ଚାଷୀ ଆନ୍ଦୋଳନକୁ ପପ୍ ତାରକା ରିହାନାଙ୍କ ସମର୍ଥନ, ଇଣ୍ଟରନେଟ୍ ସେବା ବନ୍ଦ ନେଇ ପ୍ରଶ୍ନ ଉଠାଇଲେ

ନୂଆଦିଲ୍ଲୀ – ପ୍ରାୟ ୭୦ ଦିନ ଧରି କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଚାଲିଛି। ଏହି ଆନ୍ଦୋଳନ ଏବେ ଆନ୍ତର୍ଜାତୀୟ ସ୍ତରରେ ବି ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ଖ୍ୟାତନାମା ପପ୍ ଗାୟିକା ତଥା ହଲିଉଡ୍ ଅଭିନେତ୍ରୀ ରିହାନା ଚାଷୀ ଆନ୍ଦୋଳନ ସମର୍ଥନରେ ଆଗେଇ ଆସିଛନ୍ତି।

ନିକଟରେ ଯେତେବେଳେ କେନ୍ଦ୍ର ସରକାର ରାଜଧାନୀର କିଛି ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ, ସେତେବେଳେ ଏହାକୁ ନେଇ ପ୍ରଶ୍ନ ଉଠିଥିଲା। ରିହାନା ମଧ୍ୟ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି।
ରିହାନା ମଙ୍ଗଳବାର ଏହି ଆନ୍ଦୋଳନ ସହ ଜଡିତ ଏକ ଖବର ସେୟାର କରି ଟ୍ୱିଟରରେ ଲେଖିଛନ୍ତି ଯେ ଆମେ କାହିଁକି ଏ ବିଷୟରେ ଆଲୋଚନା କରୁନାହୁଁ?

ସେବେଠାରୁ ସୋସିଆଲ ମିଡିଆରେ ରିହାନାଙ୍କ ବିଷୟରେ ନିରନ୍ତର ଚର୍ଚ୍ଚା ଚାଲିଛି। ରିହାନା ମଧ୍ୟ କ୍ରମାଗତ ଭାବେ ଟ୍ବିଟରରେ ଟ୍ରେଣ୍ଡ୍ କରୁଛନ୍ତି ।
ସ୍ୱରା ଭାସ୍କର ଏବଂ କଙ୍ଗନା ରାନାୱତଙ୍କ ସମେତ ଅନେକ ବଲିଉଡ ତାରକା ମଧ୍ୟ ରିହାନାଙ୍କ ଟ୍ବିଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏପରିକି କଙ୍ଗନା କ୍ରୋଧରେ ରିହାନାଙ୍କୁ ମୂର୍ଖ ବୋଲି କହିଛନ୍ତି ।

ରିହାନା ହେଉଛନ୍ତି ଜଣେ‌ ଲୋକପ୍ରିୟ ପପ୍ ତାରକା ଏବଂ ଅଭିନେତ୍ରୀ | ଟ୍ୱିଟରରେ ରିହାନାଙ୍କ ୧୦୦ ମିଲିୟନ୍ ଅନୁଗାମୀ ଅଛନ୍ତି। ଟ୍ୱିଟରରେ ସର୍ବାଧିକ ଅନୁଗାମୀ ରହିଥିବା ସେଲିବ୍ରିଟିଙ୍କ ମଧ୍ୟରେ ରିହାନା ଚତୁର୍ଥ ସ୍ଥାନରେ ରହିଛନ୍ତି। ସେ ‘ଡୋଣ୍ଟ ଷ୍ଟପ୍ ଦି ମ୍ୟୁଜିକ୍’, ‘ଲଭ୍ ଦି ଓ୍ବେ ୟୁ ଲାଏ’, ‘ଅମ୍ବ୍ରେଲା’ ଭଳି ଅନେକ ବଡ଼ ହିଟ୍ ଦେଇଛନ୍ତି।
ରିହାନା ମଧ୍ୟ ଜଣେ ଅଭିନେତ୍ରୀ | ସେ ହଲିଉଡ ଫିଲ୍ମ ବ୍ୟାଟଲସିପ୍ ଏବଂ ‘ଓସେନ୍ସ ୮’ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି ।
୨୦୧୯ ରେ ଫୋର୍ବସ୍ ରିହାନାଙ୍କୁ ସବୁଠାରୁ ଧନୀ ସଂଗୀତଜ୍ଞ ବୋଲି ମାନ୍ୟତା ଦେଇଥିଲା | ଫୋର୍ବସ୍ ଅନୁଯାୟୀ ରିହାନାଙ୍କ ମୋଟ ସମ୍ପତ୍ତି ହେଉଛି ୬୦୦ ମିଲିୟନ୍ ଡଲାର୍ (୪୪୦୦ କୋଟି)।

Comments are closed.