କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ପାଇବେ ବୋନସ୍ , ଆର୍ଥିକ ସଶକ୍ତିକରଣ ଦିଗରେ ନବୀନଙ୍କ ଆଉ ଏକ ପଦକ୍ଷେପ | News Room Odisha

କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ପାଇବେ ବୋନସ୍ , ଆର୍ଥିକ ସଶକ୍ତିକରଣ ଦିଗରେ ନବୀନଙ୍କ ଆଉ ଏକ ପଦକ୍ଷେପ

କେନ୍ଦୁପତ୍ର ତୋଳାଳି ଓ ଅନ୍ୟ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ୯୨.୭ କୋଟି ଟଙ୍କାର ବୋନସ୍ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ ନେଇ ନିକଟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିମଧ୍ୟରୁ କେବଳ ବୋନସ୍ ପରିମାଣ ୫୯.୭୮ କୋଟି ଟଙ୍କା ରହିଛି । ସେହିପରି ମୃତ୍ୟୁ ଓ ଅକର୍ମଣ୍ୟ କ୍ଷେତ୍ରରେ ଅନୁକମ୍ପାମୂଳକ ସହାୟତା ରାଶି ୧ ଲକ୍ଷରୁ ଦୁଇ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । କେନ୍ଦୁପତ୍ର କଲ୍ୟାଣ ବୋର୍ଡରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରି ଏହି ଘୋଷଣା କରିଥିଲେ ଯାହାର ସୁଦୂରପ୍ରସାରୀ ପ୍ରଭାବରେ ରାଜ୍ୟର ୭ ଲକ୍ଷ ୫୪ ହଜାର ୬୧ କେନ୍ଦୁପତ୍ର ତୋଳାଳୀ , ୧୮୨୨୩ ବଣେଇ ଶ୍ରମିକ ଏବଂ ୧୬୫୩ ଜଣ ସାମୟିକ କର୍ମଚାରୀ ଉପକୃତ ହୋଇପାରିବେ ।

ରାଜ୍ୟର ପ୍ରାୟ ୨୧ଟି ଜିଲ୍ଲା ( ମୁଖ୍ୟତଃ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ) ରେ ରହିଛନ୍ତି ଏଭଳି ୮ ଲକ୍ଷରୁ ଅଧିକ ଶ୍ରମିକ- କର୍ମଚାରୀ । ସେମାନଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ହେଉଛନ୍ତି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର । ଏମାନେ ସାଧାରଣତଃ ଆର୍ଥିକ ଦୁର୍ବଳ ଶ୍ରେଣୀର । ଗତବର୍ଷ ରାଜ୍ୟ ସରକାର କେନ୍ଦୁପତ୍ର କେରି ପିଛା ତୋଳା ମୂଲ୍ୟ ୧୦୦ ପଇସାରୁ ୧୨୦ ପଇସାକୁ ବୃଦ୍ଧି କରିଥିଲେ । ଏବେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତି ପ୍ରକାରେ କେରି ପିଛା ଆଉ ୬୦ ପଇସା ବୋନସ୍ ପାଇପାରିବେ ତୋଳାଳି ଓ ଶ୍ରମିକ । ଏଥିରୁ ସ୍ପଷ୍ଟ ଯେ ସେମାନେ ଉପରୋକ୍ତ ନିଷ୍ପତ୍ତି ଦ୍ଵାରା କେତେ ଲାଭବାନ ହୋଇପାରିବେ । ରାଜକୋଷକୁ ଲାଭ ଅପେକ୍ଷା ରାଜ୍ୟର ଲକ୍ଷ ଲକ୍ଷ ଆର୍ଥିକ ଅନୁନ୍ନତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଲୋକମାନେ ଯେଭଳି ସେମାନଙ୍କ ପରିଶ୍ରମର ଉଚିତ ମୂଲ୍ୟ ପାଇପାରିବେ ସେଥିପାଇଁ ଏହି ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ପୁଣି ଏହି ବର୍ଗର ଲୋକଙ୍କୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରାଇବା ନେଇ ଆଉ ଏକ ବଡ଼ ସୁଯୋଗ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ- ୨୦୧୪ ମସିହାରେ ଏକ ଐତିହାସିକ ନିଷ୍ପତି ନେଇ ରାଜ୍ୟ ସରକାର କେନ୍ଦୁପତ୍ର ବ୍ୟବସାୟରୁ ପାଉଥିବା ଲାଭାଂଶରେ କେନ୍ଦୁପତ୍ର ତୋଳାଳୀମାନଙ୍କୁ ସାମିଲ କରିଥିଲେ । କୋଭିଡ୍ ସଙ୍କଟ ସତ୍ତ୍ୱେ କେନ୍ଦୁପତ୍ର ବିଭାଗ ୬୦ ଲକ୍ଷରୁ ଅଧିକ କର୍ମ ଦିବସ ସୃଷ୍ଟି କରିପାରିଥିଲା । ୨୦୨୦ ଶସ୍ୟ ବର୍ଷରେ ଏ ବାବଦରେ ୨୫୦ କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ଜରିଆରେ ପଇଠ କରାଯାଇଛି ।

