ଟିକାକରଣର ତୃତୀୟ ଦିନ: ଏଯାବତ୍ ୩.୮୧ ଲକ୍ଷ ଲୋକଙ୍କୁ ଦିଆଯାଇଛି ଟିକା, ୫୮୦ ପାଶ୍ୱର୍ପ୍ରତିକ୍ରିୟା ମାମଲା

ନୂଆଦିଲ୍ଲୀ – କରୋନା ମହାମାରୀ ବିରୋଧରେ ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନ ଏବେ ଭାରତରେ ଚାଲିଛି । ଏହି ଟିକାକରଣ ଅଭିଯାନର ଆଜି ଥିଲା ତୃତୀୟ ଦିବସ । ସୋମବାର ସୁଦ୍ଧା ଦେଶରେ ୩.୮୧ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଆଜି ସନ୍ଧ୍ୟା ୫ଟା ସୁ୍‌ଦ୍ଧା ୨୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧,୪୮,୨୬୬ ଜଣ ଲୋକଙ୍କ ଟିକାକରଣ ହୋଇଛି ।

ଟିକାକରଣ କାର୍ଯକ୍ରମର ତୃତୀୟ ଦିବସ ସୁଦ୍ଧା ୫୮୦ ପାଶ୍ୱର୍ପ୍ରତିକ୍ରିୟା ମାମଲା ରିପୋର୍ଟ କରାଯାଇଛି । ଏମାନଙ୍କ ମଧ୍ୟରୁ କେବଳ ୭ ଜଣ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦିଲ୍ଲୀରେ ତିନିଜଣ, କର୍ଣ୍ଣାଟକରେ ଦୁଇ ଜଣ ଏବଂ ଉତ୍ତରାଖଣ୍ଡ ଓ ଛତିଶଗଡ଼ରେ ଜଣେ ଲେଖାଏଁ ଲୋକ ଟିକା ନେବା ପରେ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଦେଶରେ ଜାନୁୟାରୀ ୧୬ରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ସର୍ବାଧିକ ୨,୦୭,୨୨୯ ଲୋକଙ୍କୁ ଟିକା ଦିଆଯାଇଥିଲା । ଦ୍ୱିତୀୟ ଦିନରେ ଏହି ସଂଖ୍ୟା ଥିଲା ୧୭,୦୭୨ । ଆଜି ମୋଟ ୧,୪୮,୨୬୬ ଲୋକଙ୍କୁ ଟିକା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଭାଗ କୋଭିଡ୍ ଯୋଦ୍ଧାଙ୍କୁ ଟିକା ଦିଆଯାଉଛି ।

Comments are closed.