କ୍ରମାଗତ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା

କୋଲକାତା: ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ନିଜ ତୃତୀୟ ଇନିଂସ୍ ଆରମ୍ଭ କରିଛନ୍ତି । କ୍ରମାଗତ ତୃତୀୟ ଥର ପାଇଁ ମମତା ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି । ରାଜଭବନରେ ଅନୁଷ୍ଠିତ ଏକ ନିରାଡ଼ମ୍ବର ଉତ୍ସବରେ ରାଜ୍ୟପାଳ ଜଗଦୀପ ଧନଖର ମମତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ମମତା ବଙ୍ଗଳାରେ ଶପଥ ନେଇଥିଲେ । ରବିନ୍ଦ୍ରନାଥ ଠାକୁରଙ୍କ ଜନ୍ମଦିବସ ତଥା ମେ ୯ରେ ମମତା ସରକାରର ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।

ଆଠ ପର୍ଯ୍ୟାୟରେ ଅନୁଷ୍ଠିତ ପଶ୍ଚିମବଙ୍ଗ ନିର୍ବାଚନରେ ମମତାଙ୍କ ତୃଣମୂଳ କଂଗ୍ରେସ ବିପୁଳ ବିଜୟ ହାସଲ କରିଥିଲା । ବିଜେପିର କଡ଼ା ଚ୍ୟାଲେଞ୍ଜକୁ ପ୍ରତିହତ କରି ମମତାଙ୍କ ଦଳ ୨୧୩ ଆସନରେ ବିଜୟୀ ହୋଇ ବହୁମତ ହାସଲ କରିଥିଲା । ବିଜେପି କେବଳ ୭୭ଟି ଆସନରେ ସୀମିତ ରହିଥିଲା । ତେବେ ମମତା ନିଜେ ନନ୍ଦିଗ୍ରାମ ଆସନରେ ତାଙ୍କର ଏକଦା ଘନିଷ୍ଠ ସହଯୋଗୀ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୯୫୬ ଭୋଟ୍‌ରେ ହାରିଯାଇଥିଲେ । ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ମମତାଙ୍କୁ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡିବ ।

Comments are closed.