କୋଭିଡ୍ ସ୍ଥିତିରେ ରାଜ୍ୟ ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ରାଜ୍ୟରେ କେନ୍ଦୁପତ୍ର ଉପରେ ନିର୍ଭର କରି ପେଟପାଟଣା ଯୋଗାଡ କରୁଥିବା ଲକ୍ଷ ଲକ୍ଷ ଲୋକ ଉପକୃତ ହୋଇପାରିବେ ବୋଲି କହିଛନ୍ତି ଫୁଲବାଣୀ ଡିଭିଳନ୍ତି କେନ୍ଦୁପତ୍ର କର୍ମଚାରୀ ସଂଘ ସମ୍ପାଦକ ସରୋଜ କୁମାର କର୍ଣ୍ଣ । ୨୦୧୪ ଭଳି ଏଥର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତି ଦ୍ଵାରା ତୃଣମୂଳସ୍ତରର ଲୋକ ଆର୍ଥିକ ସୁଫଳ ପାଇବେ ଓ ସେମାନଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏହା ଉଚିତ ପଦକ୍ଷେପ , ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦୁପତ୍ର ଶ୍ରମିକ – କର୍ମଚାରୀ ନେତା ଉପେନ୍ଦ୍ର ସାମଲ ।

ଫେବୁଆରୀ ମାସରୁ ଆରମ୍ଭ ହୁଏ କେନ୍ଦୁପତ୍ର ସିଜନ୍ । ନଭେମ୍ବର ଡିସେମ୍ବର ମାସରେ ସରେ । ପ୍ରଥମରୁ ଗଛ ସଫା ( ଗୋଛି କଟି ) , ପରେ ଯାହା କେନ୍ଦୁପତ୍ର ଉଠିବ ତାହାକୁ ସଂଗ୍ରହ କରି ଫଡିକୁ ନିଆଯାଏ । ସେଠାରେ ଶୁଖାଯିବା ସହ ବିଡା ବନ୍ଧାଯଇ ବଜାରକୁ ଯାଏ । ଟେଣ୍ଡର ଆଧାରରେ ବଜାରରେ ବିକ୍ରି ହୁଏ କେନ୍ଦୁପତ୍ର ଯାହା ମୁଖ୍ୟତଃ ବିଡି ପ୍ରସ୍ତୁତିରେ ଆବଶ୍ୟକ ହୁଏ । ତେବେ ପରିବର୍ତିତ ସମୟ ଓ ବଜାର ସ୍ଥିତି ସାଙ୍ଗକୁ ସରକାରୀ କଟକଣା ଯୋଗୁଁ ବିଡି ବ୍ୟବସାୟ କମିବାରେ ଲାଗିଛି । ତାହାରି ପ୍ରଭାବରେ ରାଜ୍ୟରେ ଏକଦା ୧୮ ଲକ୍ଷ ଥିଲେ କେନ୍ଦୁପତ୍ର ତୋଳାଳି , ତାହା ଏବେ ପ୍ରାୟ ଆଖିଦୃଶିଆ ହ୍ରାସ ପାଇସାରିଛି । ଏଭଳି ସ୍ଥିତିରେ ସେମାନଙ୍କ ଆର୍ଥିକ ଅବସ୍ଥା ମଧ୍ୟ ପ୍ରଭାବିତ ହେଉଛି । ବିଜୁ ବାବୁଙ୍କ ଅମଳରେ ୫ ଲକ୍ଷ କୁଇଣ୍ଟାଲ କେନ୍ଦୁପତ୍ର ତୋଳିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ତାହା ଏବେ ଲକ୍ଷେ କୁଇଣ୍ଟାଲକୁ ହ୍ରାସ ପାଇଛି । ପୂର୍ବରୁ ଆମେମାନେ ମାସେ କାମରେ ନିୟୋଜିତ ହେଉଥିଲୁ । ଅଧିକ ପରିମାଣର କେନ୍ଦୁପତ୍ର ତୋଳିବାକୁ ଲକ୍ଷ୍ୟ ଦିଆଯାଉଥିଲା । କିନ୍ତୁ ଏବେ ଲକ୍ଷ୍ୟ କମିଛି , ତେଣୁ ସପ୍ତାହକରେ କାମ ସରିଯାଉଛି । ଆମର ଆୟ କମୁଥିବା ବେଳେ ଏଭଳି ବୋନସ୍ ନିଶ୍ଚିତ ଭାବେ ପରିବାର ପ୍ରତିପୋଷଣରେ ସାହାଯ୍ୟ କରିବ ବୋଲି କହିଛନ୍ତି କନ୍ଧମାଳ, ଜି.