ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆମେରିକାର ନିମ୍ନ ସଦନରେ ପାରିତ

ୱାଶିଂଟନ – ଆମେରିକାର ବିଦୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଲୋଡ଼ା ଇତିହାସ ରଚିଛନ୍ତି । ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ତାଙ୍କ ବିରୋଧରେ ଦୁଇ ଦୁଇଥର ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଛି । ସଂସଦ ଭବନରେ ହିଂସାକାଣ୍ଡ ପାଇଁ ନିଜ ସମର୍ଥକଙ୍କୁ ଉସୁକାଇବା ଅଭିଯୋଗରେ ତାଙ୍କ ବିରୋଧରେ ଆଗତ ହୋଇଥିବା ମହାଭିଯୋଗ ପ୍ରସ୍ତାବ ଆମେରିକା ସଂସଦର ନିମ୍ନ ସଦନ ପ୍ରତିନିଧି ସଭା (ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍‌)ରେ ବହୁମତରେ ପାରିତ ହୋଇଛି । ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ୨୩୨ ଭୋଟ୍ ପଡିଥିବା ବେଳେ ବିପକ୍ଷରେ ମାତ୍ର ୧୯୭ ଭୋଟ୍ ପଡିଥିଲା । ରିପବ୍ଲିକାନ ପାର୍ଟିର ୧୦ ଜଣ ସାଂସଦ ମଧ୍ୟ ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଥିଲେ । ଏବେ ଏହି ପ୍ରସ୍ତାବ ଉପର ସଦନ ସିନେଟରେ ଆଗତ ହେବ ।

ମହାଭିଯୋଗ ପ୍ରସ୍ତାବରେ ଟ୍ରମ୍ପ ଜାନୁୟାରୀ ୬ରେ ଦେଶ ବିରୋଧରେ ବିଦ୍ରୋହ ପାଇଁ ନିଜ ସମର୍ଥକଙ୍କୁ ଉସ୍‌କାଇଥିବା ଅଭିଯୋଗ ହୋଇଛି । ସିନେଟରେ ମହାଭିଯୋଗ ପ୍ରସ୍ତାବ ପାରିତ ହେବା ପାଇଁ ଦୁଇ ତୃତୀୟାଂଶ ସମର୍ଥନ ଆବଶ୍ୟକ । ଯଦି ସିନେଟରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ ହୁଏ, ତେବେ ଟ୍ରମ୍ପଙ୍କୁ ତାଙ୍କ କାର୍ଯ୍ୟକାଳ ପୂର୍ବରୁ ରାଷ୍ଟ୍ରପତି ପଦ ଛାଡ଼ିବାକୁ ପଡିବ । ଉଲ୍ଲେଖଯୋଗ୍ୟ ଯେ, ଟ୍ରମ୍ପଙ୍କ କାର୍ଯ୍ୟକାଳ ଆଉ ମାତ୍ର ୬ ଦିନ ପରେ ଶେଷ ହେବ । ତା’ ଆଗରୁ ସିନେଟ୍‌ର ଅଧିବେଶନ ବସିବା ସମ୍ଭାବନା କମ୍ ଥିବାରୁ ମହାଭିଯୋଗ ଦ୍ୱାରା ଟ୍ରମ୍ପ ବିଦା ହେବା ଲଜ୍ଜାରୁ ବର୍ତ୍ତିଯିବେ ବୋଲି ମନେ କରାଯାଉଛି ।
ଏଥରକୁ ମିଶାଇ ଟ୍ରମ୍ପ ଦୁଇଥର ମହାଭିଯୋଗ ପ୍ରସ୍ତାବର ସମ୍ମୁଖୀନ ହୋଇଛନ୍ତି । ଏହା ପୂର୍ବରୁ ଡିସେମ୍ବର ୧୮, ୨୦୧୯ରେ ପ୍ରତିନିଧି ସଭାରେ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଅଣାଯାଇଥିଲା ଓ ପାରିତ ବି ହୋଇଥିଲା । ହେଲେ ସିନେଟରେ ରିପବ୍ଲିକାନ ପାର୍ଟିର ବହୁମତ ଥିବାରୁ ସେଠାରେ ଏହି ପ୍ରସ୍ତାବ କାଟ୍ ଖାଇଥିଲା । ସେତେବେଳେ ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ଥିଲା ଯେ, ଜୋ ବିଡେନ ଓ ତାଙ୍କ ପୁଅ ବିରୋଧରେ ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ସେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ଉପରେ ଚାପ ପକାଇଥିଲେ ।

Comments are closed.