ଚାଷୀଙ୍କ ରେଳରୋକ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ

ନୂଆଦିଲ୍ଲୀ – କେନ୍ଦ୍ରର କୃଷି ଆଇନ ବିରୋଧରେ ପ୍ରାୟ ତିନି ମାସ ଧରି ଆନ୍ଦୋଳନ ଚଳାଇଥିବା ବିିଭିନ୍ନ କୃଷକ ସଂଗଠନଙ୍କ ତରଫରୁ ଆଜି ଦେଶବ୍ୟାପୀ ଚାରି ଘଣ୍ଟିଆ ରେଳରୋକ କରାଯାଇଥିଲା । ଅନେକ ସ୍ଥାନରେ କୃଷକ ଓ ଶ୍ରମିକ ସଂଗଠନ ରେଳ ଟ୍ରାକ୍ ଉପରେ ବସି କୃଷି ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଶେଷକରି ପଞ୍ଜାବ ଓ ହରିୟାଣା ସମେତ ଦିଲ୍ଲୀରେ ରୋଳରୋକ ଆନ୍ଦୋଳନର ପ୍ରଭାବ ଅଧିକ ରହିଥିଲା । ତେବେ ଚାଷୀମାନଙ୍କ ଏହି ଚାରି ଘଣ୍ଟିଆ ରୋଳରୋକ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ରହିଥିଲା ।

ଚାଷୀଙ୍କ ରେଳରୋକ ଯୋଗୁଁ ପଞ୍ଜାବ ଓ ହରିୟାଣାରେ ରେଳସେବା ବ୍ୟାହତ ହୋଇଥିଲା । ବିଭିନ୍ନ ଷ୍ଟେସନରେ ବହୁ ଟ୍ରେନ୍ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅଟକି ରହିଥିଲା । ସେହିପରି ରାଜସ୍ଥଧ୍ର ଜୟପୁର ସମେତ ୬ ଜିଲ୍ଲାରେ ବି ରେଳରୋକର ପ୍ରଭାବ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷେ ରେଳବାଇ ତରଫରୁ କୁହାଯାଇଛି ଯେ, ଚାଷୀଙ୍କ ଏହି ଆନ୍ଦୋଳନର ସେଭଳି ପ୍ରଭାବ ପଡିନଥିଲା ।
କେତେକ ସ୍ଥାନରେ ଚାଷୀମାନେ ଟ୍ରେନ୍ ଅଟକାଇ ଟ୍ରାକ୍ ଉପରେ ବସିଯାଇଥିଲେ । ଅପରାହ୍ନ ୪ଟାରେ ଚାଷୀଙ୍କ ରୋଳରୋକ ଶେଷ ହେବା ପରେ ପ୍ରଭାବିତ ଅଞ୍ଚଳ ଗୁଡିକରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା । କୌଣସି ସ୍ଥାନରେ ହିଂସା କିମ୍ବା ଉତ୍ତେଜନାର ଖବର ମିଳିନାହିଁ ।

କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କୃଷକ ସଂଗଠନ ମାନଙ୍କ ତରଫରୁ କୁହାଯାଇଛି । ଏହା ପୂର୍ବରୁ ଫେବୃୟାରୀ ୬ରେ ଚାଷୀମାନେ ଦେଶବ୍ୟାପୀ ଚକାଜାମ୍ କରିଥିଲେ । କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ତିନି ମାସ ପୂରିବାକୁ ଯାଉଥିଲେ ହେଁ ଏହି ଅଚଳାବସ୍ଥାର କୌଣସି ସମାଧାନ ବାହାରି ପାରୁନାହିଁ । ଉଭୟ ସରକାର ଓ କୃଷକ ସଂଗଠନ ନିଜ ନିଜ ଜିଦରେ ଅଟଳ ଅଛନ୍ତି । ତିନି କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ କୃଷକ ସଂଗଠନ ଦାବି କରୁଛନ୍ତି । ସରକାର କିନ୍ତୁ ଏଥିରେ ରାଜି ନୁହନ୍ତି । ତେବେ ଚାଷୀଙ୍କ ସହ ଆଲୋଚନାର ଦ୍ୱାର ଏବେ ବି ଖୋଲା ରହିଛି ବୋଲି ସରକାର କହିଛନ୍ତି ।

Comments are closed.