କୃଷି ଆଇନ୍ ବିରୋଧରୁ ନଜର ହଟାଇବାକୁ ବିଜେପିର ଘେରାଉ ଡାକରା : ବିଜେଡି

ଭୁବନେଶ୍ୱର: କେନ୍ଦ୍ରର କୃଷି ଆଇନ୍‌କୁ ହେଉଥିବା ଦେଶବ୍ୟାପି ବିରୋଧରୁ ନଜର ହଟାଇବା ପାଇଁ ରାଜ୍ୟ ବିଜେପି ଏବେ ଧାନ ସଂଗ୍ରହର ଆଳ ଦେଖାଇ ଆରଡିସି ଅଫିସ୍ ଘେରିବାକୁ ଉଦ୍ୟମ ଚଳାଇଛନ୍ତି । ବିଜେପିର ଏହା ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଦେବ କହିଛନ୍ତି ଯେ , କେନ୍ଦ୍ରର କୃଷି ଆଇନ୍‌କୁ ଏବେ ସାରା ଦେଶରେ ବିରୋଧ ବଢିବାରେ ଲାଗିଛି । ଓଡିଶାର କୃଷକମାନେ ଦିଲ୍ଲୀ ଯାଇ ସେଠାରେ ବିରୋଧ କରୁଛନ୍ତି । ରାଜ୍ୟସଭାରେ ଧ୍ବନି ମତରେ ବିଲ୍ ପାସ୍ କରାଇ କେନ୍ଦ୍ର ସରକାର ଅଡ଼ୁଆରେ ପଡିଥିବାବେଳେ ସେଥିରୁ ନଜର ହଟାଇବା ପାଇଁ ଏବେ ଷଡଯନ୍ତ୍ର ଆରମ୍ଭ ହୋଇଛି । ଏହାର ଫଳ ସ୍ଵରୂପ ରାଜ୍ୟ ବିଜେପି ଏବେ ଧାନ ସଂଗ୍ରହକୁ ଆଳ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହିତ ଆରଡିସି ଅଫିସ ଘେରାଉ ଘୋଷଣା କରିଛି ।

ବିଜେଡି ମୁଖପାତ୍ର କହିଛନ୍ତି ଯେ , ରାଜ୍ୟ ସରକାର ୨୦୦୩ – ୦୪ ବେଳକୁ ୧୦ରୁ ୧୧ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରୁଥିବାବେଳେ ଏବେ ୬୫ରୁ ୭୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରୁଛନ୍ତି । ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ୨୫ରୁ ୨୬ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଆବଶ୍ୟକ ପଡ଼ୁଛି । ଚଳିତବର୍ଷ ବର୍ଭମାନ ସୁଦ୍ଧା ଯେତିକି ଧାନ ସଂଗ୍ରହ ହୋଇଛି ତାହା ଗତବର୍ଷର ଏହି ସମୟ ତୁଳନାରେ ୨୫ ପ୍ରତିଶତ ଅଧୁକ ରହିଛି ଓ ସମଗ୍ର ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ଅଛି । ତେଣୁ ସରକାର ଧାନ ଉଠାଉ ନାହାନ୍ତି ବୋଲି ବିଜେପି ଯେଉଁ ଅଭିଯୋଗ କରୁଛି ସେଥିରେ କୌଣସି ସତ୍ୟତା ନାହିଁ । ବରଂ ରାଜ୍ୟ ସରକାର ଧାନ ସଂଗ୍ରହ କ୍ଷେତ୍ରରେ ଟୋକନ ବ୍ୟବସ୍ଥା ଦ୍ୱାରା ଯେଉଁ ସ୍ଵଚ୍ଛତା ନୀତି ଆପଣେଇଛନ୍ତି ତାହା ଦ୍ବାରା ମଧ୍ୟସ୍ଥି ବ୍ୟବସ୍ଥାର ପରିସମାପ୍ତି ଘଟିଛି । ବିଜେଡି ମୁଖପାତ୍ର ଦେବ କହିଛନ୍ତି ଯେ , ଏକ ରାଜନୈତିକ ଚିନ୍ତାଧାରାରେ ସରକାରଙ୍କୁ କାଠଗଡ଼ାରେ ଛିଡା କରାଇବା ପାଇଁ ବିଜେପି ସବୁବେଳେ ଉଦ୍ୟମ କରୁଛି । ଯଦି କୃଷି ଆଇକୁ ଚାଷୀ ବୁଝିପାରୁ ନାହାନ୍ତି ତେବେ ଭାରତ ସରକାର ତାଙ୍କୁ ବୁଝାନ୍ତୁ । ହେଲେ ତାହା ନକରି ରାଜ୍ୟ ସରକାର ଏୟା କଲେ ସେୟା କଲେ ବୋଲି ବିଜେପି ନେତାମାନେ କହି ବୁଲୁଛନ୍ତି । ଓଡିଶାରେ ଚାଷୀଙ୍କ ଠାରୁ ସରକାର ସୁରୁଖୁରୁରେ ଧାନ ସଂଗ୍ରହ କରୁଥିବାବେଳେ ଏହାକୁ ବିରୋଧ ନକରି ବରଂ କେନ୍ଦ୍ରର କୃଷି ଆଇନ୍ ସଂକ୍ରାନ୍ତରେ ଲୋକଙ୍କୁ ବୁଝାଇବା ପାଇଁ ଦେବ ପରାମର୍ଶ ଦେଇଛନ୍ତି ।

Comments are closed.