କୋଭିଡ ସ୍ଥିତିକୁ ନଜରରେ ରଖି ରାଉରକେଲା ମହାନଗର ନିଗମର ବ୍ୟାପକ ପ୍ରସ୍ତୁତି

ରାଉରକେଲା: ସହରରେ କୋଭିଡ ଜନିତ ସ୍ଥିତିର ମୁକାବିଲା ଲାଗି ରାଉରକେଲା ମହାନଗର ନିଗମ ନିଜ ପ୍ରସ୍ତୁତିକୁ ଆହୁରି ମଜବୁତ କରିଛି। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ପୂର୍ବରୁ କାର୍ଯ୍ୟକ୍ଷମ ୨୪0 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟରକୁ ମିଶାଇ ତିନୋଟି ପୃଥକ ପୃଥକ କୋଠାରେ ମୋଟ ୭00 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ସ୍ଥାପନ କରାଯାଇଛି। ଏହି ସେଣ୍ଟରରେ କୋଭିଡ ପଜିଟିଭ ରୋଗୀଙ୍କୁ ରଖି ସେମାନଙ୍କ ଚିକିତ୍ସା ଲାଗି ବ୍ୟବସ୍ଥା କରାଯାଉଛି। ଏହି ସେଣ୍ଟରରେ ଖାଦ୍ୟ ପାନୀୟ ଠାରୁ ଆରମ୍ଭ କରି ସାନିଟାଇଜେସନ ଓ ଅନ୍ୟାନ୍ୟ ବ୍ୟବସ୍ଥା ରାଉରକେଲା ମହାନଗର ନିଗମ ପକ୍ଷରୁ କରାଯାଉଛି। ଏଥିସହ ବିପିୟୁଟି ପରିସରରେ ଥିବା ମଲ୍ଟି ପର୍ପଜ୍ ବିଲ୍ଡିଂ ପରିସରରେ ଏକ ଉତ୍ସର୍ଗୀକୃତ କୋଭିଡ ପଂଜୀକରଣ କେନ୍ଦ୍ର ମଧ୍ୟ ଖୋଲାଯାଇଛି। ବାହାରୁ ଆସୁଥିବା ଲୋକେ  ରାଉରକେଲାରେ ପହଞ୍ଚିବା ପରେ ପ୍ରଥମେ ଏହି ପଞ୍ଜୀକରଣ କେନ୍ଦ୍ରକୁ ଯାଇ ନିଜର ପଞ୍ଜୀକରଣ କରାଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ ହୋମ୍ କ୍ୱାରାଣ୍ଟିନ ବା ସରକାରୀ କ୍ୱାରାଣ୍ଟିନରେ ଯାଉଛନ୍ତି। ଫଳରେ କୋଭିଡ ପରିଚାଳନା ବ୍ୟବସ୍ଥାକୁ ସୂଚାରୁ ରୂପେ ବ୍ୟବସ୍ଥିତ ଢଙ୍ଗରେ କରାଯାଇପାରୁଛି।

ଏହାବାଦ୍ ରାଉରକେଲା ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ମୋଟ ୫୫୦ ଶଯ୍ୟା ବିଶିଷ୍ଟ ଟେମ୍ପରାରୀ ମେଡିକାଲ କ୍ୟାମ୍ପ ବା
ଟି ଏମ୍ ସି ସ୍ଥାପନ କରାଯାଇଛି। କୋଭିଡ ଲକ୍ଷଣ ବିହିନ ଲୋକେ, ଯେଉଁମାନଙ୍କ ହୋମ୍ କ୍ୱାରାଣ୍ଟିନ ଲାଗି ବ୍ୟବସ୍ଥା ନାହିଁ, ସେମାନଙ୍କୁ ଏଠାରେ ୧୪ ଦିନ ପାଇଁ କ୍ୱାରାଣ୍ଟିନରେ ରଖାଯାଉଛି। ବର୍ତ୍ତମାନର ଆବଶ୍ୟକତାକୁ ନଜରରେ ରଖି ସହରର ଆହୁରି ୩ଟି ସ୍ଥାନରେ  ମୋଟ ୬00 ଶଯ୍ୟା ବିଶିଷ୍ଟ ଟି ଏମ୍ ସି ଅତି ସ୍ୱଳ୍ପ ଦିନ ମଧ୍ୟରେ ସ୍ଥାପନ କରାଯିବା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି।  ଖୁବ କମ ସମୟ ମଧ୍ୟରେ ଏହା ମଧ୍ୟ କାର୍ଯ୍ୟକ୍ଷମ ହେବ।

