ଚାଷୀ ଆନ୍ଦୋଳନକୁ ପୂରିଲା ମାସେ: କେନ୍ଦ୍ରର ଆଲୋଚନା ପ୍ରସ୍ତାବ ଉପରେ ଆଜି ହେବ ନିଷ୍ପତ୍ତି | News Room Odisha

ଚାଷୀ ଆନ୍ଦୋଳନକୁ ପୂରିଲା ମାସେ: କେନ୍ଦ୍ରର ଆଲୋଚନା ପ୍ରସ୍ତାବ ଉପରେ ଆଜି ହେବ ନିଷ୍ପତ୍ତି

ନୂଆଦିଲ୍ଳୀ – କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଆଜି ମାସେ ପୂରିଛି । ତଥାପି ଅଚଳାବସ୍ଥା ଦୂର ହୋଇପାରି ନାହିଁ । ଚାଷୀ ଓ ସରକାର ନିଜ ନିଜ ଜିଦ୍‌ରେ ଅଟଳ ରହିଛନ୍ତି । ତେବେ ସରକାରଙ୍କ ତରଫରୁ ଆଲୋଚନା ପାଇଁ ଦିଆଯାଇଥିବା ନିମନ୍ତ୍ରଣ ଉପରେ ଆଜି କୃଷକ ସଂଗଠନ ନିଷ୍ପତ୍ତି ନେବା ସମ୍ଭାବନା ରହିଛି । ଗତ ଗୁରୁବାର ସରକାର ଚାଷୀଙ୍କୁ ପୁଣି ଆଲୋଚନା କରିବାକୁ ଆମନ୍ତ୍ରଣ କରିଥିଲେ । ଏଥିପାଇଁ ଏକ ତାରିଖ ଓ ସମୟ ସ୍ଥିର କରିିବାକୁ ଚାଷୀଙ୍କୁ ଅନୁରୋଧ କରାଯାଇଥିଲା । ତେବେ ସେମାନଙ୍କ ଦାବି ପୂରଣ ହୋଇନଥିବାରୁ ଚାଷୀ ନିଜ ଆନ୍ଦୋଳନକୁ ଆହୁୁରି ତୀବ୍ର କରିଛନ୍ତି । ଆଜି ହରିୟାଣାରେ ତିନି ଦିନ ପାଇଁ ବିଭିନ୍ନ ଟୋଲ ପ୍ଲାଜା ବନ୍ଦ କରିବେ ଚାଷୀ ।

ସରକାର କୃଷି ଆଇନ ପ୍ରତ୍ୟାହାର କରାଯିବ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି । କିନ୍ତୁ ଚାଷୀଙ୍କ ଦାବି ଅନୁସାରେ ଆଇନରେ କିଛି ସଂଶୋଧନ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ଆଲୋଚନା ପାଇଁ ଚାଷୀଙ୍କୁ ଦିଆଯାଇଥିବା ସଦ୍ୟତମ ଚିଠିରେ କେନ୍ଦ୍ର ସରକାର କହିଛନ୍ତି ଯେ, ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରତି ବିପଦ ନାର୍ହି । ଏହି ବ୍ୟବସ୍ଥା ପୂର୍ବଭଳି ରହିବ । ଏଥିପାଇଁ ସରକାର ଲିଖିତ ପ୍ରତିଶ୍ରୁତି ଦେବାକୁ ପ୍ରସ୍ତୁତ । କିନ୍ତୁ କୃଷି ଆଇନ ପରିସର ବାହାରେ ଅନ୍ୟ ଦାବି ରଖିବା ଯୁକ୍ତିସଙ୍ଗତ ନୁହେଁ ବୋଲି କେନ୍ଦ୍ର ସରକାର ଚିଠିରେ ଲେଖିଛନ୍ତି । ଚାଷୀଙ୍କ ଅଭିଯୋଗ ହେଲା ଯେ, ସରକାର ସେମାନଙ୍କ ଦାବି ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବା ପରିବର୍ତ୍ତେ ବୁଲେଇ ବଙ୍କେଇ ବୟାନ ଦେଉଛନ୍ତି । ଯଦ୍ୱାରା ଏହି ପ୍ରସଙ୍ଗ ଆହୁରି ଜଟିଳ ହେଉଛି ।

Farmers' Protest