କୋଭିଡ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ଖୋର୍ଧା, କଟକ ଜିଲ୍ଲାରେ କୋଭିଡ ରଣନୀତିକୁ ସୁଦୃଢ ଉପରେ ଗୁରୁତ୍ୱ

ଭୁବନେଶ୍ୱର –କୋଭିଡ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଖୋର୍ଧା ଓ କଟକ ଜିଲ୍ଲାର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହି ଦୁଇ ଜିଲ୍ଲାରେ କୋଭିଡ ରଣନୀତି ସୁଦୃଢ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ରାଜ୍ୟରେ ଅର୍ଥନୀତି ସୁଦୃଢ କରିବାକୁ ପରାମର୍ଶ ଦେଇଛନ୍ତି ନବୀନ । ଜୀବିକା ସୃଷ୍ଟି ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଏ ଯାଏଁ ୨୦ ଲକ୍ଷଙ୍କ କୋଭିଡ ଟେଷ୍ଟ ହୋଇଛି ।

ରାଜ୍ୟରେ ପ୍ରତି ୧୦ ଲକ୍ଷ ଲୋକରେ ୪୨ ହଜାର ୪୦୪ ଟେଷ୍ଟିଂ ହେଉଛି । ଏହା ଜାତୀୟ ହାରଠାରୁ ବି ଅଧିକ । ରାଜ୍ୟରେ ଆରୋଗ୍ୟ ହାର ୭୬ ଦଶମିକ ୭୮ ପ୍ରତିଶତ ରହିଛି । ମୃତ୍ୟୁହାର ଶୂନ ଦଶମିକ ୪୬ ପ୍ରତିଶତ ଥିବା ସୂଚନା ମିଳିଛି ।

ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୌସୁମୀ ବର୍ଷା, ବନ୍ୟା ତଥା ପରିବହନ କ୍ଷେତ୍ରରେ ପୂର୍ବାବସ୍ଥା ଫେରୁଥିବାରୁ କୋଭିଡ ପରିଚାଳନା ପାଇଁ ଏହା ଆହ୍ୱାନ ସୃଷ୍ଟି କରିଛି । ତେଣୁ ଏହିସବୁ ଆହ୍ୱାନକୁ ଦୃଷ୍ଟିରେ ରଖି କୋଭିଡ ରଣନୀତିକୁ କାର୍ଯ୍ୟକାରୀ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ବର୍ଷାଋତୁରେ ସର୍ଦ୍ଦି,କାଶର ସମ୍ଭାବନା ରହୁଥିବାରୁ ଏସବୁ ଲକ୍ଷଣ ଉପରେ ତୀକ୍ଷଣ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ସମସ୍ତ ଜ୍ୱର କ୍ଲିନିକଗୁଡିକୁ ଆଲର୍ଟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହିତ ସ୍ୱାସ୍ଥ୍ୟ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ମିଳିତ ଭାବେ ବିଭିନ୍ନ କୋଭିଡ ପ୍ରୋଟୋକଲକୁ ନେଇ ଏକ ସଚେତନତା ଅଭିଯାନ ତୁରନ୍ତ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସରକାରୀ କର୍ମଚାରୀଙ୍କ ମଧ୍ୟରେ ବିଶେଷ କରି କଟକ ଓ ଭୁବନେଶ୍ୱରରେ କର୍ମଚାରୀଙ୍କ ମଧ୍ୟରେ ଅଧିକ ସଂଖ୍ୟାରେ କେସ୍ ବଢୁଥିବାରୁ କୋଭିଡ ନିୟମ କଡାକଡି ଭାବେ ପାଶନ ଉପରେ ଜୋର୍ ଦେଇଥିଲେ ନବୀନ । ରାଜ୍ୟରେ କୃଷି ,ଶିଳ୍ପ, ଏମଏସଏମଇ ଓ ଅନ୍ୟାନ୍ୟ କ୍ଷେତ୍ରରେ ସମସ୍ତ କାର୍ଯ୍ୟକ୍ରମ ସ୍ୱାଭାବିକ ହୋଇଆସୁଛି ବୋଲି ବୈଠକରେ କୁହାଯାଇଛି । ଅଗଷ୍ଟ-ସେପଟେମ୍ବର ସୁଦ୍ଧା ସମସ୍ତ କ୍ଷେତ୍ରରେ ସୁଧାର ଆସିଛି । କୃଷି କ୍ଷେତ୍ରରେ ଚଳିତବର୍ଷ ଖରିଫରେ ୫୫ ଦଶମିକ ୫୨ ଲକ୍ଷ ହେକ୍ଟର ଜମି ଚାଷ କରାଯାଇଛି , ଯାହା କି ଗତବର୍ଷଠାରୁ ୫ ପ୍ରତିଶତ ଅଧିକ ।

Comments are closed.