କରୋନା ଟିକାକୁ ସବୁଜ ସଙ୍କେତ ପରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପିଏମ୍ ମୋଦି

ନୂଆଦିଲ୍ଲୀ – ଭାରତରେ କରୋନା ଟିକା ନେଇ ପ୍ରତୀକ୍ଷାର ଅନ୍ତ ଘଟିଛି । ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ) ଏବଂ ଭାରତ ବାୟୋଟେକ୍ ଟିକାକୁ ଜରୁରୀ ବ୍ୟବହାର ପାଇଁ ଭାରତୀୟ ଡ୍ରଗ୍ସ ନିୟାମକ ଡିସିଜିଆଇ ଚୂଡାନ୍ତ ଅନୁମତି ପ୍ରଦାନ କରିଛନ୍ତି । ଏଥିସହ ଦେଶରେ ଟିକାକରଣ ପାଇଁ ପଥ ପରିଷ୍କାର ହୋଇଯାଇଛି । କୋଭିଡ୍‌-୧୯ ଟିକାକୁ ମଞ୍ଜୁରି ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହା କରୋନା ମୁକାବିଲା କ୍ଷେତ୍ରରେ ଏକ ନିର୍ଣ୍ଣାୟକ ମୋଡ଼ ବୋଲି ମୋଦି କହିଛନ୍ତି । ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ ଭାରତ ବାୟୋଟେକ୍ ଟିକାକୁ ଡିସିଜିଆଇର ଅନୁମତି ମିଳିବା ପରେ ଭାରତ ଏବେ ସୁସ୍ଥ ଓ କରୋନା ମୁକ୍ତ ହେବ ବୋଲି ମୋଦି କହିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ଟିକା ପ୍ରସ୍ତୁତରେ ଜଡିତ ଗବେଷକ ଓ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।
ମୋଦି ଆଉ ଏକ ଟ୍ୱିଟରେ କହିଛନ୍ତି, ଏହା ପ୍ରତ୍ୟକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ଯେ, ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଥିବା ଦୁଇ ଟିକା ଭାରତରେ ବିକଶିତ ହୋଇଛି । ଏହା ଆତ୍ମନିର୍ଭର ଭାରତର ସ୍ୱପ୍ନ୍ ସାକାର କରିବା ପାଇଁ ବୈଜ୍ଞାନିକଙ୍କ ଉତ୍ସାହକୁ ଦର୍ଶାଉଛି । ପ୍ରତିକୂଳ ପରିସ୍ଥିତିରେ ବି ଉତ୍ତମ କାର୍ଯ୍ୟ ପାଇଁ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ବୈଜ୍ଞାନିକ, ପୋଲିସକର୍ମୀ, ସଫେଇ କର୍ମଚାରୀ ଏବଂ ସବୁ କରୋନା ଯୋଦ୍ଧାଙ୍କ ପ୍ରତି ମୋଦି କୃତଜ୍ଞତା ଜଣାଇଛନ୍ତି । ଅନେକ ଜୀବନ ବଞ୍ଚାଇବା ପାଇଁ ଆମେ ସର୍ବଦା ଏହି କରୋନା ଯୋଦ୍ଧାଙ୍କ ନିକଟରେ ଋଣୀ ରହିବୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Comments are closed.