ଗଞ୍ଜାମ ଜିଲ୍ଲା ପ୍ରଶାସନର ‘ରାଜସ୍ୱ ରଥ‘ କାର୍ଯ୍ୟକ୍ରମ ଆପଣାଇବା ପାଇଁ ଅନ୍ୟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗର ଚିଠି

ଭୁବନେଶ୍ୱର- କୋରୋନା ମହାମାରୀ ଯୋଗୁଁ ଲକଡାଉନ ଓ ସଟଡାଉନରେ ଅଫିସ କାମ ବାଧାପ୍ରାପ୍ତ ହୋଇଛି । ଲୋକଙ୍କୁ ଅଫିସ ଯିବା ନେଇ ବି କଟକଣା ରହିଛି । ତେବେ, ଜମିଜମା ଓ ଅନ୍ୟ ରାଜସ୍ୱ ସଂପର୍କିତ କାମ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ଅଭିନବ ରାଜସ୍ୱ ରଥ ମଡେଲ୍ ଆପଣାଇବାକୁ ଅନ୍ୟ ଜିଲ୍ଲାପାଳଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଚିଠି ଲେଖିଛି ।

ସୂଚନାଯୋଗ୍ୟ ଯେ, କୋରୋନା ମହାମାରୀ ବେଳେ ଲୋକଙ୍କୁ ରାଜସ୍ୱ ସଂପର୍କିତ ସରକାରୀ ସେବା ଯୋଗାଇ ଦେବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ‘ରାଜସ୍ୱ ରଥ‘ କାର୍ଯ୍ୟକ୍ରମ । ଲୋକମାନଙ୍କୁ ସେମାନଙ୍କ ଜମିଜମା କାମ ପାଇଁ ଆଉ ଆରଆଇ କି ତହସିଲ ଅଫିସ ଯିବାକୁ ପଡିବ ନାହିଁ । କୋଭିଡ ସଂକ୍ରମଣ ଦୃଷ୍ଟିରୁ ରାଜ୍ୟରେ ଲକଡାଉନ ଓ ସପ୍ତାହାନ୍ତ ସଟଡାଉନ ଜାରି ରହିଛି । ତହସିଲ କି ଆରଆଇ ଅଫିସ ଯିବା ପାଇଁ କଟକଣା ଜାରି ହୋଇଛି । ତେଣୁ ଲୋକଙ୍କ ଘର ଦୁଆରେ ସେବା ଯୋଗାଇ ଦେବା ପାଇଁ ରାଜସ୍ୱ ରଥ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଘରେ ଘରେ ସାର୍ଟିଫିକେଟ ପହଂଚାଇବେ ରାଜସ୍ୱ କର୍ମଚାରୀ । ଲୋକଙ୍କ ଦୁଆର ମୁହଁରୁ ଏ ସଂପର୍କିତ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ । ଲକଡାଉନ ସରିବା ଯାଏଁ ଏହି ରଥ ଘର ଘର ବୁଲି ଲୋକଙ୍କୁ ସେବା ଯୋଗାଇବ ।

Comments are closed.