ଟିକା ଦର ନିର୍ଦ୍ଧାରଣରେ ବିଳମ୍ବ ଯୋଗୁଁ ଭାରତରେ ଆରମ୍ଭ ହୋଇପାରୁନି ଟିକାକରଣ | News Room Odisha

ଟିକା ଦର ନିର୍ଦ୍ଧାରଣରେ ବିଳମ୍ବ ଯୋଗୁଁ ଭାରତରେ ଆରମ୍ଭ ହୋଇପାରୁନି ଟିକାକରଣ

ନୂଆଦିିଲ୍ଳୀ – ଆମେରିକା ଓ ଚୀନ୍ ଭଳି ଦେଶ କରୋନା ବିରୋଧରେ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିଛନ୍ତି । କିନ୍ତୁ କରୋନାରେ ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଦେଶ ଭାରତରେ ଟିକାକରଣ କାର୍ଯ୍ୟକ୍ରମ ବିଳମ୍ବ ହେବାରେ ଲାଗିଛି । ଦେଶରେ ଜରୁରୀ ବ୍ୟବହାର ପାଇଁ ଦୁଇଟି ଟିକାକୁ ଅନୁମତି ମିଳିଛି । କରୋନା ଟିକାର ଲକ୍ଷ ଲକ୍ଷ ଡୋଜ୍ ମଧ୍ୟ ପ୍ରସ୍ତୁତ ହୋଇସାରିଛି । କିନ୍ତୁ ସେଗୁଡିକର ବିତରଣ ହୋଇପାରୁନି । ଏହାର କାରଣ ହେଲା ଟିକା ଦର ନିର୍ଦ୍ଧାରଣ କରିବାରେ ବିଳମ୍ବ । ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ କମ୍ପାନୀ ତଥା ଆଷ୍ଟ୍ରାଜେନେକାର ସହଯୋଗୀ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ ଭାରତ ସରକାରଙ୍କ ମଧ୍ୟରେ ଟିକା ଦର ନିର୍ଦ୍ଧାରଣ ଓ ବିତରଣ ନେଇ ବିଧିବଦ୍ଧ ଚୁକ୍ତି ହୋଇନାହିଁ । ଏହି କାରଣରୁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାର ପ୍ରାୟ ୭୦ ମିଲିୟନ୍ ଡୋଜ୍ ତିଆରି ସରିଥିଲେ ବି ଜରୁରୀ ବ୍ୟବହାରରେ ଲାଗିପାରୁନି ।

ଗତ ରବିବାର ସେରମ ଇନଷ୍ଟିଚ୍ୟୁଟ୍ ସିଇଓ ଆଦର ପୁନାୱାଲା କହିଥିଲେ ଯେ, ଡୋଜ୍ ପିଛା ୨୦୦ଟଙ୍କା ସ୍ୱତନ୍ତ୍ର ଦରରେ ଆଷ୍ଟ୍ରାଜେନେକା ଟିକାର ୧୦୦ ମିଲିୟନ ଡୋଜ୍ କିଣିବାକୁ କେନ୍ଦ୍ର ସରକାର କେବଳ ମୌଖିକ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ଏ ଯାଏଁ କାଗଜପତ୍ର ଔପଚାରିକତା ପୂରଣ ହୋଇନାହିଁ । ଏହାଛଡ଼ା ସେରମ୍ ଇନଷ୍ଟିଚ୍ୟୁଟ୍ ଘରୋଇ ବଜାରରେ ବି ନିଜ ଟିକା ଡୋଜ୍ ପିଛା ୧୦୦୦ ଟଙ୍କା ଦରରେ ବିକ୍ରି କରିବାକୁ ଚାହୁଁଛି । ତେବେ ସେରମ୍ ଟିକା ଦର କମାଉ ବୋଲି ସରକାର ଚାହୁଁଛନ୍ତି । ଏଥିପାଇଁ ସେରମ୍ ଉପରେ ଚାପ ପକାଇବା ଉଦ୍ଦେଶ୍ୟରେ ସରକାର ସ୍ୱଦେଶୀ କମ୍ପାନୀ ଭାରତ ବାୟୋଟେକ୍‌ର ଟିକାକୁ ବି ଅନୁମତି ଦେଇଛନ୍ତି ।

COVID-19 Vaccine