/ ରାଜଧାନୀ ଚିକିତ୍ସାଳୟକୁ ବର୍ତମାନ ସୁଧା ୧୩ ଜଣ ପ୍ଲାଜ୍ମା ଦାନ କରିସାରିଛନ୍ତି । ତେବେ ଏହି ପ୍ରକାରର ନୂତନ ପଦ୍ଧତି ଚିକିତ୍ସା ପାଇଁ କୋଭିଡ଼୍ ନିୟନ୍ତ୍ରଣରେ ବର୍ତମାନ ରାଜ୍ୟରେ ଅନ୍ୟତମ ଆଗୁଆ ଚିକିତ୍ସା କେନ୍ଦ୍ର ଭାବେ ରହିଛି ।
ପ୍ଲାଜ୍ମା ଫେରେସିସ୍ ପ୍ରକ୍ରିୟା ଦ୍ୱାରା ଜଣେ କୋଭିଡ଼୍-୧୯ ଆକ୍ରାନ୍ତ ଯେ କି ସୁସ୍ଥ ହୋଇ ତାଙ୍କ ଶରୀରରେ କୋଭିଡ଼୍-୧୯ ଆଂଟିବଡ଼ି ସୃଷ୍ଟି ହୋଇଥାଏ ଏବଂ ତାଙ୍କର ପ୍ଲାଜ୍ମା ନେଇ ଜଟିଳ କୋଭିଡ଼୍ ରୋଗୀକୁ ଦେଇ ଚିକିତ୍ସା କରାଯାଇଥାଏ । ଫଳରେ ପୀଡ଼ିତ ରୋଗୀ ଶୀଘ୍ର ଆରୋଗ୍ୟ ହେବାର ଆଶା ଥାଏ ।
ମଣିଷ ରକ୍ତରେ ଶ୍ୱେତ ରକ୍ତ କଣିକା, ଲୋହିତ ରକ୍ତ କଣିକା ଏବଂ ପ୍ଲେଟ୍ଲେଟ୍ ଯେଉଁଥିରେ କି ପ୍ଲାଜ୍ମା ଗୁଡ଼ିକ ଥାଆନ୍ତି ଇତ୍ୟାଦି ରକ୍ତର ବିବିଧ ଉପାଦାନ । ଅନ୍ୟାନ୍ୟ ଚିକିତ୍ସାଭଳି ମଧ୍ୟ ରକ୍ତରୁ ବିବିଧ ଉପାଦାନ ସଂଗ୍ରହ କରାଯାଇ କୋଭିଡ଼୍ ଚିକିତ୍ସା ପାଇଁ ପ୍ରଚେଷ୍ଟା ଜାରି ରହିଛି । ଏବେକାର ବ୍ୟବସ୍ଥା ଅନୁସାରେ ଜଣେ ଯୋଗ୍ୟ ବ୍ୟକ୍ତି ଯଦି ପ୍ଲାଜ୍ମା ଦାନ କରିବାକୁ ଚାହାଁନ୍ତି, ତେବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପୋର୍ଟାଲକୁ ଯାଇ ତାଙ୍କୁ ଏଥିପାଇଁ ପଞ୍ଜିକରଣ କରିବାକୁ ହେବ । ଏହି ପଞ୍ଜିକରଣ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କର ବିବିଧ ପରୀକ୍ଷା ଥରକୁ ଥର କରାଯିବା ପରେ ବିବରଣୀକୁ ଭିତି କରି ପ୍ଲାଜ୍ମା ସଂଗ୍ରହ କରାଯାଇଥାଏ । ଏବେ ରାଜ୍ୟ ସରକାର ଏହାକୁ ଏକ ଫ୍ଲାଗ୍ସିପ୍ ପ୍ରୋଗ୍ରାମ୍ ଭାବେ କରି ପ୍ଲାଜ୍ମା ଦାନକୁ ଉତ୍ସାହିତ କରୁଛନ୍ତି ।
ବର୍ତମାନ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେବ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍, କଟକ, କ୍ୟାପିଟାଲ୍ ହସ୍ପିଟାଲ୍ ଭୁବନେଶ୍ୱର, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ୍ କଲେଜ, ବ୍ରହ୍ମପୁର, ଇସ୍ପାତ ଜେନେରାଲ୍ ହସ୍ପିଟାଲ୍, ରାଉରକେଲା ଇତ୍ୟାଦିରେ କୋଭିଡ଼୍-୧୯ ସଂକ୍ରମିତଙ୍କ ଆଶୁ ଆରୋଗ୍ୟ ପାଇଁ ଏହି ପ୍ଲାଜ୍ମା ଚିକିତ୍ସା କରାଯାଉଛି । ତେବେ ଶହୀଦ ଲକ୍ଷ୍ମଣ ନାଏକ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍, କୋରାପୁଟରେ ଏହି ଚିକିତ୍ସା ସୁବିଧା ଉପଲବ୍ଧ ହେବାର ଯୋଜନା ରହିଛି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବ୍ସାଇଟ୍ରେ ଉପଲବ୍ଧ ତଥ୍ୟରୁ ଜଣାଯାଏ ଯେ, ଜଣେ ସୁସ୍ଥ ବ୍ୟକ୍ତି ଯାହାର ବୟସ ୧୮ ରୁ ୬୦ ମଧ୍ୟରେ ଏବଂ ଓଜନ ୫୫ କିଲୋରୁ ଅଧିକ ହୋଇନଥିବ, ପୂର୍ବରୁ କୋଭିଡ଼୍-୧୯ ବୋଲି ପରୀକ୍ଷାରୁ ଚିହ୍ନଟ ହୋଇଥିବେ ଏବଂ ରୋଗ ଲକ୍ଷଣ ସମ୍ପୂର୍ଣ୍ଣ୍ର ହଟିଯିବା ପରେ ଏବଂ ପ୍ଲାଜ୍ମା ଦାନ କରିବାର ୨୮ ଦିନ ପୂର୍ବରୁ ନେଗେଟିଭ୍ ବୋଲି ପରୀକ୍ଷାରୁ ଚିହ୍ନିତ ହୋଇଥିବେ । ଅନ୍ୟ ପକ୍ଷରେ ଯଦି କୌଣସି ବ୍ୟକ୍ତିଙ୍କର ଡ଼ାଇବେଟିସ୍ ଇନ୍ସୁଲିନ୍ ନିର୍ଭରଶୀଳ ହୋଇଥିବ, ରକ୍ତଚାପ ଅଧିକ ଥିବ ଏବଂ ଗତ ୨୮ ଦିନ ମଧ୍ୟରେ ଅସୁସ୍ଥ ଥିବେ, ଏହା ସାଙ୍ଗକୁ କ୍ୟାନ୍ସର୍ ରୋଗୀ, ବୃକକ୍ ରୋଗୀ, ହୃଦ୍ରୋଗୀ, ଯକୃତ ରୋଗୀ ଏବଂ ଗର୍ଭ ଧାରଣ କରିନଥିବା ଇତ୍ୟାଦି ବ୍ୟକ୍ତି ପ୍ଲାଜ୍ମା ଦାନ କରିପାରିବେ ନାହିଁ । ବିଶେଷଜ୍ଞଙ୍କ କହିବା ଅନୁସାରେ ଜଣେ ଯୋଗ୍ୟ ବ୍ୟକ୍ତି ଏକାଥରକେ କେବଳ ୪୦୦ ମି.ଲି ପ୍ଲାଜ୍ମା ଦେଇପାରିବେ । ତେବେ କେଉଁ କୋଭିଡ଼୍-୧୯ ସଂକ୍ରମିତଙ୍କୁ ପ୍ଲାଜ୍ମା ଦିଆଯିବ ତାହା ଚିକିତ୍ସକଙ୍କ ଉପରେ ନିର୍ଭର କରେ । ଲକ୍ଷଣବିହୀନ ରୋଗୀଙ୍କୁ ଏହା ଦିଆଯାଇନଥାଏ । ଗ୍ରେଡ଼୍-୨ ରୋଗୀମାନେ ଯେଉଁମାନଙ୍କୁକି ଅମ୍ଳଜାନ ଦିଆଗଲେ ମଧ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହୁଏନାହିଁ ସେଠାରେ ପ୍ଲାଜ୍ମା ଚିକିତ୍ସା କାର୍ଯ୍ୟ କରିପାରେ ଯାହାକି ସମ୍ପୃକ୍ତ ଚିକିତ୍ସକଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ; କହିଛନ୍ତି କ୍ୟାପିଟାଲ୍ ହସ୍ପିଟାଲ୍ର ବ୍ଲଡ଼୍ ବ୍ୟାଙ୍କ୍ର ଅଧିକାରୀ ଡ଼ାକ୍ତର ଦେବାଶିଷ ମିଶ୍ର ।
ଉଲ୍ଲେଖଯୋଗ୍ୟ କି, ରକ୍ତ ସଂଗ୍ରହ ଏବଂ ରକ୍ତଦାନ ତଥା ଏହାର ପରିଚାଳନାରେ କ୍ୟାପିଟାଲ୍ ହସ୍ପିଟାଲ୍ର ବ୍ଲଡ଼୍ ବ୍ୟାଙ୍କ୍ ଏଥିରେ ନିଜର କ୍ରୀୟାଶୀଳତା ପ୍ରତିପାଦନ କରିଆସିଛି । ୨୦୦୧ ମସିହାରୁ ଏହି କେନ୍ଦ୍ରରେ ପ୍ଲେଟ୍ଲେଟ୍ ସଂଗ୍ରହ ଆରମ୍ଭ ହୋଇଥିବାବେଳେ ୨୦୦୪ ରୁ ଓଡିଶାର ପ୍ରଥମ ବ୍ଲଡ୍ବ୍ୟାଙ୍କ୍ ଭାବେ ଏହି କେନ୍ଦ୍ରରେ ସିଙ୍ଗଲ୍ ଡୋନର୍ ପ୍ଲେଟ୍ଲେଟ୍ ସେପାରେସନ୍ ଆରମ୍ଭ ହୋଇଛି ।