ଉଦୟଗିରି ବ୍ଲକ୍‌ର ଜଣେ ଶ୍ରମିକ କୁଅଁର ଦିଗାଲ । ଦାରିଙ୍ଗବାଡ଼ି ବ୍ଳକର ପଡ଼ିରେ କାମ କରୁଥିବା ରମେଶ କହଁରଙ୍କ କହିବା ମୁତାବକ ୨୦୦୪ – ୦୫ରେ ଗୋଟିଏ ତୋଳାଳି ପରିବାର ୩୦ – ୩୫ ହଜାର ଟଙ୍କା ଆୟ କରୁଥିଲା , ତାହା ଏବେ ୫ ହଜାର ଟଙ୍କାରେ ସୀମିତ ରହୁଛି । ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ବୋନସ୍ ଆମ ପେଟପାଟଣା ପାଇଁ ସହାୟକ ହେବ । ସେ ବୋନସ୍ ହେଉ ବା ଅକର୍ମଣ୍ୟ ସହାୟତା ନିଶ୍ଚିତ ଭାବେ ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ଏଭଳି ଶ୍ରେଣୀର ଲୋକଙ୍କୁ ବେଶ୍ ସହାୟକ ହେବ ବୋଲି କହିଛନ୍ତି ଦାରିଙ୍ଗବାଡ଼ିର ବୁଦ୍ଧିଜୀବୀ ଉପେନ୍ଦ୍ର କହଁର ।

Padmabati Kisan

ମୁଖ୍ୟମନ୍ତ୍ରୀ ସବୁ ବେଲେଁ ଗରିବ୍ ଲୁକକର୍ ପେଟର୍ କଥା ଜାନି ଆସିଛନ୍ , ଆଘୋନୁ ଭିଲ୍ ଆମକୁଁ ଯେତକି ସୁବିଧା ଦେଇଛନ୍ ଯେ ଭୁଲି ନାଇ ହୁଏ  ଆର୍ ଇହାଦେ ବୋନସ୍ ସାଂଗେଁ ଅପାରୁ ଲୁକକୁଁ ମିଲଲା ଟଁକା କେ ଲାଖେ ନୁ ଦୁଇ ଲାଖ୍ କେ ବଢେଇ କରି ବଢେଟେ ସାହସ୍ ଦେଇଛନ୍  ଆମର୍ କୁଚିଣ୍ଡା ବାଗିର୍ ମରଡି ଏରିଆ ଥିଁ ଇ କେନ୍ଦୁପତର୍ ତ ପେଟ୍ ଚଲଉଛେ ଆର୍ ସୁବିଧା ଟିକେ ନବୀନ ସରକାର୍ ଦେଉଛନ୍ ବଲିଁ ତ ଛୁଆକର୍ ପଢାଲିଖା ନୁ ବିହା ବର୍ ତକ୍ ଆର୍ ବେମାର୍ ପାତିର୍ ଚିକିତ୍ସା ବି ପାଇପାରୁଛୁଁ  ନବୀନ୍ ଆମର୍ ଲାଗିଁ ମାହାପୁରୁ ଆନ୍ , ଏହା କହିଛନ୍ତି ସମ୍ବଲପୁର କୁଚିଣ୍ତାର କେନ୍ଦୁପତ୍ର ତୋଳାଳି ପାଦ୍ମାବତୀ କିଶାନ୍ , ସେହିପରି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ବିଜୟ ମହାନ୍ତି କହିଛନ୍ତି ଯେ ପୂର୍ବରୁ କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ଜିଏସଟି ଲାଗୁ କରି ଗରିବଙ୍କ ପେଟରେ ଲାତ ମାରିଆସିଛନ୍ତି । ହେଲେ ବର୍ତମାନ ରାଜ୍ୟ ସରକାର ଏହାର ଲାଭାଂଶକୁ ନିଜ ପାଖରେ ନ ରଖି କେନ୍ଦୁପତ୍ର ତୋଳାଳିଙ୍କ ନିକଟରେ ବାଣ୍ଟିବାକୁ ନେଇଥିବା ସ୍ବାଗତଯୋଗ୍ୟ,  ଏହାଦ୍ବାରା ୧୦ ଲକ୍ଷ ତୋଳାଳୀ ଓ ୧୭ ହଜାର କର୍ମଚାରୀ ଉପକ୍ରୁତ ହେବେ । ସେହିପରି ଅନ୍ୟ ସହାୟତା ରାଶି ବୃଦ୍ଧି ବି ବର୍ତମାନ ସମୟରେ କେନ୍ଦୁପତ୍ର ଉପରେ ନୀର୍ଭର କରି ବଂଚୁଥିବା ଲକ୍ଷାଧିକ ପରିବାରକୁ ବଡ ଆଶ୍ବସ୍ତି ଦେବ  ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସ୍ବାଗତ କରି ସାଧୁବାଦ ଜଣାଉଛି ।

