ଜାତୀୟ ପତାକାର ଅପମାନ ଅଭିଯୋଗରେ ମୃତ ଚାଷୀଙ୍କ ପରିବାର ବିରୋଧରେ ମାମଲା

ପିଲଭିଟ୍ (ୟୁପି) – ଜାତୀୟ ପତାକାର ଅପମାନ ଅଭିଯୋଗରେ ଜଣେ ମୃତ ଚାଷୀଙ୍କ ପରିବାର ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ମୃତ ଚାଷୀଙ୍କ ଅନ୍ତ୍ୟେଷ୍ଟି ବେଳର ଏକ ଭିଡିଓରେ ତାଙ୍କ ଶରୀରକୁ ତ୍ରିରଙ୍ଗାରେ ଘୋଡାଇ ଦିଆଯାଇଥିବା ଦେଖିବାକୁ ମିଳିଥିଲା । ଜାତୀୟ ପତାକାର ଅସମ୍ମାନ ଅଭିଯୋଗରେ ମୃତ ଚାଷୀଙ୍କ ମାଆ, ଭାଇ ଓ ଅନ୍ୟ ଜଣେ ଲୋକଙ୍କ ବିରୋଧରେ ସ୍ଥାନୀୟ ପ୍ରଶାସନ ତରଫରୁ ଏଫ୍‌ଆଇଆର ରୁଜୁ କରାଯାଇଛି ।
ଜାତୀୟ ପତାକା ନିୟମାନୁସାରେ ସାଧାରଣ ନାଗରିକଙ୍କ ଅନ୍ତ୍ୟେଷ୍ଟିରେ ତ୍ରିରଙ୍ଗାର ବ୍ୟବହାର ଏକ ଅପରାଧ ।

ମୃତ ଚାଷୀ ହେଉଛନ୍ତି ଉତ୍ତର ପ୍ରଦେଶ ବାରିବୁଝିଆ ଗ୍ରାମର ବଲଜିନ୍ଦର । ସେ କୃଷକ ଆନ୍ଦୋଳନରେ ଯୋଗ ଦେବା ପାଇଁ ଜାନୁୟାରୀ ୨୩ରେ ଦିଲ୍ଲୀ-ଗାଜିପୁର ସୀମାକୁ ଯାଇଥିଲେ । ତେବେ ଜାନୁୟାରୀ ୨୫ରେ ସେଠାରେ ଏକ ଦୁର୍ଘଟଣାରେ ବଲଜିନ୍ଦରଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଏକ ସରକାରୀ ଶବାଗାରରେ ତାଙ୍କ ମୃତଦେହ ରଖାଯାଇଥିଲା । ଫେବୃୟାରୀ ୨ରେ ତାଙ୍କ ପରିବାର ଲୋକ ବଲଜିନ୍ଦରଙ୍କ ମୃତ୍ୟୁ ସମ୍ପର୍କରେ ଜାଣିବା ପରେ ତାଙ୍କ ମୃତଦେହ ଗାଁକୁ ଆଣି ଅନ୍ତିମ ସଂସ୍କାର କରିଥିଲେ । ଅନ୍ତିମ ସଂସ୍କାର ବେଳେ ତାଙ୍କ ମୃତଦେହ ଉପରେ ତ୍ରିରଙ୍ଗା ଢ଼ଙ୍କା ଯାଇଥିଲା ବୋଲି ପିଲଭିଟ୍ ଏସ୍‌ପି ଜୟ ପ୍ରକାଶ ଯାଦବ କହିଛନ୍ତି ।

Comments are closed.