ଟ୍ୱିଟର ଅଧିକାରୀଙ୍କୁ ଗିରଫ କରିବେ ସରକାର ?

ନୂଆଦିଲ୍ଲୀ – ଭାରତ ସରକାର ଓ ଟ୍ୱିଟର ମଧ୍ୟରେ ବିବାଦ ତେଜିବାରେ ଲାଗିଛି । ଚାଷୀ ଆନ୍ଦୋଳନ ନେଇ ଗୁଜବ ପ୍ରଚାର କରୁଥିବା କିଛି ଆକାଉଣ୍ଟକୁ ବ୍ଲକ କରିବା ପାଇଁ ନିର୍ଦ୍ଦେଶ ପାଳନ ହୋଇନଥିବାରୁ ଟ୍ୱିଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସରକାର ବିଚାର କରୁଛନ୍ତି । ଏପରିକି ଟ୍ୱିଟରର କିଛି ପଦାଧିକାରୀଙ୍କୁ ଗିରଫ ମଧ୍ୟ ହୋଇପାରନ୍ତି ।

ଚାଷୀ ଆନ୍ଦୋଳନ ନେଇ ବିବାଦୀୟ ଟ୍ୱିଟ ଓ ପୋଷ୍ଟ କରିବା ଅଭିଯୋଗରେ ସରକାର ୧୦୦୦ରୁ ଊର୍ଦ୍ଧ୍ୱ ଆକାଉଣ୍ଟକୁ ବନ୍ଦ କରିବା ପାଇଁ ଟ୍ୱିଟରକୁ ଏକ ତାଲିକା ଦେଇଥିଲେ । ତେବେ ଏଥିମଧ୍ୟରୁ ଟ୍ୱିଟର କେବଳ ଅଧା ଆକାଉଣ୍ଟ ବ୍ଲକ କରିଥିଲା । ଅନ୍ୟ ଆକାଉଣ୍ଟ ବ୍ଲକ୍ କରିବା ଏହାର ଅଭିବ୍ୟକ୍ତି ସ୍ୱାଧୀନତା ନୀତିର ଉଲ୍ଲଂଘନ ହେବ ବୋଲି ଟ୍ୱିଟର ଯୁକ୍ତି ଦର୍ଶାଇଥିଲା । ହେଲେ ଟ୍ୱିଟରର ଏଭଳି ଯୁକ୍ତିରେ କେନ୍ଦ୍ର ସରକାର ଏଥିରେ ସନ୍ତୁଷ୍ଟ ହୋଇନଥିଲେ ।

ଭାରତ ସରକାର ସହ ବିବାଦ ତୁଟାଇବା ପାଇଁ ବୁଧବାର ଟ୍ୱିଟରର ଦୁଇ କାର୍ଯ୍ୟନିର୍ବାହୀ ଅଧିକାରୀ ମୋନିକ୍ ମକ୍ଟଙ୍କକ୍ଟ୍ର ଓ ଜିମ୍ ବେକର କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଭାଗର ସଚିବ ଅଜୟ ପ୍ରକାଶ ସାହନୀଙ୍କୁ ଭେଟିଥିଲେ । କେନ୍ଦ୍ର ସରକାର ଟ୍ୱିଟରକୁ କହିଥିଲେ ଯେ, ବିବାଦୀୟ ହାସ୍‌ଟାଗ୍ ଓ ପୋଷ୍ଟ ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିପାରେ । ଏହି ସବୁ ବିବାଦୀୟ ପୋଷ୍ଟ ଓ ହ୍ୟାଣ୍ଡଲ ନ ହଟାଇଲେ ଭାରତୀୟ ଆଇନାନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ବାଧ୍ୟ ହେବେ ବୋଲି ସୂଚନା ଓ ପ୍ରଯୁକ୍ତି ବିଭାଗ ସଚିବ ସାହନୀ ଟ୍ୱିଟର ଅଧିକାରୀଙ୍କୁ କହିଥିଲେ । ଆମେରିକାର କ୍ୟାପିଟଲ ହିଂସା ଓ ଦିଲ୍ଲୀ ହିଂସାକୁ ଟ୍ୱିଟର ଭିନ୍ନ ତୂଳୀରେ ଚିତ୍ରଣ କରୁଛି ବୋଲି ସାହନୀ ଅଭିଯୋଗ କରିଥିଲେ ।
କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଧମକ ମଧ୍ୟରେ ଟ୍ୱିଟର ଅଦାଲତର ଆଶ୍ରୟ ନେବା ସମ୍ଭାବନା ରହିଛି । ଟ୍ୱିଟର ସହ ବିବାଦ ମଧ୍ୟରେ କିଛି କେନ୍ଦ୍ରମନ୍ତ୍ରୀ ଓ ଶାସକ ଦଳର ନେତା ଟ୍ୱିଟରର ଭାରତୀୟ ବିକଳ୍ପ ‘କୁ’ରେ ନିଜ ଆକାଉଣ୍ଟ ଖୋଲିଛନ୍ତି ଓ ଏହି ଦେଶୀ ମାଇକ୍ରୋବ୍ଲଗିଂ ସାଇଟ୍‌ର ବ୍ୟବହାର କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।

Comments are closed.