ମୁଖ୍ୟମନ୍ତ୍ରୀଙ୍କ ବୋନସ୍ ୨୦୨୦ – ୨୧ ସିଜନ୍‌ରୁ ଲାଗୁ ହେଉଥିବାରୁ ଯେଉଁ ତୋଳାଳି ଯେତେ ପରିମାଣର କେନ୍ଦୁପତ୍ର ଦେଇ ଯାହା ପ୍ରାପ୍ୟ ପାଇଥିବେ , ତାହାର ପୁଣି ୫୦ ପ୍ରତିଶତ ଅର୍ଥ ଏବେ ବୋନସ୍ ଆକାରରେ ପାଇବେ । ଯେଉଁମାନେ ୧୦୦୦ କେରି ଦେଇ ୧୨୦୦ ଟଙ୍କା ପାଇଥିଲେ ସେମାନେ ଏବେ ପାଇବେ ଆଉ ୬୦୦ ଟଙ୍କା ବୋନସ୍ । ତୋଳାଳିମାନେ ବନ ବିଭାଗ ନିକଟରେ ପଞ୍ଜୀକୃତ ଥିବାରୁ ଏହା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍ , ପୋଷ୍ଟ ଅଫିସ୍ ଜମାଖାତା ଆଦିରେ ସିଧାସଳଖ ଜମା ହେବ । ନିଶ୍ଚିତ ଭାବେ ଏହା ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ଅଧିକ ମଜବୁତ କରିବ । କେବଳ କେନ୍ଦୁପତ୍ର ତୋଳାଳି କି ଶ୍ରମିକ କର୍ମଚାରୀ ନୁହଁନ୍ତି , ସେ ନିର୍ମାଣ ଶ୍ରମିକ ହୁଅନ୍ତୁ କି ଅଙ୍ଗନବାଡ଼ି- ଆଶା କର୍ମୀ , ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀ ହୁଅନ୍ତୁ ବା ଆର୍ଥିକ ଦୃଷ୍ଟିରୁ ନିଜକୁ ସ୍ବାବଲମ୍ବୀ କରିବାକୁ ପ୍ରୟାସରତ ରାଜ୍ୟର ଲକ୍ଷ ଲକ୍ଷ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ , ସମସ୍ତେ ଯେପରି ଅର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇପାରିବେ , ରାଜ୍ୟର ବିକାଶ ରେ ନିଜ ଅବଦାନକୁ ଅଧିକ ବ୍ୟାପକ କରିପାରିବେ , ସେଥିପାଇଁ ରାଜ୍ୟର ଅଦ୍ବିତୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ତତ୍ପରତା ପ୍ରକାଶ କରି ଆସିଛନ୍ତି । ରାଜ୍ୟବାସୀଙ୍କ ବିକାଶକୁ ନିଜ ସରକାରର ପ୍ରାଥମିକତା ଭାବେ ଗ୍ରହଣ କରି ତଥା ସେହି ଅନୁରୂପ କାର୍ଯ୍ୟକୁ ବାସ୍ତବ କ୍ଷେତ୍ରରେ ପ୍ରତିଫଳନ କରାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଫଳସ୍ବରୂପ ଆଜି ଲକ୍ଷ ଲକ୍ଷ ଓଡ଼ିଆଙ୍କ ମୁହଁରେ ହସ ଫୁଟଇବାରେ ସମର୍ଥ ହୋଇପାରିଛି ନବୀନଙ୍କ ବିଜେଡି ସରକାର । ଆଉ ସେଥିପାଇଁ ତ ଆଜି କ୍ରୀଡ଼ା ହେଉ କି ଭିତ୍ତିଭୂମି ନିର୍ମାଣ , ସ୍ବାସ୍ଥ୍ୟ ସେବା ହେର କିମ୍ବା କୃଷି କ୍ଷେତ୍ରରେ ଜାତୀୟସ୍ତରରେ ଓଡ଼ିଶା ଗୋଟିଏ ପରେ ଗୋଟିଏ ଗୀକୃତି , ପୁରସ୍କାର ହାସଲ କରି ନିଜକୁ ଅଗ୍ରଣୀ ରାଜ୍ୟ ଭାବେ ବିକାଶର ଦୌଡ଼ରେ ଆଗୁଆ ସାମିଲ କରିପାରିଛି ।

