କୋଭିଡ୍ ପରିଚାଳନାରେ ତ୍ରୁଟି ଲୁଚାଇବା ପାଇଁ କେନ୍ଦ୍ରର ‘ସକାରାତ୍ମକତା’ ଅଭିଯାନକୁ ରାହୁଲ ଓ ପ୍ରଶାନ୍ତ କିଶୋରଙ୍କ ସମାଲୋଚନା

ନୂଆଦିଲ୍ଲୀ: କୋଭିଡ୍‌ର ଦ୍ୱିତୀୟ ଲହରୀ ଦେଶରେ ହାହାକାର ସ୍ଥିତି ସୃଷ୍ଟି କରିଥିବା ବେଳେ ନିଜ ଦୋଷତ୍ରୁଟି ଲୁଚାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ତରଫରୁ ଆରମ୍ଭ ହୋଇଥିବା ‘ସକାରାତ୍ମକତା’ ଅଭିଯାନକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କଡ଼ା ସମାଲୋଚନା କରିଛନ୍ତି । କେନ୍ଦ୍ରର ଏଭଳି ଭାବମୂର୍ତ୍ତି ସଜାଡିବା ଅଭିଯାନକୁ ରାହୁଲ ବାଲିରେ ମୁଣ୍ଡ ପୋତିବା ସହ ତୁଳନା କରିଛନ୍ତି । ଦେଶବାସୀଙ୍କ ପ୍ରତି ଏହା ବିଶ୍ୱାସ ଘାତକତା ବୋଲି ସେ କହିଛନ୍ତି ।

ଯେଉଁମାନେ ଅକ୍ସିଜେନ, ବେଡ୍ ଓ ଔଷଧ ଅଭାବରୁ ନିଜ ଆତ୍ମୀୟ ସ୍ୱଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି କେନ୍ଦ୍ରର ଏହି ‘ସକାରାତ୍ମକ’ ଅଭିଯାନ ଏକ କ୍ରୂର ଉପହାସ । ବାଲିରେ ମୁଣ୍ଡା ପୋତିବା ସକାରାତ୍ମକ ନୁହେଁ । ଏହା ଦେଶବାସୀଙ୍କ ପ୍ରତି ଧୋକା ବୋଲି ରାହୁଲ ଟ୍ୱିଟ କରି କହିଛନ୍ତି ।

ସେହିପରି ରାଜନୀତିି ରଣନୀତିଜ୍ଞ ଭାବେ ପରିଚିତ ପ୍ରଶାନ୍ତ କିଶୋର ମଧ୍ୟ କେନ୍ଦ୍ରର ଏଭଳି ଆତ୍ମପ୍ରଚାରକୁ ସମାଲୋଚନା କରିଛନ୍ତି । ଯେଉଁ ସମୟରେ ଚାରିଆଡେ ବିପର୍ଯ୍ୟୟ ଘଟୁଛି ଏବଂ ଦେଶବାସୀ ଶୋକରେ ବୁଡିଛନ୍ତି, ସେତେବେଳେ ସକାରାତ୍ମକତା ନାମରେ ମିଛ ଓ ଆତ୍ମପ୍ରଚାର ଚଳାଇବା ଘୃଣ୍ୟ ମାନସିକତା । ସକାରାତ୍ମକ ହେବା ପାଇଁ ଆମେ ଅନ୍ଧ ଭାବେ ସରକାରଙ୍କ ଏହି ଅଭିଯାନକୁ ଗ୍ରହଣ କରିବା ଉଚିତ ନୁହେଁ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି ।

Comments are closed.