ଜାଭେଦ ଅଖତର ମାନହାନି ମାମଲାରେ କଙ୍ଗନାଙ୍କ ବିରୋଧରେ ୱାରେଣ୍ଟ୍ ଜାରି କଲେ କୋର୍ଟ

ମୁମ୍ବାଇ – ବଲିଉଡ୍‌ର ପ୍ରଖ୍ୟାତ ଲେଖକ ଓ ଗୀତିକାର ଜାଭେଦ ଅଖତରଙ୍କ ଦ୍ୱାରା ଦାୟର ମାନହାନି ମାମଲାରେ କଙ୍ଗନା ରନୌତଙ୍କ ବିରୋଧରେ ମୁମ୍ବାଇର ଏକ କୋର୍ଟ ଜାମିିନଯୁକ୍ତ ଗିରଫ ୱାରେଣ୍ଟ୍ ଜାରି କରିଛନ୍ତି । ଏହି ମାମଲାରେ ବହୁଥର ସମନ ପଠାଯିବା ସତ୍ତ୍ୱେ କଙ୍ଗନା ହାଜର ହୋଇନଥିବାରୁ ଅନ୍ଧେରୀର ମେଟ୍ରୋପୋଲିଟାନ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତ ଏହି ବିବାଦୀୟ ଅଭିନେତ୍ରୀଙ୍କ ବିରୋଧରେ ୱାରେଣ୍ଟ୍ ଜାରି କରିଛନ୍ତି ।

ଏକ ଟେଲିଭିଜନ ସାକ୍ଷତାକାରରେ କଙ୍ଗନା ତାଙ୍କ ସମ୍ମାନହାନି ହେଲା ଭଳି ମନ୍ତବ୍ୟ ଦେବା ସହ ଅପମାନସୂଚନ ଟିପ୍ପଣୀ କରିଥିବ ଅଭିଯୋଗ କରି ଜାଭେଦ ଅଖତର ଗତବର୍ଷ ନଭେମ୍ବରରେ ଅନ୍ଧେରୀ ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ଆପରାଧିକ ମାମଲା ରୁଜୁ କରିଥିଲେ । ଅଖତର ଅଭିଯୋଗ କରିଥିଲେ ଯେ, ଗତବର୍ଷ ଜୁନ୍‌ରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ କଙ୍ଗନା ଟିଭି ସାକ୍ଷାତକାରରେ ବଲିଉଡ୍‌ରେ ‘ଗୋଷ୍ଠୀବାଦ’ ସମ୍ପର୍କରେ ଉଲ୍ଲେଖ କଲାବେଳେ ଏଥିରେ ତାଙ୍କ ନାମକୁ ଯୋଡିଥିଲେ ।

ରୋଶନଙ୍କ ସହ ତାଙ୍କର ସମ୍ପର୍କକୁ ନେଇ କଙ୍ଗନାଙ୍କୁ ସେ ଚୁପ୍ ରହିବାକୁ ଧମକ ଦେଇଥିଲେ ବୋଲି ଏହି ଅଭିନେତ୍ରୀ କରିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଅଖତର କହିଥିଲେ । ତାଙ୍କ ବିରୋଧରେ କଙ୍ଗନାଙ୍କ ଏଭଳି ଭିତ୍ତିହୀନ ତଥା ମିଛ ଆରୋପ ପରେ ସର୍ବସାଧାରଣରେ ତାଙ୍କ ଛବି ଖରାପ ହୋଇଛି ବୋଲି ଅଖତର କଙ୍ଗନାଙ୍କ ବିରୋଧରେ କରିଥିବା ମାନହାନି ମାମଲାରେ ଉଲ୍ଲେଖ କରିଥିଲେ । ଏହି ମାମଲାରେ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଅଦାଲତ ପୋଲିସକୁ ଫେବୃୟାରୀ ୧ ପର୍ଯ୍ୟନ୍ତ ସମୟ ଦେଇଥିଲେ ।

Comments are closed.