ଜର୍ମାନୀ ସମତେ ଆଉ ଚାରି ୟୁରୋପୀୟ ଦେଶ ଆଷ୍ଟ୍ରାଜେନେକା ଟିକା ଉପରେ ରୋକ୍ ଲଗାଇଲେ

ନୂଆଦିଲ୍ଲୀ – ଗୁରୁତର ପାଶ୍ୱର୍ ପ୍ରତିକ୍ରିୟା ଅଭିଯୋଗ ପରେ ଆଷ୍ଟ୍ରାଜେନେକାର କରୋନା ଟିକା ଉପରେ ଜର୍ମାନୀ ସହ ଅନ୍ୟ ଚାରି ୟୁରୋପୀୟ ଦେଶ ମଧ୍ୟ ରୋକ୍ ଲଗାଇଛନ୍ତି । ଜର୍ମାନୀ ସମେତ ଫ୍ରାନ୍ସ, ଇଟାଲୀ ଏବଂ ସ୍ପେନ୍ ଏହି ଟିକାର ବ୍ୟବହାର ବନ୍ଦ କରିଛନ୍ତି ।

ଆଷ୍ଟ୍ରାଜେନେକା ଟିକା ନେବା ପରେ ରକ୍ତ ଜମାଟ ଭଳି ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ତେବେ ଏନେଇ କୌଣସି ପ୍ରମାଣ ନାହିଁ ବୋଲି ଆଷ୍ଟ୍ରାଜେନେକା ଏବଂ ୟୁରୋପୀୟ ଡ୍ରଗ୍ସ ନିୟନ୍ତ୍ରକ ତରଫରୁ କୁହାଯାଇଛି ।

ଆଷ୍ଟ୍ରାଜେନେକା ସହ ଅନ୍ୟ ତିନି ଟିକା ସମ୍ପ୍ରତି ୟୁରୋପରେ ବ୍ୟବହାର କରାଯାଉଛି । ତେବେ ଆଷ୍ଟ୍ରାଜେନେକା ଟିକା ଉପରେ ଅନେକ ୟୁରୋପୀୟ ଦେଶ କଟକଣା ଲଗାଇବା ପରେ ୟୁରୋପରେ ଟିକାକରଣ ଅଭିଯାନ ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

ଆଷ୍ଟ୍ରାଜେନେକା ଟିକା ନେଇ ହୋଇଥିବା ଅଭିଯୋଗ ମଧ୍ୟରେ ୟୁରୋପୀୟ ସଂଘର ଡ୍ରଗ୍ସ ନିୟାମକ ଗୁରୁବାର ବିଶେଷଜ୍ଞ ମାନଙ୍କ ଏକ ବୈଠକ ଡାକିଛି । କରୋନ ସଂକ୍ରମଣ ପୁଣି ବଢ଼ୁଥିବା ବେଳେ ୟୁରୋପର ଅଧିକାଂଶ ସ୍କୁଲ ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ପୁଣି ବନ୍ଦ କରାଯାଇଛି ।

ପ୍ରଥମେ ଡେନମାର୍କ ଆଷ୍ଟ୍ରାଜେନେକା ଟିକାର ବ୍ୟବହାର ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଏହି ଟିକା ନେବା ପରେ ମସ୍ତିସ୍କରେ ରକ୍ତଜମାଟ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଡେନମାର୍କ ସରକାର ଏହି ନିଷ୍ପତ୍ତି ନେଇଥିଲେ । ପରେ ନରୱେ, ଆୟର୍ଲାଣ୍ଡ, ଥାଇଲାଣ୍ଡ୍‌, ନେଦରଲାଣ୍ଡ୍‌ସ, ଆଇସଲାଣ୍ଡ୍ ଏବଂ କଙ୍ଗୋ ଭଳି ଦେଶରେ ବି ଏହି ଟିକା ଉପରେ ରୋକ୍ ଲଗାଯାଇଥିଲା ।

Comments are closed.