ଟିକାକରଣ ବୟସସୀମା ୨୫ ବର୍ଷ ଧାର୍ଯ୍ୟ କରିବାକୁ ସୋନିଆଙ୍କ ଦାବି

ନୂଆଦିଲ୍ଲୀ – ଦେଶରେ ବିଗୁଡୁଥିବା କରୋନା ସ୍ଥିତି ନେଇ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଶନିବାର ସରକାରଙ୍କୁ ସମାଲୋଚନା କରିଛନ୍ତି । ସୋନିଆ ଟୀକାକରଣର ବୟସ ସୀମା ୨୫ ବର୍ଷକୁ ହ୍ରାସ କରିବାକୁ ଦାବି କରିଛନ୍ତି । ଏହାଛଡ଼ା, ଶ୍ବାସ, ମଧୁମେହ ଏବଂ ଅନ୍ୟାନ୍ୟ ରୋଗରେ ପୀଡିତ ଯୁବକଙ୍କ ପ୍ରାଥମିକତା ଭିତ୍ତିରେ ଟୀକାକରଣ କରାଯାଉ ବୋଲି ସେ କହିଛନ୍ତି ।

କଂଗ୍ରେସ କାର୍ଯ୍ୟକାରିଣୀ (ସିଡବ୍ଲ୍ୟୁଡିସି) ର ଏକ ବୈଠକରେ ସେ ଏହା ମଧ୍ୟ କହିଛନ୍ତି ଯେ କରୋନା ସହ ମୁକାବିଲା ପାଇଁ ଆବଶ୍ୟକ ମେଡିକାଲ ଉପକରଣ ତଥା ଔଷଧରୁ ସରକାର ଜିଏସଟି ଛାଡ କରିବା ଉଚିତ ଏବଂ କରୋନା ସଂକ୍ରମଣକୁ ରୋକିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରାଗଲେ ସରକାର ଗରିବ ଲୋକଙ୍କୁ ଛଅ ହଜାର ଟଙ୍କା ଆର୍ଥିକ ସହାୟତା ଦେବା ଉଚିତ ବୋଲି ସେ କହିଛନ୍ତି ।

ବହୁ ସଂଖ୍ୟକ ଲୋକ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ପ୍ରତିଦିନ ଶହ ଶହ ଲୋକଙ୍କ ମୃତ୍ୟୁ ନେଇ ସୋନିଆ ଦୁଃଖ ପ୍ରକାଶ କରିଛନ୍ତି । ଏହି ସଙ୍କଟ ସମୟରେ ନିଜ କର୍ତ୍ତବ୍ୟ ପାଳନ କରୁଥିବା ସ୍ୱାସ୍ଥ୍ୟ କର୍ମୀ ତଥା ଅନ୍ୟ କର୍ମଚାରୀମାନଙ୍କୁ କଂଗ୍ରେସ ସଲାମ୍ ଜଣାଉଛି ବୋଲି ସେ କହିଛନ୍ତି ।

ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଏକ ଚିଠିକୁ ଦର୍ଶାଇ ଅଭିଯୋଗ କରିଛନ୍ତି ଯେ ଅନେକ ସ୍ଥାନରେ ଟିକା, ଅମ୍ଳଜାନ ଏବଂ ଭେଣ୍ଟିଲେଟର ଅଭାବ ରହିଛି, କିନ୍ତୁ ସରକାର ନିରବଦ୍ରଷ୍ଟା ସାଜିଛନ୍ତି ।

କଂଗ୍ରେସ ଅଧ୍ୟକ୍ଷା କହିଛନ୍ତି ଯେ ଟୀକାକରଣ ପାଇଁ ସରକାର ନିଜର ପ୍ରାଥମିକତା ନେଇ ପୁନର୍ବିଚାର କରିବା ଉଚିତ ଏବଂ ବୟସ ସୀମାକୁ ୨୫ ବର୍ଷକୁ ହ୍ରାସ କରିବା ଉଚିତ। ଆଜମା, ମଧୁମେହ, କିଡନୀ ଏବଂ ଯକୃତ ରୋଗରେ ପୀଡିତ ସମସ୍ତ ଯୁବକଙ୍କୁ ଟିକା ଦିଆଯିବା ଉଚିତ୍। ”

ସୂଚନାଯୋଗ୍ୟ ଯେ ଟୀକାକରଣ ପାଇଁ ସମ୍ପ୍ରତି ସର୍ବନିମ୍ନ ବୟସ ସୀମା ୪୫ ବର୍ଷ ଧାର୍ଯ୍ୟ କରାଯାଇଛି ।

Comments are closed.