ଟିମ୍ ଇଣ୍ଡିଆକୁ ପୁଣି ଏକ ଝଟକା: ବୁମରା ବି ଚତୁର୍ଥ ଟେଷ୍ଟରୁ ବାଦ୍‌, ଅଭ୍ୟାସ ବେଳେ ମୟଙ୍କ ଆହତ

ସିଡନୀ –ଆଘାତ ସମସ୍ୟାରେ ଜର୍ଜରିତ ଭାରତୀୟ ଦଳକୁ ମଙ୍ଗଳବାର ଆଉ ଏକ ବଡ଼ ଝଟକା ଲାଗିଛି । ଦଳର ନମ୍ବର ୱାନ୍ ପେସର ଯଶପ୍ରୀତ ବୁମରା ମଧ୍ୟ ଆଘାତ କାରଣରୁ ଚତୁର୍ଥ ଟେଷ୍ଟରୁ ବାଦ୍ ପଡିଛନ୍ତି । ବିସିସିଆଇ ଏନେଇ ଔପଚାରିକ ଘୋଷଣା କରିନଥିଲେ ମଧ୍ୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବୁମରା ଜାନୁୟାରୀ ୧୫ରୁ ବ୍ରିସବେନରେ ଆରମ୍ଭ ହେଉଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟରୁ ବଞ୍ଚିତ ହେବେ । ତଳିପେଟ ମାଂସପେଶୀ ଟାଣି ହୋଇଯାଇଥିବା ଯୋଗୁଁ ବୁମରା ଚତୁର୍ଥ ଟେଷ୍ଟ ଖେଳପାରିବେ ନାହିଁ ବୋଲି କୁହଯାଇଛି । ସିଡନୀ ଟେଷ୍ଟ ବେଳେ ସେ ବହୁଥର ପଡିଆ ଛାଡ଼ି ଡ୍ରେସିଂରୁମ୍ ଯାଉଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଆଜି ତାଙ୍କ ଆଘାତ ସମସ୍ୟା ସମ୍ପର୍କରେ ସ୍ପଷ୍ଟ କରାଯାଇଛି । ସେ ମାତ୍ର ୫୦% ଫିଟ୍ ଅଛନ୍ତି । ଆଗକୁ ଇଂଲଣ୍ଡ ବିପକ୍ଷ ସିରିଜ୍ ରହିଥିବାରୁ ବ୍ରିସବେନ ଟେଷ୍ଟରେ ତାଙ୍କୁ ଖେଳାଇ ଭାରତ ରିସ୍କ ନେବାକୁ ଚାହୁଁନାହିଁ ।

ପୂର୍ବରୁ ଆଘାତ କାରଣରୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ସିଡନୀ ଟେଷ୍ଟ ହିରୋ ହନୁମା ବିହାରୀ ଚତୁର୍ଥ ଟେଷ୍ଟରୁ ବାଦ୍ ପଡିଛନ୍ତି । ତେବେ ଏତିକିରେ ଭାରତୀୟ ଦଳର ଦୁର୍ଦ୍ଦଶା ଥମିନାହିଁ । ସିଡନୀରୁ ଏବେ ଖବର ଆସୁଛି ଯେ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ ଅଭ୍ୟାସ ବେଳେ ଆଘାତପ୍ରାପ୍ତ ହୋଇଛନ୍ତି । ବିହାରୀଙ୍କ ସ୍ଥାନରେ ମୟଙ୍କ ଚତୁର୍ଥ ଟେଷ୍ଟରେ ଖେଳିଥାନ୍ତେ । ଅଭ୍ୟାସ ବେଳେ ତାଙ୍କ ହାତରେ ବଲ୍ ବାଜିଥିଲା । ସ୍କାନ୍ ପାଇଁ ତାଙ୍କୁ ମେଡିକାଲ ନିଆଯାଇଥିବା ସୂଚନା ମିଳିଛି । ସେପଟେ ସିଡନୀ ଟେଷ୍ଟର ପଞ୍ଚମ ଦିବସରେ ତିନି ଘଣ୍ଟା ଧରି ବ୍ୟାଟିଂ କରିଥିବା ଅଶ୍ୱିନଙ୍କ ପିଠି ସମସ୍ୟା ଦେଖାଦେଇଛି । ଏହିସବୁ ଆଘାତ ସମସ୍ୟା ଚତୁର୍ଥ ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ଚିନ୍ତରେ ପକାଇଛି । ପୂର୍ବରୁ ମହମ୍ମଦ ସାମି, ଉମେଶ ଯାଦବ ଓ ଲୋକେଶ ରାହୁଲ ଆଘାତ କାରଣରୁ ଟେଷ୍ଟ ସିରିଜରୁ ବାଦ୍ ପଡିଛନ୍ତି ।

Comments are closed.