‘ତବଲିଗୀ ଜମାତ୍ ଭଳି ସ୍ଥିତି ନ ହେଉ’ – କରୋନା ସଂକ୍ରମଣ ମଧ୍ୟରେ ଚାଷୀ ଆନ୍ଦୋଳନ ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – କରୋନା ସଂକ୍ରମଣ ବିପଦ ମଧ୍ୟରେ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନରେ ସାମିଲ ହଜାର ହଜାର ଚାଷୀଙ୍କ ସୁରକ୍ଷା ନେଇ ସୁପ୍ରିମକୋର୍ଟ ଚିନ୍ତା ବ୍ୟକ୍ତ କରିଛନ୍ତି । କୋର୍ଟ କହିଛନ୍ତି ଏତେ ବିଶାଳ ଚାଷୀ ସମାବେଶକୁ ନେଇ ସରକାର ମାର୍ଗ ଦର୍ଶିକା ଜାରି କରିବା ଉଚିତ । ଗତବର୍ଷ ମାର୍ଚ୍ଚରେ ତବଲିଗୀ ଜମାତ୍ ମର୍କଜ୍‌ର ଉଦାହରଣ ଦେଇ ସର୍ବୋଚ୍ଚ ନ୍ୟାୟାଳୟ ଏହା କହିଛନ୍ତି ।

ଗତବର୍ଷ ମାର୍ଚ୍ଚରେ ତମଲିଗୀ ଜମାତ ମର୍କଜ୍‌ରେ ବିଶାଳ ଜନସମାବେଶର ତଦନ୍ତ କରିବାକୁ ଦାବି କରି ଆଗତ ଏକ ପିଟିସନର ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟସ୍ ଏସ୍‌ଏ ବୋବଡେ, ଏଏସ୍ ବୋପନ୍ନା ଓ ବି.ରାମାସୁବ୍ରମନିୟମଙ୍କୁ ନେଇ ଖଣ୍ଡପୀଠ କେନ୍ଦ୍ର, ଦିଲ୍ଲୀ ସରକାର ଓ ଦିଲ୍ଲୀ ପୋଲିସକୁ ନୋଟିସ୍ ଜାରି କରିଛନ୍ତି । ଏହି ଅବସରରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍‌ଏ ବୋବଡେ୍ ଦିଲ୍ଲୀ ସୀମାରେ ଭିଡ଼ ଜମାଇଥିବା ଚାଷୀମାନେ କଣ କରୋନା ସଂକ୍ରମଣରୁ ସୁରକ୍ଷିତ କି ବୋଲି ପ୍ରଶ୍ନ କରିଥିଲେ । କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ – ନା, ଆଦୌ ନୁହେଁ । ଏହାପରେ ପ୍ରଧାନ ବିଚାରପତି କହିଥିଲେ – ଆନ୍ଦୋଳନ କରୁଥିବା ଚାଷୀମାନେ କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ସତର୍କତା ଅବଲମ୍ବନ କରୁଛନ୍ତି ବୋଲି ମନେ ହେଉନାହିଁ । ଏହି ସମସ୍ୟା (ଚାଷୀ ଆନ୍ଦୋଳନ)ର ସମାଧାନ ବାହାର କରିବାକୁ ଉଦ୍ୟମ ହେବା ଆବଶ୍ୟକ । ତବଲିଗୀ ଜମାତ୍ ଭଳି ଚାଷୀ ଆନ୍ଦୋଳନ ସ୍ଥିତି କରୋନା ସଂକ୍ରମଣର ହଟ୍‌ସ୍ପଟ୍ ପାଲଟିପାରେ । ତେଣୁ ସରକାର ଏନେଇ ଗାଇଡ୍ ଲାଇନ୍ ଜାରି କରିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Comments are closed.