ଗଣମାଧ୍ୟମ ପ୍ରତି ସମ୍ବେଦନଶୀଳ ନବୀନ ସରକାର

ବିଶ୍ୱରେ ବର୍ଷକୁ ବର୍ଷ ଗଣମାଧ୍ୟମ ପ୍ରତି ବିପଦ ବୃଦ୍ଧି ପାଇ ଚାଲିଛି । ଏକ ବିଶ୍ବସ୍ତରୀୟ ଆକଳନ ଅନୁସାରେ ବିଶ୍ୱର ବିଭିନ୍ନ ଦେଶ ସେ ଚାଇନା କିମ୍ବା ଉତ୍ତର କୋରିଆ ଭଳି ଏକଛତ୍ରବାଦ ରାଷ୍ଟ୍ର ହେଉ ବା ଆମେରିକା ଭଳି ବିକଶିତ ଆଧୁନିକ ଦେଶ, ଆତଙ୍କବାଦ ଓ ଦାରିଦ୍ର୍ୟ ସହ ସଂଘର୍ଷ କରୁଥିବା ସୋମାଲିଆ ହେଉ କିମ୍ବା କଠୋରପନ୍ଥୀ ମୌଳବାଦୀର ପ୍ରାଧାନ୍ୟ ଥିବା ପାକିସ୍ଥାନ ଭଳି ସ୍ଥାନ, ସବୁଠି ସାମ୍ବାଦିକଙ୍କ ପ୍ରତି ଆକ୍ରମଣ, ଅସହିଷ୍ଣୁତାରେ ଲଗାତାର ବୃଦ୍ଧି ଘଟି ଚାଲିଛି । ଦୁର୍ନୀତି ଓ ଶୋଷଣ ବିରୋଧରେ ତଥ୍ୟ ଉନ୍ମୋଚନ ପାଇଁ ସାମ୍ବାଦିକମାନେ ଜୀବନକୁ ବାଜି ଲଗାଇ ଦେଉଥିବା ବେଳେ ସେ ବ୍ୟକ୍ତିଗତ ଭାବେ ସାମ୍ବାଦିକଙ୍କ ଠାରୁ ଆରମ୍ଭ କରି ସାମୂହିକ ରୂପେ ଗଣମାଧ୍ୟମ ଅନୁଷ୍ଠାନର ସ୍ଵାଧୀନତାକୁ ଶୃଙ୍ଖଳବଦ୍ଧ, ସୀମିତ କରିବାକୁ ପ୍ରଚେଷ୍ଟା କରାଯାଉଛି। ଏପରିକି ଆମ ଦେଶ ଭାରତରେ ମଧ୍ୟ ଏହାର ନଜୀର କମ୍ ନୁହେଁ । ଜରୁରୀକାଳୀନ ପରିସ୍ଥିତି ଭଳି ଅତୀତ କୁହନ୍ତୁ ବା କରୋନା ମହାମାରୀ ଭଳି ବିପର୍ଯ୍ୟୟ କଥା କୁହନ୍ତୁ, ଗଣମାଧ୍ୟମର ସ୍ବାଧୀନ ମତବ୍ୟକ୍ତ ଅଧିକାରକୁ ଓଲଟି ସୀମିତ କରିଦେବା ପାଇଁ ପ୍ରୟାସ କରାଯାଉଛି। କିନ୍ତୁ ସେ ଦୃଷ୍ଟିରୁ ଆମ ରାଜ୍ୟ ବେଶ୍ ଉତ୍ତମ ସ୍ଥିତିରେ ରହିଛି। ପ୍ରତିକୂଳ ତ ଦୂରର କଥା, ଗଣମାଧ୍ୟମ ପ୍ରତି ସଦା ନିଜ ସମ୍ବେଦନଶୀଳତା ପ୍ରକାଶ କରି ଆସିଛନ୍ତି ବର୍ତ୍ତମାନର ରାଜ୍ୟ ସରକାର । ଓଲଟି ସାମ୍ବାଦିକଙ୍କ ସକାଶେ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଦାନ୍ୟତା ସର୍ବଦା ପ୍ରଶଂସିତ ହୋଇ ଆସିଛି।

ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ଦିବସ (ମେ ୩ ତାରିଖ) ପୂର୍ବରୁ ରାଜ୍ୟର ସାମ୍ବାଦିକଙ୍କ ପାଇଁ ଏକାଧିକ ଖୁସି ଖବର ଆଣି ଦେଇଥିଲେ ମୁଖ୍ୟମନ୍ତ୍ରୀ। କେନ୍ଦ୍ର ସରକାର ଯଦିଓ ପଛଘୁଞ୍ଚା ଦେଇଥିଲେ ତେବେ ରାଜ୍ୟ ସରକାର ଗଣମାଧ୍ୟମ ପ୍ରତି ନିଜ ପ୍ରତିବଦ୍ଧତା ଦୋହରାଇ ସେମାନଙ୍କୁ ପୁଣି ଥରେ ଆଗଧାଡିର କରୋନା ଯୋଦ୍ଧା ଭାବେ ଘୋଷଣା କରିଥିଲେ । କରୋନା ମହାମାରୀ ପ୍ରଥମ ପର୍ଯ୍ୟାୟରେ ମଧ୍ୟ ରାଜ୍ୟ ସରକାର କୌଣସି ଦ୍ବିଧା ବିନା ସାମ୍ବାଦିକଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେଇଥିଲେ । କରୋନା ମହାମାରୀର ଶିକାର ହୋଇଥିବା ଅନେକ ସାମ୍ବାଦିକଙ୍କ ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ନିଜର ଓ ନିଜ ସରକାରଙ୍କ ସମବେଦନା ଜ୍ଞାପନ କରିବା ସାଙ୍ଗକୁ ଘୋଷଣା ମୁତାବକ ୧୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମଧ୍ୟ ଅବିଳମ୍ବେ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫଳରେ ଅସହାୟ ଅବସ୍ଥାରେ କାଳ ବିତାଇବା ବଦଳରେ ମୃତ ସାମ୍ବାଦିକଙ୍କ ପରିବାରର ଭବିଷ୍ୟତ ଅନ୍ତତଃ ବେଶ୍ ମାତ୍ରାରେ ସ୍ବଚ୍ଛଳ ଓ ସୁରକ୍ଷିତ ହୋଇପାରିଥିଲା। ଦ୍ବିତୀୟ ଲହରୀର ମାରାତ୍ମକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣି ଥରେ ମହାମାରୀର ଦୁଖଃଦ ଶିକାର ହେଉଥିବା ସାମ୍ବାଦିକଙ୍କୁ ୧୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନର ପୁଣି ଘୋଷଣା କରିଛନ୍ତି। ଫଳରେ ରାଜ୍ୟର ସାମ୍ବାଦିକ ମହଲ ଏବେ ଆଶ୍ୱସ୍ତ ଯେ- ସେମାନଙ୍କ କମ୍ପାନୀ, ସହଯୋଗୀ, ବନ୍ଧୁବାନ୍ଧବ ଆଗେଇ ଆସନ୍ତୁ କିମ୍ବା ନ ଆସନ୍ତୁ, ରାଜ୍ୟ ସରକାର ସେମାନଙ୍କ ପରେ ପରିବାର ଲୋକଙ୍କ ସହାୟତା ପାଇଁ ଆଗେଇ ଆସିବ।

ଯେଉଁ ସାମ୍ବାଦିକମାନେ କରୋନା ଦ୍ବିତୀୟ ଲହରୀରେ ନିଜ ପ୍ରତି ବିପଦ ଅପେକ୍ଷା ମହାମାରୀ ମୁକାବିଲା ନେଇ ଖବର ପ୍ରଚାର ପ୍ରସାର ଜରିଆରେ ସଚେତନତା ସୃଷ୍ଟି ଓ ଲୋକଙ୍କୁ ସଜାଗ କରିବାର ଦାୟିତ୍ବ ନିର୍ବାହକୁ ଅଧିକ ଗୁରୁତ୍ବ ଦେଇଥିଲେ ସେମାନଙ୍କ ପ୍ରତି ନବୀନ ସରକାର ମଧ୍ୟ ନିଜ କୃତଜ୍ଞତା ଜଣାଇବାରେ କୌଣସି ଦ୍ବିଧା ପ୍ରକାଶ କରି ନଥିଲେ। କେନ୍ଦ୍ର ସରକାର କୌଣସି ବ୍ୟବସ୍ଥା କରି ନଥିଲେ, ଅନ୍ୟ ରାଜ୍ୟରେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନେବା ଅପେକ୍ଷା ହାତ ବାନ୍ଧି ଚୁପ୍ ବସିବାକୁ ପସନ୍ଦ କରିଥିଲେ । କିନ୍ତୁ ଓଡ଼ିଶାରେ ରାଜ୍ୟ ସରକାର ସାମ୍ବାଦିକଙ୍କୁ ଆଗଧାଡିର ଯୋଦ୍ଧା ଭାବେ ଘୋଷଣା କରି ସେମାନଙ୍କ ଟିକାକରଣ ପାଇଁ ରାସ୍ତା ପ୍ରଶସ୍ତ କରି ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ ଆମ ରାଜ୍ୟର ଗଣମାଧ୍ୟମ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ସିଂହଭାଗ ହେଉଛନ୍ତି ଯୁବ ଗୋଷ୍ଠୀ ଯେଉଁମାନଙ୍କ ବୟସ ୪୫ ବର୍ଷରୁ କମ୍ । କିନ୍ତୁ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍ ଅନୁସାରେ କେବଳ ୪୫ ବର୍ଷରୁ ଊର୍ଦ୍ଧ୍ଵ ତଥା କରୋନା ଯୋଦ୍ଧା ମାଗଣାରେ ଟିକା ପାଇପାରିବେ। ତେବେ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଆମ ରାଜ୍ୟର ସବୁ ସାମ୍ବାଦିକ ସୁବିଧାରେ, ନିଃଶୁଳ୍କରେ ପ୍ରାଥମିକତା ଭିତ୍ତିରେ ଟିକାକରଣରେ ସାମିଲ ହୋଇପାରିଥିଲେ । ଗଞ୍ଜାମରେ ବିଶ୍ୱ। ପ୍ରେସ୍ ସ୍ୱାଧୀନତା ଦିବସରେ ସ୍ଵତନ୍ତ୍ର ଭାବେ ସାମ୍ବାଦିକଙ୍କୁ ଟିକା ପ୍ରଦାନ ଏହାର ଏକ ନଜିରମାତ୍ର । ଅନେକ ସାମ୍ବାଦିକ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ତଥା ସାମୂହିକ ରୂପେ ଅନ୍ତରରୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ତେବେ ଏହା ପ୍ରଥମ କଥା ନୁହେଁ, ରାଜ୍ୟରେ ପୂର୍ବରୁ ସାମ୍ବାଦିକଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ଲାଗୁ, ସରକାରୀ ଆବାସ ଯୋଗାଣ ଭଳି ଅନେକ କ୍ଷେତ୍ରରେ ପ୍ରାଥମିକତା ଦେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆହୁରି ମଧ୍ୟ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ, ଅତିରିକ୍ତ ସୁବିଧା ସୁଯୋଗ ଯୋଗାଣ, ସେମାନଙ୍କ ଖବର ଉପରେ ପ୍ରଶାସନିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କ୍ଷେତ୍ରରେ ଓଡିଶା ଅନ୍ୟ ରାଜ୍ୟ ପାଇଁ ଅନୁକରଣୀୟ ହୋଇଛି। ଆହୁରି ମଧ୍ୟ କେନ୍ଦ୍ର ସରକାରଙ୍କ ସମେତ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ଵାରା ଏଭଳି ନଜିର ରହିଛି ଯେଉଁଠି ସରକାର ବିରୋଧୀ ଖବର ପରିବେଷଣ ପରେ ସେମାନଙ୍କ ବିରୋଧରେ ଦେଶଦ୍ରୋହ, ରାଷ୍ଟ୍ରବିରୋଧୀ କାର୍ଯ୍ୟକଳାପର କଠୋର ଦଫା ଓ ଆଇନ ଲାଗୁ କରି ସରକାର ସେମାନଙ୍କୁ ଶୃଙ୍ଖଳବଦ୍ଧ କରିଛନ୍ତି । ଜେଲରେ ପୁରାଇ ସେମାନଙ୍କ ସ୍ୱାଧୀନତା ଅପହରଣ କରିଛନ୍ତି । କିନ୍ତୁ ଓଡିଶାରେ ଗତ ଅନେକ ବର୍ଷ ଧରି ଏଭଳି କୌଣସି ନଜିର ନରହିବା ହିଁ ଏହା ପ୍ରମାଣିତ କରୁଛି ଯେ- ଓଡ଼ିଶା ଗଣମାଧ୍ୟମ ପାଇଁ କେତେ ଅନୁକୂଳ । ଆହୁରି ମଧ୍ୟ ଅନେକ ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଅଧିକାରୀ, ମାଫିଆ, ଆତଙ୍କବାଦୀମାନେ ସାମ୍ବାଦିକଙ୍କୁ ହତ୍ୟା କରିବାକୁ ପଛାଇ ନଥାନ୍ତି। କିନ୍ତୁ ଓଡିଶାରେ ତାହା ନଗଣ୍ୟପ୍ରାୟ କହିଲେ ଭୁଲ ହେବନି। ମୋଟାମୋଟି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତ ଦୁଇ ଦଶନ୍ଧିର ଶାସନକାଳରେ ରାଜ୍ୟରେ ଗଣମାଧ୍ୟମ ପ୍ରତି ଅନୁକୂଳ ମନୋଭାବ ହେତୁ ସେମାନଙ୍କ ପରିସର, ସଂଖ୍ୟା ଆଦି ବେଶ୍ ବ୍ୟାପକ ହୋଇପାରିଛି। ରାଜ୍ୟ ସରକାରଙ୍କ ଦ୍ଵାରା ସାମ୍ବାଦିକଙ୍କୁ ପ୍ରାଥମିକତା ପ୍ରତି ବଦଳରେ ରାଜ୍ୟର ଗଣମାଧ୍ୟମ ମଧ୍ୟ ସବୁ ବିପତ୍ତି, ସବୁ ଉଲ୍ଲେଖନୀୟ ମୁହୁର୍ତ୍ତରେ ନବୀନ ସରକାର ପଛରେ ଠିଆ ହୋଇ ନିଜ କୃତଜ୍ଞତା ଜ୍ଞାପନ କରି ଆସିଛି ।

Comments are closed.