ଚୀନ୍ ଆଗରେ ମୁଣ୍ଡ ନୁଆଁଇଛନ୍ତି ମୋଦି, ଭାରତୀୟ ଜମି ଚୀନକୁ ଦିଆଯାଇଛି: ରାହୁଲ

ନୂଆଦିଲ୍ଲୀ – ଚୀନ ସହ ସୀମା ବିବାଦ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । ମୋଦି ଚୀନକୁ ଡରୁଛନ୍ତି । ସେ ଚୀନକୁ ଭାରତୀୟ ଜମି ଦେଇଛନ୍ତି ବୋଲି ରାହୁଲ କହିଛନ୍ତି ।

ଗତକାଲି ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲଦାଖ ସୀମା ବିବାଦ ଉପରେ ବିବୃତି ରଖି କହିଥିଲେ ଯେ, ଏଲ୍‌ଏସିରୁ ପଛକୁ ହଟିବା ପାଇଁ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୋଇଛି । ଭାରତ ଓ ଚୀନ ସେନା ନିଜ ସେନା ପ୍ରତ୍ୟାହାର କରିବା ଆରମ୍ଭ କରିଛନ୍ତି ବୋଲି ରାଜନାଥ କହିଥିଲେ । ତେବେ ଏହି ପ୍ରସଙ୍ଗ ଉପରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ମୋଦି ସରକାର ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ସତ କଥା ହେଉଛି, ମୋଦି ଭାରତୀୟ ଜମି ଚୀନ ହାତକୁ ଟେକି ଦେଇଛନ୍ତି । ମୋଦିଜୀ ଏନେଇ ଜବାବ ଦିଅନ୍ତୁ । ମୋଦି ଚୀନ ଆଗରେ ମୁଣ୍ଡ ନୁଆଁଇଛନ୍ତି । ଭାରତ ପାଇଁ ଯେଉଁ ଅଞ୍ଚଳ ରଣନୀତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଥିଲା, ସେ ସବୁ ଏବେ ଚୀନ୍ ଅକ୍ତିଆର କରିନେଇଛି । ଏନେଇ ପ୍ରତିରକ୍ଷା ମନ୍ତ୍ରୀ ପଦୁଟିଏ ବି କହି ନାହାନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି ।

ମୋଦି କାହିଁକି ଭାରତୀୟ ଜମି ଚୀନକୁ ଦେଲେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ତା’ଛଡ଼ା ସେ ଦେସପାଙ୍ଗ ଅଞ୍ଚଳରୁ ଚୀନ୍ ସେନା ନ ହଟିବାର କାରଣ ପଚାରିଛନ୍ତି । ଫିଙ୍ଗର୍‌-୪ ପର୍ଯ୍ୟନ୍ତ ଜମି ଆମର । କିନ୍ତୁ ମୋଦି ଫିଙ୍ଗର-୩ ରୁ ଫିଙ୍ଗର୍‌-୪ ଯାଏଁ ଜମି ଚୀନ ହାତକୁ ଟେକି ଦେଇଛନ୍ତି । ମୋଦି ଚୀନକୁ ଡରୁଛନ୍ତି । ଚୀନ୍ ଆଗରେ ମୁଣ୍ଡଟେକି ଛିଡ଼ା ହେବାକୁ ତାଙ୍କର ସାହସ ନାହିଁ ବୋଲି ରାହୁଲ କହିଛନ୍ତି ।

Comments are closed.