ଟିକା ପ୍ରସ୍ତୁତକାରୀଙ୍କୁ ମାଲି ମକଦ୍ଦମାରୁ ସୁରକ୍ଷା ଦେବାକୁ ପୁନାୱାଲାଙ୍କ ଦାବି

ନୂଆଦିଲ୍ଲୀ – କରୋନା ଟିକା ପ୍ରସ୍ତୁତକାରୀ କମ୍ପାନୀ ଗୁଡିକୁ ସବୁ ପ୍ରକାର ମାଲି ମକଦ୍ଦମାରୁ ସରକାର ସୁରକ୍ଷା ପ୍ରଦାନ କରିବା ଉଚିତ ବୋଲି ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ)ର ମୁଖ୍ୟ ଅଦାର ପୁନାୱାଲା କହିଛନ୍ତି । ଟିକା ପ୍ରସ୍ତୁତକାରୀ କମ୍ପାନୀ ମାନେ ଏହି ପ୍ରସ୍ତାବ ସରକାରଙ୍କ ନିକଟରେ ରଖିବେ ବୋଲି ସେ ଏକ ଭର୍ଚୁଆଲ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଟିକା ପ୍ରସ୍ତୁତକାରୀ କମ୍ପାନୀ ଗୁଡିକ ବିରୋଧରେ ଯଦି କୌଣସି ଭିତ୍ତିହୀନ ଅଭିଯୋଗ ଆସେ, ତେବେ ସେମାନଙ୍କ ଦ୍ୱାରା ବିକଶିତ ଟିକା ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇପାରେ । ଏବଂ ଏହାଦ୍ୱାରା ଟିକା ପ୍ରସ୍ତୁତକାରୀ କମ୍ପାନୀ ମଧ୍ୟ ଦେବାଳିଆ ହେବା ସମ୍ଭାବନା ରହିଛି । ଏଭଳି ପରିସ୍ଥିତି ଏଡ଼ାଇବା ଲାଗି ଏବଂ ଲୋକଙ୍କୁ ଟିକାକରଣ ନେଇ ସଠିକ୍ ସୂଚନା ଦେବା ଲାଗି ସରକାର ପଦକ୍ଷେପ ନେବା ଉଚିତ । ଟିକା ପ୍ରସ୍ତୁତକାରୀ କମ୍ପାନୀଙ୍କୁ ସବୁ ପ୍ରକାର ମକଦ୍ଦମାରୁ ସୁରକ୍ଷା ପ୍ରଦାନ କରାଯିବା ଉଚିତ ବୋଲି ପୁନାୱାଲା କହିଛନ୍ତି । ଏନେଇ ସେ ଆମେରିକାରେ ପ୍ରଚଳିତ ଏକ ଆଇନର ଉଦାହରଣ ଦେଇଛନ୍ତି । ଆମେରିକାରେ ବିଶେଷକରି ମହାମାରୀ ସମୟରେ ସେଠାକାର ସରକାର ଟିକା ପ୍ରସ୍ତୁତକାରୀ କମ୍ପାନୀମାନଙ୍କୁ ବିଭିନ୍ନ ପ୍ରକାର ଆଇନଗତ ମାମଲାରୁ ସୁରକ୍ଷା ପ୍ରଦାନ କରିଥାନ୍ତି ।

Comments are closed.