ଗୋବିନ୍ଦା କରୋନା ପଜିଟିଭ୍‌

ମୁମ୍ବାଇ – ଲୋକପ୍ରିୟ ଅଭିନେତା ଗୋବିନ୍ଦା କରୋନା ପଜିଟିଭ୍ ହୋଇଛନ୍ତି । ତାଙ୍କ ପତ୍ନୀ ସୁନିତା ଏହା ସ୍ପଷ୍ଟ କରିଛନ୍ତି । ସୁନୀତା ନିକଟରେ ଏହି ରୋଗରୁ ସୁସ୍ଥ ହୋଇଥିଲେ ।

ସୁନୀତା କହିଛନ୍ତି ଯେ, ‘ଚିଚି (ଗୋବିନ୍ଦା)’ଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ତାଙ୍କ ଠାରେ ଏହି ରୋଗର ସାମାନ୍ୟ ଲକ୍ଷଣ ରହିଛି, କିନ୍ତୁ ସେ ବର୍ତ୍ତମାନ ଠିକ ଅଛନ୍ତି ଏବଂ ଘରେ କ୍ୱାରେଣ୍ଟାଇନରେ ରହିଛନ୍ତି । ଆମେ ତାଙ୍କ ସହ କ୍ରମାଗତ ଭାବେ ଯୋଗାଯୋଗ ରଖିଛୁ । ଡାକ୍ତରଙ୍କ ସହ ଯୋଗାଯୋଗ ବି କରୁଛୁ ଓ ତାଙ୍କ ପରାମର୍ଶ ନେଉଛୁ ।

ଗୋବିନ୍ଦା ଓ ତାଙ୍କ ପରିବାର ମୁମ୍ବାଇର ଜୁହୁରେ ରୁହନ୍ତି ।

ସୁନୀତା କହିଛନ୍ତି ଯେ, ଗୋବିନ୍ଦା ପଜିଟିଭ୍ ଚିହ୍ନଟ ହେବା ପରେ ସତର୍କତା ମୂଳକ ପଦକ୍ଷେପ ଭାବେ ପରିବାରର ସମସ୍ତଙ୍କ କୋଭିଡ୍ ଟେଷ୍ଟ ହୋଇଥିଲା । କିନ୍ତୁ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଗୋବିନ୍ଦାଙ୍କ ସହ ଗତ କିଛିଦିନ ମଧ୍ୟରେ ଯେଉଁମାନେ ସଂସ୍ପର୍ଶରେ ଆସିଥିଲେ ସେମାନେ ନିଜ କୋଭିଡ୍ ଟେଷ୍ଟ କରାଇବାକୁ ସୁନୀତା ଅନୁରୋଧ କରିଛନ୍ତି ।
ନିକଟରେ ୫୭ ବର୍ଷୀୟ ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା ଆହୁଜା ପୁରୀ ଆସି ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ । ଗୋବିନ୍ଦାଙ୍କ ଶେଷ ଫିଲ୍ମ ଥିଲା ରଙ୍ଗିଲା ରାଜା (୨୦୧୯) । ତାଙ୍କୁ ଅନେକ ରିଆଲିଟି ଟିଭି ଶୋ’ରେ ବି ଦେଖିବାକୁ ମିଳୁଥିଲା ।

ବେଶ କିଛିଦିନ ଧରି ବଲିଉଡ୍ ସେଲିବ୍ରିଟି ମାନେ ମଧ୍ୟ କୋଭିଡ୍‌-୧୯ କବଳିତ ହୋଇଛନ୍ତି । ଆଜି ଅକ୍ଷର କୁମାର ମଧ୍ୟ ସେ କୋଭିଡ୍ ପଜିଟିଭ୍ ହୋଇଥିବା ନେଇ ଟ୍ୱିଟ କରି ଜଣାଇଥିଲେ । କରୋନାର ଦ୍ୱିତୀୟ ଲହରୀରେ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଛି । ଏଠାରେ ଗତ ୨୪ ଘଣ୍ଟାରେ ପ୍ରାୟ ୫୦ ହଜାର ମାମଲା ରେକର୍ଡ କରାଯାଇଛି ।

Comments are closed.