‘ତାଣ୍ଡବ’ ବିବାଦ: କ୍ଷମା ମାଗିଲେ ନିର୍ଦ୍ଦେଶକ, ସୈଫ୍‌ଙ୍କ ସୁରକ୍ଷା ବଢ଼ିଲା

ନୂଆଦିଲ୍ଲୀ – ଆମାଜନ ପ୍ରାଇମ୍ ଭିଡିଓର ନୂଆ ୱେବ୍ ସିରିଜ୍ ‘ତାଣ୍ଡବ’କୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ଏହାର ନିର୍ଦ୍ଦେଶକ ଅଲ୍ଳୀ ଅବାସ ଜାଫର ଲୋକଙ୍କୁ ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା କରିଛନ୍ତି । ପୂରା ‘ତାଣ୍ଡବ’ ଟିମ୍ ତରଫରୁ ଜାରି ଏକ ବିବୃତିରେ ଜାଫର କହିଛନ୍ତି ଯେ, ଦର୍ଶକଙ୍କ ପ୍ରତିକ୍ରିୟା ଉପରେ ଆମେ ନଜର ରଖିଛୁ । ଏହି ୱେବ୍ ସିରିଜ୍ ଏକ କାଳ୍ପନିକ କାହାଣୀ ଉପରେ ଆଧାରିତ । ଲୋକମାନଙ୍କ ଧାର୍ମିକ ଭାବନାକୁ ଆଘାତ କରିବା ଆମର ଉଦ୍ଦେଶ୍ୟ ନଥିଲା ।

ସୈଫ୍ ଅଲ୍ଲୀ ଖାନ ଅଭିନୀତ ଏହି ୱେବ୍ ସିରିଜରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ବିଜେପି ସାଂସଦ ମନୋଜ କୋଟାକ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଚିଠି ଲେଖି ‘ତାଣ୍ଡବ’ର ସବୁ କାଷ୍ଟ, କ୍ରୁ’ଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ‘ତାଣ୍ଡବ’ ବିବାଦରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଗତକାଲି ଆମାଜନ ପ୍ରାଇମ ଭିଡିଓକୁ ନୋଟିସ୍ ଜାରି କରି ସ୍ପଷ୍ଟୀକରଣ ଲୋଡିଥିଲା । ସେପଟେ ଏହି ବିବାଦୀୟ ୱେବ୍ ସିରିଜକୁ ନେଇ ଲକ୍ଷ୍ନୌ ହଜରତଗଞ୍ଜ ଥାନରେ ଆମାଜନ ପ୍ରାଇମ୍ ଇଣ୍ଡିଆର କଣ୍ଟେ୍‌ଣ୍ଟ ହେଡ୍ ଅରୁଣା ପୁରୋହିତ, ‘ତାଣ୍ଡବ’ର ନିର୍ଦ୍ଦେଶକ ଅଲ୍ଲୀ ଆବାସ ଜାଫର, ପ୍ରଯୋଜକ ହିମାଂଶୁ କୃଷ୍ଣ ମିଶ୍ର ଏବଂ ଲେଖକ ଗୌରବ ସୋଲାଙ୍କିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏମାନଙ୍କୁ ପଚରା ଉଚରା କରିବା ପାଇଁ ହଜରତଗଞ୍ଜ ଥାନର ଚାରିଜଣିଆ ଟିମ୍ ସୋମବାର ମୁମ୍ବାଇ ଯାଇଛନ୍ତି । ‘ତାଣ୍ଡବ’ ବିବାଦକୁ ଦୃଷ୍ଟିରେ ରଖି ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି ।

Comments are closed.