ଗଣତନ୍ତ୍ର ଦିବସ ପରେଡରେ ଭାଗନେବେ ବାଂଲାଦେଶ ସେନାବାହିନୀ

ନୂଆଦିଲ୍ଲୀ – ଚଳିତ ବର୍ଷ ଗଣତନ୍ତ୍ର ଦିବସ ପରେଡରେ ଭାରତୀୟ ସୈନିକମାନଙ୍କ ସହ ବାଂଲାଦେଶ ସେନାର ଏକ କଣ୍ଟିଜେଣ୍ଟ ମଧ୍ୟ ରାଜପଥରେ ମାର୍ଚିଂ କରିବ। ତୃତୀୟ ଥର ପାଇଁ ରାଜପଥରେ ଏକ ମିତ୍ରରାଷ୍ଟ୍ରର ସାମରିକ ବାହିନୀ ଗଣତନ୍ତ୍ର ଦିବସ ପରେଡରେ ଭାଗ ନେବେ । ଏହାପୂର୍ବରୁ ଫ୍ରାନ୍ସ (୨୦୧୬) ଏବଂ ୟୁଏଇ (୨୦୧୭)ର ସେନା ଗଣତନ୍ତ୍ର ଦିବସ ପରେଡରେ ଭାଗ ନେଇଥିଲେ। ବଡ଼ କଥା ହେଉଛି ୧୯୭୧ରେ ପାକିସ୍ତାନ ସହ ହୋଇଥିବା ଯୁଦ୍ଧରେ ବିଜୟର ସୁବର୍ଣ୍ଣ ବର୍ଷ ପାଳନ କରୁୁୁଛି ଭାରତ । ୧୯୭୧ ଯୁଦ୍ଧ ପରେ ହିଁ ପାକିସ୍ତାନ ଦୁଇ ଭାଗରେ ବିଭକ୍ତ ହୋଇ ବାଂଲାଦେଶର ସୃଷ୍ଟି ହୋଇଥିଲା।

ସୂଚନାନୁସାରେ, ବାଂଲାଦେଶ କଣ୍ଟିଜେଣ୍ଟରେ ତିନି ସେନା ଅର୍ଥାତ୍ ସ୍ଥଳସେନା, ବାୟୁସେନା ଏବଂ ନୌସେନା ଗଣତନ୍ତ୍ର ଦିବସ ପରେଡରେ ଭାଗ ନେବେ ।

ବାଂଲାଦେଶ ସୈନ୍ୟବାହିନୀରେ ସାମରିକ ବ୍ୟାଣ୍ଡର ସଦସ୍ୟମାନଙ୍କ ସହିତ ସମୁଦାୟ ୧୨୨ ସୈନିକ ରହିବେ । କଣ୍ଟିଜେଣ୍ଟ ୧୨ ଜାନୁୟାରୀରେ ଭାରତୀୟ ବାୟୁସେନା ବିମାନରେ ଦିଲ୍ଲୀରେ ପହଞ୍ଚିବ ଏବଂ ୧୯ ଜାନୁୟାରୀ ପର୍ଯ୍ୟନ୍ତ କ୍ବାରେଣ୍ଟାଇନରେ ରହିବ। ପରେଡରେ ଭାଗ ନେବାକୁ ସୈନ୍ୟମାନେ ସେମାନଙ୍କର ସେରିମନିଆଲ୍ ରାଇଫଲ ବାଂଲାଦେଶରୁ ଆଣିବେ।

ବାଂଲାଦେଶ ସଶସ୍ତ୍ର ବାହିନୀର ଏହି ଦଳ ଜାନୁଆରୀ ୩୦ ପର୍ଯ୍ୟନ୍ତ ଭାରତରେ ରହିବ। ପରେଡରେ ଅଂଶଗ୍ରହଣ କରିବା ବ୍ୟତୀତ ବାଂଲାଦେଶୀ କଣ୍ଟିଜେଣ୍ଟ୍ ମଧ୍ୟ ଆଗ୍ରା ଏବଂ ଅଜମେର ପରିଦର୍ଶନ କରିବେ।

ଚଳିତ ବର୍ଷ କୋଭିଡ ପ୍ରୋଟୋକଲ ଯୋଗୁଁ ଗଣତନ୍ତ୍ର ଦିବସ ପରେଡରେ ଆସୁଥିବା ଦର୍ଶକଙ୍କ ସଂଖ୍ୟା ବେଶ୍ କମାଇ ଦିଆଯାଇଛି। ଏକ ଆକଳନ ଅନୁଯାୟୀ, ପ୍ରତିବର୍ଷ ଗଣତନ୍ତ୍ର ଦିବସ ପରେଡ୍ ଦେଖିବା ପାଇଁ ରାଜପଥ ଏବଂ ଆଖପାଖ ଅଞ୍ଚଳରେ ପ୍ରାୟ ଏକ ଲକ୍ଷ ଲୋକଙ୍କ ଭିଡ଼ ଜମିଥାଏ | ଏଥର ଭିଡ଼କୁ ଏକ ଚତୁର୍ଥାଂଶ ରଖାଯିବ।

Comments are closed.