ଆବଶ୍ୟକ ସ୍ଥଳେ ବର୍ତ୍ତମାନ ଥିବା କୋଭିଡ କେୟାର ସେଣ୍ଟରରେ ଅତିରିକ୍ତ ଶଯ୍ୟା ଲାଗି ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ରାଉରକେଲା ମହାନଗର ନିଗମ କମିଶନର ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି। ବାହାରୁ ବିଶେଷ କରି ଅଧିକ ସଂକ୍ରମିତ ଅଞ୍ଚଳରୁ ରାଉରକେଲାକୁ ଆସୁଥିବା ବ୍ୟକ୍ତିମାନେ କୋଭିଡ ରେଜିଷ୍ଟ୍ରେସନ ସେଣ୍ଟରରେ ବାଧ୍ୟତାମୂଳକ ଭାବେ ପଞ୍ଜୀକରଣ କରିବା ଲାଗି ସେ ନିବେଦନ କରିଛନ୍ତି। ଏବେ ରାଉରକେଲା ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଭାବେ ସାନିଟାଇଜେସନ କାର୍ଯ୍ୟ ଚାଲିଛି ଏଥିଲାଗି  ୨0ଟି ଟିମ୍ ନିୟୋଜିତ ହୋଇଥିବା ବେଳେ ଦୁଇଟି ଅତ୍ୟାଧୁନିକ ବୁମ୍ ସ୍ପ୍ରେୟାର ମେସିନ ଓ ଭେଲ୍ ମିଷ୍ଚ୍ ମେସିନ ଯୋଗେ ମଧ୍ୟ କାର୍ଯ୍ୟ ଚାଲିଥିବା ସେ ସୂଚନା ଦେଇଛନ୍ତି। ଏଥିସହ ସପ୍ତାହନ୍ତ ଶଟଡାଉନ୍ କୁ ରାଉରକେଲା ବାସୀ ସଫଳ କରିଥିବାରୁ ସେ ସମସ୍ତଙ୍କୁ ନିଜ କୃତଜ୍ଞତା ଜଣାଇଛନ୍ତି। ଆଗକୁ ମଧ୍ୟ ସମସ୍ତେ କୋଭିଡ ସଂପର୍କିତ ସମସ୍ତ ନିୟମାବଳୀ ମାନି ଚଳିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ବର୍ତ୍ତମାନ ସ୍ଥିତିରେ ସାମାଜିକ ଦୂରତ୍ୱ ବଜାୟ ରଖିବା, ମାସ୍କ ପିନ୍ଧିବା, ବ୍ୟକ୍ତିଗତ ପରିଛନ୍ନତା ବଜାୟ ରଖିବା ଓ ହାତ ଧୋଇବା ଭଳି ନିୟମକୁ ମାନି ଚଳିବା ହିଁ କରୋନା ବିରୋଧରେ ସର୍ବୋତ୍କୃଷ୍ଟ ଅସ୍ତ୍ର ବୋଲି ବର୍ଣ୍ଣନା କରି ଏଥିଲାଗି ସମସ୍ତେ ଯତ୍ନବାନ ହେବାକୁ ସେ ଅନୁରୋଧ କରିଛନ୍ତି।

Comments are closed.