ଚାଷୀ ଆନ୍ଦୋଳନରେ ପୁଣି ଆତ୍ମହତ୍ୟା

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି । ଭଟିଣ୍ଡାର ଜଣେ ୨୨ ବର୍ଷୀୟ ଯୁବ ଚାଷୀ ଗୁରୁଲାଭ ସିଂ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନରୁ ସେ ଦୁଇଦିନ ତଳେ ଫେରିଥିଲେ । ଭଟିଣ୍ଡାର ଦୟାଲପୁର ଗ୍ରାମର ଗୁରୁଲାଭ ହରିୟାଣା-ଦିଲ୍ଲୀ ସୀମା ଟିକ୍ରି ଠାରେ ଚାଲିଥିବା ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ଗତ ଡିସେମ୍ବର ୧୮ରେ ସେ ଗାଁକୁ ଫେରିଥିଲେ । ଆଜି ସକାଳେ ସେ ଆତ୍ମହତ୍ୟା କରିଛନ୍ତି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ଗୁରୁଲାଭ ଜଣେ ସାଧାରଣ ଚାଷୀ ଥିଲେ । ତାଙ୍କ ଉପରେ ୬ ଲକ୍ଷ ଟଙ୍କା ଋଣ ବୋଝ ଥିଲା । ଏହା ପୂର୍ବରୁ ଡିସେମ୍ବର ୧୬ରେ ୬୫ ବର୍ଷୀୟ ସନ୍ଥ ବାବା ରାମ ସିଂହ ମଧ୍ୟ ଚାଷୀ ଆନ୍ଦୋଳନ ସମର୍ଥନରେ ଆତ୍ମହତ୍ୟା କରିଥିଲେ । ଚାଷୀ ଆନ୍ଦୋଳନରେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ କାରଣରୁ ୨୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କୃଷି ଆଇନ ରଦ୍ଦ କରିବା ଦାବିରେ ଗତ ୨୫ ଦିନ ଧରି ଦିଲ୍ଲୀ ସୀମାରେ ପଞ୍ଜାବ, ହରିୟାଣା ଓ ଅନ୍ୟ ରାଜ୍ୟର ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି ।

Comments are closed.