ଓଡିଶାର ଅର୍ଥନୀତିକୁ ସ୍ବାଧୀନତାର ପରବର୍ତୀ ସମୟରୁ କେନ୍ଦୁପତ୍ର ଅନେକ ମାତ୍ରାରେ ନିୟନ୍ତ୍ରଣ କରି ଆସିଛି । କୃଷି ପରେ କେନ୍ଦୁପତ୍ର ହିଁ ସର୍ବାଧିକ ପରିବାରକୁ ଦାନା ଦେଇ ଆସିଛି । ବିଶେଷ କରି ରାଜ୍ୟର ୨୧ଟି ଜିଲ୍ଲାର ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକ ଏହି କେନ୍ଦୁପତ୍ର ଉପରେ ନିର୍ଭରଶୀଳ । ଆଉ ପଶ୍ଚିମ ଓ ଦକ୍ଷିଣ ଓଡିଶାର ଆଭ୍ୟନ୍ତରୀଣ ଇଲାକାର ଲକ୍ଷାଧିକ ଲୋକଙ୍କ ପେଟପାଟଣା ଏହା ଉପରେ ଚଳୁଛି । ହେଲେ କେନ୍ଦ୍ରରେ କ୍ଷମତାସୀନ ସରକାରର ତୃଟିପୂର୍ଣ୍ଣ ନୀତି ଅନେକ ସମୟରେ ଲକ୍ଷ ଲକ୍ଷ ତୋଳାଳୀ ଓ କର୍ମଚାରୀଙ୍କ ପାଇଁ କାଳ ସାଜୁଛି । ଏଭଳି ସ୍ଥିତିରେ ଗତ ଦୁଇ ଦଶନ୍ଧି ମଧ୍ୟରେ ନବୀନ ସରକାର ଏହି ଶିଳ୍ପ ତଥା ଏଥିରେ ନିର୍ଭରଶୀଳ ତୋଳାଳୀ ଓ କର୍ମଚାରୀଙ୍କ ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇ ପ୍ରଶଂସାର ପାତ୍ର ହୋଇଛନ୍ତି । ଏପରିକି ବର୍ତମାନର କରୋନା ମହାମାରୀ ସମୟରେ ବୋନସ୍ ଓ ଅନ୍ୟାନ୍ୟ ସହାୟତା ରାଶି ଘୋଷଣା ଲକ୍ଷ ଲକ୍ଷ ତୋଳାଳି ଓ କର୍ମଚାରୀଙ୍କ ପାଇଁ ବଡ ଆଶ୍ବସ୍ତିର କାରଣ ହୋଇଛି ।

CM Naveen PatnaikKendu LeafKendu LeavesOdisha Government